ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କଲା ଟିମ୍ ଇଣ୍ଡିଆ
ମହିଳା ଏସିଆ କପ୍ ୨୦୨୬ ଫାଇନାଲ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ଟାଇଟଲ୍ ଜିତିବା ପରେ ଟ୍ରଫି ପ୍ରଦାନକୁ ନେଇ ଦେଖାଦେଇଥିଲା ନାଟକୀୟ ପରିସ୍ଥିତି।
ମ୍ୟାଚ୍ର ଅଧିକାଂଶ ସମୟ ଷ୍ଟାଡିୟମରେ ଦେଖାଯାଇ ନଥିବା ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC) ସଭାପତି ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ମୋହସିନ୍ ନକଭି ମ୍ୟାଚ୍ ଶେଷ ହେବାର କିଛି ସମୟ ପୂର୍ବରୁ ଷ୍ଟାଣ୍ଡରେ ନଜର ଆସିଥିଲେ।
ଟିଭି ପ୍ରସାରଣରେ ନକଭିଙ୍କୁ BCCI ଉପସଭାପତି ରାଜୀବ ଶୁକ୍ଳା ଓ ସଚିବ ଦେବଜିତ୍ ସାଇକିଆଙ୍କ ପଛରେ ବସିଥିବା ଦେଖାଯାଇଥିଲା। ମ୍ୟାଚ୍ ଶେଷ ପରେ ସେ ରାଜୀବ ଶୁକ୍ଳାଙ୍କ ନିକଟକୁ ଯାଇ ଭାରତର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ତେବେ ଭାରତୀୟ ଦଳକୁ ଟ୍ରଫି କିଏ ପ୍ରଦାନ କରିବେ, ତାହାକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସାଧାରଣତଃ ମ୍ୟାଚ୍ ଶେଷର ୧୫ରୁ ୨୦ ମିନିଟ୍ ମଧ୍ୟରେ ପୁରସ୍କାର ବିତରଣ ଆରମ୍ଭ ହୋଇଥାଏ। କିନ୍ତୁ ଏଥର ଏହା ବିଳମ୍ବିତ ହୋଇଥିଲା।
କ୍ୟାମେରାରେ BCCI ଅଧିକାରୀମାନେ ଭାରତୀୟ ମହିଳା ଦଳ ସହ ଦୀର୍ଘ ସମୟ ଆଲୋଚନା କରୁଥିବା ମଧ୍ୟ ଦେଖାଯାଇଥିଲା। ଶେଷରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଥିବା ଖବର ସାମ୍ନାକୁ ଆସିଥିଲା।
