ଦିଲ୍ଲୀ ପରେ ଓଡ଼ିଶାରେ ହେବ ବଡ଼ ଆନ୍ଦୋଳନ, ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ପିସିସି ସଭାପତି।
ଭୁବନେଶ୍ୱର: ଦିଲ୍ଲୀରେ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ। ଯନ୍ତରମନ୍ତରରେ ଆସନ୍ତାକାଲି ଜୋରଦାର ଆନ୍ଦୋଳନ ହେବ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ। ଏଥିପାଇଁ ରାଜ୍ୟ କଂଗ୍ରେସର ପ୍ରମୁଖ ନେତାମାନଙ୍କୁ ଦିଲ୍ଲୀ ଡାକରା ଦିଆଯାଇଥିବା ବେଳେ ଆଜି ନିଜେ ଦିଲ୍ଲୀ ଗସ୍ତ କରିବେ ବୋଲି ଭକ୍ତ ଦାସ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭକ୍ତ ଚରଣ ଦାସ କହିଛନ୍ତି ଯେ, ଦିଲ୍ଲୀରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଯେଉଁ ଲଢ଼େଇ ଲଢ଼ୁଛନ୍ତି, ସେହି ଲଢ଼େଇରେ ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ସାମିଲ ହେବାକୁ ପଡ଼ିବ।
ନିଜର ରାଜନୈତିକ ସଂଘର୍ଷ କଥା ଉଲ୍ଲେଖ କରି ଭକ୍ତ ଦାସ କହିଛନ୍ତି, “ମୁଁ ବିପ୍ଳବରୁ ଜନ୍ମ ହୋଇଛି। ଜୀବନରେ ଅନେକ ବିକ୍ଷୋଭ, ଧାରଣା ଓ ଅନଶନ କରିଛି। ଦିଲ୍ଲୀ ପୋଲିସ ମୋତେ ଭୟଭୀତ କରିପାରିବ ନାହିଁ। ମୁଁ ଅସୁସ୍ଥ ଅଛି, କିନ୍ତୁ ଲଢ଼େଇ ଛାଡ଼ିବି ନାହିଁ।”
କେବଳ ଦିଲ୍ଲୀରେ ନୁହେଁ, ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ବଡ଼ ଧରଣର ଆନ୍ଦୋଳନ କରିବାକୁ କଂଗ୍ରେସ ଯୋଜନା କରୁଥିବା ସେ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ମଧ୍ୟ ଜୋରଦାର ଲଢ଼େଇ ହେବ ବୋଲି ଭକ୍ତ ଦାସ ଚେତାବନୀ ଦେଇଛନ୍ତି।
ଏହାସହ ସେ ଦାବି କରିଛନ୍ତି ଯେ, ଆଗାମୀ ଆନ୍ଦୋଳନର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିବ। ଯେତେ ପୋଲିସ ମୁତୟନ କରାଗଲେ ମଧ୍ୟ କଂଗ୍ରେସର ଆନ୍ଦୋଳନକୁ ରୋକାଯାଇପାରିବ ନାହିଁ। ଗଣତନ୍ତ୍ରର ସୁରକ୍ଷା ଓ ଜନସାଧାରଣଙ୍କ ଅଧିକାର ପାଇଁ ଦଳ ନିଜର ସଂଘର୍ଷ ଜାରି ରଖିବ ବୋଲି ସେ କହିଛନ୍ତି।
ଦିଲ୍ଲୀର ଯନ୍ତରମନ୍ତରରୁ ଆରମ୍ଭ ହେବାକୁ ଥିବା ଏହି ଆନ୍ଦୋଳନ ପରେ ଓଡ଼ିଶାରେ କଂଗ୍ରେସ କେଉଁ ରଣନୀତି ଆପଣାଇବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।
ଭକ୍ତ ଚରଣ ଦାସ, ପିସିସି ସଭାପତି।
