Business Economy News ଅର୍ଥନୀତି କଳା ଓ ସଂସ୍କୃତି ପର୍ଯ୍ୟଟନ ବାଣିଜ୍ୟ ରାଜ୍ୟ ଲାଇଫ ଷ୍ଟାଇଲ ସଂସ୍କୃତି ସାମାଜିକ ସ୍ୱତନ୍ତ୍ର

ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ ଜାନୁଆରୀ ସୁଦ୍ଧା ଶେଷ ହେବ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

Spread the love

ଭୁବନେଶ୍ୱର, ୩୧ ଅକ୍ଟୋବର ୨୦୨୬: ରାଜ୍ୟର ଐତିହ୍ୟ, କଳା ଓ ସଂସ୍କୃତିର ସୁରକ୍ଷା ସହ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଏକାମ୍ର କ୍ଷେତ୍ରର ସାମଗ୍ରିକ ବିକାଶ, ପିପିଲି ଚାନ୍ଦୁଆ ହବ୍‌ ନିର୍ମାଣ ଏବଂ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟରର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଶନିବାର ଲୋକସେବା ଭବନଠାରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ତିନୋଟି ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଜାନୁଆରୀ ସୁଦ୍ଧା ଶେଷ ହେବ ଏକାମ୍ର କ୍ଷେତ୍ର କାର୍ଯ୍ୟ

ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏକାମ୍ର ପାର୍କିଂ, ପର୍ଯ୍ୟଟକ ସମ୍ମିଳନୀ କେନ୍ଦ୍ର, ଶୌଚାଳୟ, ଭଜନ ମଣ୍ଡପ ଏବଂ ଅନନ୍ତ ବାସୁଦେବ ପ୍ଲାଜାର ବିକାଶ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏଥିସହ ବିନ୍ଦୁସାଗରକୁ ଏକ ପ୍ରଶସ୍ତ ପଦଚଲା ରାସ୍ତା ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଏକାମ୍ର କ୍ଷେତ୍ରକୁ ସ୍ୱଚ୍ଛ, ସୁନ୍ଦର, ସୁସଂଗଠିତ ଓ ଆକର୍ଷଣୀୟ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାର ଐତିହ୍ୟ, ପରମ୍ପରା ଓ ଧାର୍ମିକ ଗୁରୁତ୍ୱକୁ ଅକ୍ଷୁଣ୍ଣ ରଖି ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପାଇଁ ଆଧୁନିକ ସୁବିଧା ଉପଲବ୍ଧ କରାଇବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସମସ୍ତ ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟ ୨୦୨୭ ଜାନୁଆରୀ ସୁଦ୍ଧା ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।

ଦୁଇ ବର୍ଷରେ ନିର୍ମାଣ ହେବ ପିପିଲି ଚାନ୍ଦୁଆ ହବ୍‌

ପିପିଲିର ପ୍ରସିଦ୍ଧ ଚାନ୍ଦୁଆ କଳାକୁ ଅଧିକ ପ୍ରୋତ୍ସାହନ ଓ ବଜାର ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏକ ଅତ୍ୟାଧୁନିକ ଚାନ୍ଦୁଆ ହବ୍‌ ନିର୍ମାଣ କରାଯିବ। ଏଥିପାଇଁ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରାଯିବା ସହ ଏଥିରେ ଦୋକାନ ଗୃହ, ଫୁଡ୍‌ ପ୍ଲାଜା, ଅଡିଓ ଭିଜୁଆଲ୍‌ ହଲ୍‌ ଏବଂ ଶୌଚାଳୟ ଭଳି ସୁବିଧା ରହିବ।

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଓବିସିସି (OBCC) ଓ ସମ୍ପୃକ୍ତ ଠିକା ସଂସ୍ଥାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ପିପିଲିର ପାରମ୍ପରିକ ଚାନ୍ଦୁଆ ଶିଳ୍ପର ପ୍ରଚାର, ପ୍ରସାର ଓ ବିକ୍ରିବଟା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।

ପୁନରୁଦ୍ଧାର ହେବ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟର

ସେହିପରି ଓଡ଼ିଶାର କଳା, ସଂସ୍କୃତି ଓ ନାଟ୍ୟ ପରମ୍ପରା ସହ ଗଭୀର ଭାବେ ଜଡ଼ିତ ପୁରୀର ଅର୍ଣ୍ଣପୂର୍ଣ୍ଣା ଥିଏଟରର ପୁନରୁଦ୍ଧାର ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏହି ଐତିହାସିକ ଅନୁଷ୍ଠାନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ବିକାଶ ଓ ପୁନରୁଦ୍ଧାର ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା।

ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ବିଏମ୍‌ସି କମିଶନର ଚଞ୍ଚଳ ରଣା, ଓବିସିସିର ସିଜିଏମ୍‌ ଶ୍ରୀଧର ରାଉତଙ୍କ ସମେତ ଏଏସ୍‌ଆଇ କର୍ତ୍ତୃପକ୍ଷ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *