ଭୁବନେଶ୍ୱର: ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କଂଗ୍ରେସ ପକ୍ଷରୁ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟର ପ୍ରମୁଖ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା ଦିଆଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ନେତାଙ୍କୁ ଦିଲ୍ଲୀରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କଂଗ୍ରେସ ନିଜର ଆନ୍ଦୋଳନକୁ ଜୋରଦାର କରିବାକୁ ଯୋଜନା କରିଛି। ଏଥିପାଇଁ ପିସିସି ସଭାପତି, ପୂର୍ବତନ ପିସିସି ସଭାପତି, ସାଂସଦ ଓ ବିଧାୟକମାନଙ୍କୁ ଦିଲ୍ଲୀ ଡକାଯାଇଛି। ଆସନ୍ତାକାଲି ଓଡ଼ିଶାର କଂଗ୍ରେସ ନେତାମାନେ ମଧ୍ୟ ଯନ୍ତରମନ୍ତର ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡ଼ିଛି।
ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ସେ କହିଛନ୍ତି ଯେ, ଗତକାଲି ଯନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। କେନ୍ଦ୍ର ସରକାର ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିବା ସେ ଅଭିଯୋଗ କରିଛନ୍ତି।
ଜୟଦେବ ଜେନାଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ହଜାରରୁ ଅଧିକ ଯୁବକ ଓ ଯୁବତୀଙ୍କୁ ଅଟକ ରଖାଯାଇଛି। ଏପରିକି ବିମାନ ଭିତରୁ ମଧ୍ୟ ଯୁବକମାନଙ୍କୁ ଗିରଫ କରାଯାଉଥିବା ସେ ଦାବି କରିଛନ୍ତି। ଦେଶରେ ଗଣତାନ୍ତ୍ରିକ ଅଧିକାରକୁ ଦମନ କରାଯାଉଥିବା ନେଇ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।
ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତାକାଲି ଓଡ଼ିଶାର କଂଗ୍ରେସ ନେତାମାନେ ଯନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନରେ ସାମିଲ ହେବେ। କେନ୍ଦ୍ର ସରକାରଙ୍କ କଥିତ ଏକଛତ୍ରବାଦୀ ଶାସନ ବିରୋଧରେ କଂଗ୍ରେସର ଲଢ଼େଇ ଜାରି ରହିବ। ଗିରଫଦାରୀ ହେଲେ ମଧ୍ୟ ଦଳ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ଜୟଦେବ ଜେନା କହିଛନ୍ତି।
ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି।
