ଜାତୀୟ ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଏସ୍‌ଆଇଆର୍‌ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି, ଏବେ ବିରୋଧୀ ସ୍ପଷ୍ଟ କରନ୍ତୁ : ମନମୋହନ ସାମଲ

Spread the love

ଭୁବନେଶ୍ୱର: ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏସ୍‌ଆଇଆର୍‌ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସବୁକିଛି ସ୍ପଷ୍ଟ କରିସାରିଥିବା ବେଳେ ଏବେ ବିରୋଧୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି।

ମନମୋହନ ସାମଲ କହିଛନ୍ତି ଯେ, ବିରୋଧୀଙ୍କ ମନରେ ଏସ୍‌ଆଇଆର୍‌କୁ ନେଇ କେଉଁଠି ଦ୍ୱନ୍ଦ୍ୱ ରହିଛି, ତାହା ପ୍ରଥମେ ସ୍ପଷ୍ଟ କରିବା ଆବଶ୍ୟକ। ଯଦି କୌଣସି ବିଷୟରେ ସେମାନଙ୍କର ସ୍ପଷ୍ଟତା ନାହିଁ, ତେବେ ସେମାନେ ଖୋଲାଖୋଲି ଭାବେ ତାହା ଜଣାନ୍ତୁ। ସେମାନଙ୍କ ସନ୍ଦେହ ଦୂର କରାଯାଇପାରିବ। କେବଳ ବିରୋଧ କରିବା ପରିବର୍ତ୍ତେ ଯୁକ୍ତିସଙ୍ଗତ ପ୍ରଶ୍ନ ଉଠାଇବାକୁ ସେ ପରାମର୍ଶ ଦେଇଛନ୍ତି।

ନିର୍ବାଚନ କମିଶନଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ଏସ୍‌ଆଇଆର୍‌ର କେଉଁ ବିଷୟରେ ସ୍ପଷ୍ଟୀକରଣ ଆବଶ୍ୟକ, ତାହା ନିର୍ବାଚନ କମିଶନଙ୍କୁ ପଚରାଯାଉ। ସ୍ପଷ୍ଟୀକରଣ ମାଗିଲେ କିଏ ଦେବାକୁ ମନା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ମନମୋହନ। ତାଙ୍କ କହିବା ଅନୁଯାୟୀ, କଂଗ୍ରେସ ଶାସନ ସମୟରେ ଏକାଧିକ ଥର ଏସ୍‌ଆଇଆର୍‌ ହୋଇଥିବା ବେଳେ ବିଜେପି ଶାସନ ସମୟରେ ମାତ୍ର ଥରେ ଏହି ପ୍ରକ୍ରିୟା ହୋଇଛି।

ମୃତ ଓ ଜାଲି ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ନପଡ଼ିଲେ ଏସ୍‌ଆଇଆର୍‌ର ଉଦ୍ଦେଶ୍ୟ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା ଏହି ପ୍ରକ୍ରିୟାର ମୂଳ ଲକ୍ଷ୍ୟ। ତେଣୁ ମୃତ ଓ ଜାଲି ଭୋଟରଙ୍କ ନାମ ବାଦ୍‌ ଦିଆଗଲେ ସେଥିରେ ଭୁଲ କେଉଁଠି ରହିଲା ବୋଲି ସେ କହିଛନ୍ତି।

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସିଧାସଳଖ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି। ପୂର୍ବରୁ ରାହୁଲ ଗାନ୍ଧୀ ନିଜେ ଭୋଟର ତାଲିକା ସଂଶୋଧନ ହେବା ଆବଶ୍ୟକ ବୋଲି କହୁଥିଲେ। ଏବେ ସେହି ସଂଶୋଧନ ପ୍ରକ୍ରିୟା ଏସ୍‌ଆଇଆର୍‌ ମାଧ୍ୟମରେ କରାଯାଉଥିବା ବେଳେ ତାଙ୍କର ଅସୁବିଧା କେଉଁଠି ରହିଲା ବୋଲି ମନମୋହନ ପ୍ରଶ୍ନ କରିଛନ୍ତି।

ଏସ୍‌ଆଇଆର୍‌କୁ ନେଇ ବିରୋଧୀଙ୍କ ଆପତ୍ତି ମଧ୍ୟରେ ମନମୋହନ ସାମଲଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିରେ ନୂଆ ବିତର୍କ ସୃଷ୍ଟି କରିଛି। ଏବେ ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ କି ପ୍ରତିକ୍ରିୟା ରଖୁଛନ୍ତି, ତାହା ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *