୪ଟି ରାସ୍ତାରେ ପାଣି, ଯାତାୟାତ ବନ୍ଦ; ଅଟକିଥିବା ଡ୍ରାଇଭରଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା
ଭୁବନେଶ୍ୱର: ମାଲକାନଗିରିରେ ବନ୍ୟାସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବନ୍ୟା ପରିସ୍ଥିତି ସହ ସରକାରଙ୍କ ପ୍ରସ୍ତୁତି ଏବଂ ଲୋକଙ୍କ ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ମାଲକାନଗିରିର ୪ଟି ରାସ୍ତା ଉପରେ ବର୍ତ୍ତମାନ ପାଣି ଚାଲୁଛି। ଫଳରେ ସେହି ରାସ୍ତାଗୁଡ଼ିକରେ ଯାତାୟାତକୁ ବନ୍ଦ ରଖାଯାଇଛି। ରାସ୍ତାରେ ଅଟକି ରହିଥିବା ଡ୍ରାଇଭରମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ନିୟୋଜିତ ରହିଛି।
୪ଟି ରାସ୍ତାର ହେବ ଉଚ୍ଚୀକରଣ
ବନ୍ୟା ସମୟରେ ଯେଉଁ ୪ଟି ରାସ୍ତାରେ ବାରମ୍ବାର ପାଣି ଜମୁଛି, ସେଗୁଡ଼ିକର ଉଚ୍ଚୀକରଣ ପାଇଁ ପୂର୍ବରୁ ପଦକ୍ଷେପ ନିଆଯାଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି। ଗତବର୍ଷ ଏହି ରାସ୍ତାଗୁଡ଼ିକୁ ଉଚ୍ଚ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି।
ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ଆବଶ୍ୟକ କାର୍ଯ୍ୟ ସମ୍ପନ୍ନ ହେଲେ ଆସନ୍ତା ମୌସୁମୀରେ ମାଲକାନଗିରିରେ ଏଭଳି ରାସ୍ତାଜନିତ ଜଳବନ୍ଦୀ ସମସ୍ୟା ଆଉ ରହିବ ନାହିଁ।
ବର୍ତ୍ତମାନ ବନ୍ୟାସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଅଟକିଥିବା ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ସହ ଜରୁରୀ ସେବାକୁ ସ୍ୱାଭାବିକ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି।
