ଜାତୀୟ ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସର ମାରାଥନ୍ କାର୍ଯ୍ୟକ୍ରମ

Spread the love

ଅକ୍ଟୋବର ୨ରୁ ନବରଙ୍ଗପୁରରୁ ପଦଯାତ୍ରା, ଭୁବନେଶ୍ୱରରେ Gen Zଙ୍କୁ ନେଇ ବଡ଼ ସମାବେଶ

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ମାରାଥନ୍ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି। ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ସକ୍ରିୟ କରିବା ସହ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରିବାକୁ ଦଳ ଯୋଜନା କରିଛି।

ଆସନ୍ତା ଅକ୍ଟୋବର ୨ ତାରିଖରୁ ନବରଙ୍ଗପୁରରେ ପଦଯାତ୍ରା ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ବ୍ଲକରେ ପଦଯାତ୍ରା ସହ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯିବ। ଏଥିରେ ବ୍ୟାପକ ସଂଖ୍ୟାରେ କଂଗ୍ରେସ କର୍ମୀଙ୍କୁ ସାମିଲ କରାଯିବ ଏବଂ ଗଠିତ କମିଟିଗୁଡ଼ିକ କାର୍ଯ୍ୟକ୍ରମର ନିରୀକ୍ଷଣ କରିବେ।

ଅନ୍ୟପଟେ Gen Z ତଥା ଯୁବପିଢ଼ିଙ୍କ ସମସ୍ୟାକୁ ନେଇ ଭୁବନେଶ୍ୱରରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନର ଯୋଜନା ରହିଛି। ଅକ୍ଟୋବରରେ ଓଡ଼ିଶାରେ ‘ଛାତ୍ର କି ଗୁଞ୍ଜ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଭୁବନେଶ୍ୱରର ବଡ଼ ସମାବେଶରେ ପ୍ରାୟ ୨୦ ହଜାର ଯୁବପିଢ଼ିଙ୍କୁ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି।

ଏହି କାର୍ଯ୍ୟକ୍ରମକୁ ଜାତୀୟ ସ୍ତରର ନେତୃତ୍ୱ ସହ ଯୋଡ଼ିବାକୁ ମଧ୍ୟ କଂଗ୍ରେସ ଯୋଜନା କରୁଛି। ଆସନ୍ତା ଅକ୍ଟୋବରରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି। ଏହା ସହ ଆଗାମୀ ଜାନୁଆରୀ ଓ ଫେବୃଆରୀ ମଧ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ମଧ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଦଯାତ୍ରା, ବ୍ଲକ ଘେରାଉ, ଛାତ୍ର-ଯୁବ ସମାବେଶ ଏବଂ ଜାତୀୟ ନେତାଙ୍କ ଗସ୍ତ ଜରିଆରେ ରାଜ୍ୟରେ ସଂଗଠନକୁ ତୃଣମୂଳସ୍ତରରୁ ସକ୍ରିୟ କରିବାକୁ କଂଗ୍ରେସ ପ୍ରୟାସ କରୁଥିବା ଏହି ରୂପରେଖାରୁ ସ୍ପଷ୍ଟ ହେଉଛି।

Leave a Reply

Your email address will not be published. Required fields are marked *