News ରାଜ୍ୟ ଲାଇଫ ଷ୍ଟାଇଲ ଶିକ୍ଷା ସାମାଜିକ ସ୍ୱତନ୍ତ୍ର

କୋରାପୁଟ ମେଡିକାଲ କଲେଜକୁ ମିଳିଲା ଅତିରିକ୍ତ ୨୫ ଏମ୍‌ବିବିଏସ୍ ସିଟ୍

Spread the love

୨୦୨୭-୨୮ ଶିକ୍ଷାବର୍ଷରୁ ୧୨୫ ବଦଳରେ ୧୫୦ ଛାତ୍ରଛାତ୍ରୀଙ୍କ ହେବ ନାମଲେଖା

କୋରାପୁଟ, ୩୧/୧୦: ଓଡ଼ିଶାର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ସଫଳତାର ଅଧ୍ୟାୟ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ମିଳିଛି ଅତିରିକ୍ତ ୨୫ଟି ଏମ୍‌ବିବିଏସ୍ ସିଟ୍। ଏହାଦ୍ୱାରା କଲେଜରେ ବାର୍ଷିକ ଏମ୍‌ବିବିଏସ୍ ସିଟ୍ ସଂଖ୍ୟା ୧୨୫ରୁ ବୃଦ୍ଧି ପାଇ ୧୫୦ରେ ପହଞ୍ଚିବ। ୨୦୨୭-୨୮ ଶିକ୍ଷାବର୍ଷରୁ ଏହି ବର୍ଦ୍ଧିତ ସିଟ୍‌ରେ ନାମଲେଖା ହେବ।

ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୯ ଅକ୍ଟୋବର ୨୦୨୬ରେ ସରକାରୀ ଆଦେଶ ଜାରି କରାଯାଇଛି। ନୂତନ ସିଟ୍ ବୃଦ୍ଧି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଜାତୀୟ ମେଡିକାଲ କମିଶନ (ଏନ୍‌ଏମ୍‌ସି)କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସମସ୍ତ ପ୍ରଚଳିତ ନିୟମ ଓ ନିୟାମକ ସର୍ତ୍ତ ପାଳନ ଆଧାରରେ ଏହି ସିଟ୍ ବୃଦ୍ଧି କାର୍ଯ୍ୟକାରୀ ହେବ।

ମେଡିକାଲ କଲେଜ ପକ୍ଷରୁ ଦାଖଲ ହୋଇଥିବା ଆବେଦନପତ୍ର, ଆବଶ୍ୟକ ଦସ୍ତାବିଜ୍ ଏବଂ ଅନ୍ୟାନ୍ୟ ତଥ୍ୟକୁ ଯାଞ୍ଚ ଓ ବିଚାର କରିବା ପରେ କେନ୍ଦ୍ର ସରକାର ଏହି ସିଟ୍ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତିକୁ ସ୍ୱାଗତ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ରାଜ୍ୟରେ ଡାକ୍ତରୀ ଶିକ୍ଷାର ପରିସର ବୃଦ୍ଧି କରିବା ସହ ଅଧିକ ଡାକ୍ତର ସୃଷ୍ଟି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସେ ଆହୁରି କହିଛନ୍ତି, “ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ଡାକ୍ତରୀ ଶିକ୍ଷାର ପରିସର ବଢ଼ିବା ସହ ଭବିଷ୍ୟତରେ ଅଧିକ ଡାକ୍ତର ସୃଷ୍ଟି ହେବେ। ଏହାଦ୍ୱାରା ଅଧିକ ମେଧାବୀ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ପାଇବେ।”

ସିଟ୍ ସଂଖ୍ୟା ବୃଦ୍ଧି ଫଳରେ ଦକ୍ଷିଣ ଓଡ଼ିଶାରେ ଡାକ୍ତରୀ ଶିକ୍ଷାର ସୁଯୋଗ ବିସ୍ତାର ହେବା ସହ ଆଗାମୀ ଦିନରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *