ଭୁବନେଶ୍ୱର: MMDR ଆଇନକୁ ନେଇ ରାଜ୍ୟ ରାଜନୀତିରେ ବିରୋଧୀଙ୍କ ପ୍ରତିବାଦ ଓ ଆପତ୍ତି ଜାରି ରହିଥିବା ବେଳେ ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସଂଶୋଧିତ ଆଇନର ସମ୍ଭାବ୍ୟ ଆର୍ଥିକ ପ୍ରଭାବ ସହ ରାଜ୍ୟର ଖଣି ରାଜସ୍ୱ ସମ୍ପର୍କିତ ତଥ୍ୟ ଦେଇଛନ୍ତି।
ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ସଂଶୋଧିତ ଆଇନ ଅଧୀନରେ ପ୍ରଣୟନ ହେବାକୁ ଥିବା ନିୟମ ଓ ସମ୍ପୃକ୍ତ ସର୍ତ୍ତାବଳୀ ସ୍ପଷ୍ଟ ହେବା ସହ ଆଇନ କାର୍ଯ୍ୟକାରୀ ହେବା ପରେ ହିଁ ଏହାର ଆର୍ଥିକ ପ୍ରଭାବର ଆକଳନ କରାଯାଇପାରିବ।
୨୦୨୩-୨୪ରେ ୪୬,୩୯୬ କୋଟି ଟଙ୍କା ଖଣି ରାଜସ୍ୱ
ରାଜ୍ୟର ଖଣି ରାଜସ୍ୱ ସମ୍ପର୍କରେ ତଥ୍ୟ ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୬ ହଜାର ୩୯୬ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ କରିଥିଲେ।
ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ସେପ୍ଟେମ୍ବର ୧୫, ୨୦୨୬ ସୁଦ୍ଧା ୨୧ ହଜାର ୫୮୬ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ ହୋଇଛି। ତେବେ ଆର୍ଥିକ ବର୍ଷ ଶେଷ ହୋଇନଥିବାରୁ ୨୦୨୬-୨୭ର ସମ୍ପୂର୍ଣ୍ଣ ବର୍ଷର ରାଜସ୍ୱ ପରିମାଣ ଏହି ପର୍ଯ୍ୟାୟରେ ନିଶ୍ଚିତ ଭାବେ ଆକଳନ କରାଯାଇନଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ସଂଶୋଧିତ ଆଇନର ଆର୍ଥିକ ପ୍ରଭାବ ଉପରେ ନଜର
MMDR ଆଇନର ସଂଶୋଧନକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଥିବା ସମୟରେ ମନ୍ତ୍ରୀଙ୍କ ଏହି ଲିଖିତ ଉତ୍ତର ସାମ୍ନାକୁ ଆସିଛି। ତେବେ ସଂଶୋଧିତ ବ୍ୟବସ୍ଥାରେ ରାଜ୍ୟର ଖଣି ରାଜସ୍ୱ ଉପରେ କେତେ ପ୍ରଭାବ ପଡ଼ିବ, ତାହା ନୂଆ ନିୟମ ଓ ସର୍ତ୍ତାବଳୀ କାର୍ଯ୍ୟକାରୀ ହେବା ପରେ ଆକଳନ କରାଯାଇପାରିବ ବୋଲି ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି।
