ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫିର ବ୍ରାଣ୍ଡିଂ; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: କୋରାପୁଟ କଫିକୁ ବିଶ୍ୱସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ବିଶ୍ୱ ନେତାଙ୍କ ନିକଟରେ କୋରାପୁଟ କଫି ପହଞ୍ଚିବା ଏହାର ବ୍ରାଣ୍ଡିଂ ଓ ବଜାର ବିସ୍ତାରରେ ସହାୟକ ହେବ ବୋଲି କହିଛନ୍ତି ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
କୋରାପୁଟ କଫିର ପ୍ରଚାର ଓ ପ୍ରସାର ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫି ସମ୍ପର୍କରେ ଉଲ୍ଲେଖ କରିଥିବା ବେଳେ ଏହାପରେ ଦେଶରେ କୋରାପୁଟ କଫିର ଚାହିଦା ବଢ଼ିଥିବା ପରିଡ଼ା କହିଛନ୍ତି।
ଏବେ ବିଶ୍ୱ ନେତାଙ୍କ ନିକଟରେ କୋରାପୁଟ କଫି ପହଞ୍ଚିବା ଦ୍ୱାରା ଏହାକୁ ଅନ୍ତର୍ଜାତୀୟ ପରିଚୟ ମିଳିବା ସହ ବିଶ୍ୱ ବଜାରରେ ଚାହିଦା ବଢ଼ିବାର ସମ୍ଭାବନା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
କୋରାପୁଟ କଫିର ବ୍ରାଣ୍ଡିଂ କେବଳ କଫି ଉତ୍ପାଦନ ଓ ବିକ୍ରିରେ ସୀମିତ ରହିବ ନାହିଁ; ଏହା ସ୍ଥାନୀୟ ଲୋକଙ୍କ ଜୀବିକା ଏବଂ ଓଡ଼ିଶାର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।
“ମୋଦୀ ଥିଲେ ସବୁ ସମ୍ଭବ। ବିଶ୍ୱରେ କୋରାପୁଟ କଫି ପରିଚୟ ପାଇଲା। ଏହାଦ୍ୱାରା ଓଡ଼ିଶାର ଜୀବିକା ସହ ପର୍ଯ୍ୟଟନ ମଧ୍ୟ ବଢ଼ିବ। ପର୍ଯ୍ୟଟନ ମନ୍ତ୍ରୀ ଭାବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି,” ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ‘ବିକାଶ ଭି, ବିରାସତ ଭି’ ଆହ୍ୱାନର ଉଦାହରଣ ଓଡ଼ିଶାରେ ଦେଖିବାକୁ ମିଳୁଛି ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।
