କ୍ରୀଡା ଜାତୀୟ ମନୋରଞ୍ଜନ ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଓଡ଼ିଶା ହକି ଆସୋସିଏସନକୁ ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍‌: ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି

Spread the love

ସ୍ଥାୟୀ ସଦସ୍ୟ ପଦ ହରାଇବ କି ଓଡ଼ିଶା ହକି ଆସୋସିଏସନ? ସରକାରଙ୍କ ଅପାରଗତାକୁ ଦାୟୀ କଲା ବିଜେଡି

ଭୁବନେଶ୍ୱର: ଓଡ଼ିଶା ହକି ଆସୋସିଏସନକୁ ହକି ଇଣ୍ଡିଆ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। ଓଡ଼ିଶା ହକି ଆସୋସିଏସନକୁ ସ୍ଥାୟୀ ସଦସ୍ୟ ପଦରୁ ସହଯୋଗୀ ସଦସ୍ୟ ମାନ୍ୟତାକୁ କାହିଁକି ପରିବର୍ତ୍ତନ କରାଯିବ ନାହିଁ, ସେନେଇ ହକି ଇଣ୍ଡିଆ ସ୍ପଷ୍ଟୀକରଣ ମାଗିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଶାସକ ବିଜେପି ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜୁ ଜନତା ଦଳ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ସରକାରଙ୍କ କ୍ରୀଡ଼ା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଏମିତି କ’ଣ ଘଟିଲା ଯେ, ହକି ଇଣ୍ଡିଆ ଓଡ଼ିଶା ହକି ଆସୋସିଏସନକୁ ଏଭଳି ନୋଟିସ୍‌ ଜାରି କରିବାକୁ ବାଧ୍ୟ ହେଲା ବୋଲି ଦଳ ପ୍ରଶ୍ନ କରିଛି।

ବିଜେଡି ଅଭିଯୋଗ କରିଛି ଯେ, ଏହି ଘଟଣା ରାଜ୍ୟ ବିଜେପି ସରକାରଙ୍କ ଅପାରଗତା ଓ କ୍ରୀଡ଼ା କ୍ଷେତ୍ରରେ ଅବହେଳାକୁ ପଦାରେ ପକାଇଛି। ଯେଉଁ ଓଡ଼ିଶା ଦିନେ ବିଶ୍ୱ ହକିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା, ସେହି ରାଜ୍ୟର ହକି ଆସୋସିଏସନ ଏବେ ସଦସ୍ୟତା ମାନ୍ୟତାକୁ ନେଇ ପ୍ରଶ୍ନର ସମ୍ମୁଖୀନ ହେବା ଚିନ୍ତାଜନକ ବୋଲି ଦଳ କହିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶା ଦୁଇ ଦୁଇ ଥର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରି ବିଶ୍ୱସ୍ତରରେ ପ୍ରଶଂସା ସାଉଁଟିଥିଲା। ୨୦୧୮ ଓ ୨୦୨୩ରେ ହକି ବିଶ୍ୱକପ୍‌ ଆୟୋଜନ ସହ ଭାରତୀୟ ହକିର ପ୍ରାୟୋଜକ ଭାବେ ମଧ୍ୟ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ହକିର ବିକାଶ ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କଥା ବିଜେଡି ଉଲ୍ଲେଖ କରିଛି।

ଏଭଳି ଗୌରବମୟ ଇତିହାସ ଥିବା ଓଡ଼ିଶା ହକି ଆସୋସିଏସନକୁ ହକି ଇଣ୍ଡିଆ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବା ରାଜ୍ୟ ପାଇଁ ଉଦ୍‌ବେଗର ବିଷୟ ବୋଲି ବିଜେଡି କହିଛି।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଜେଡି ଦାବି କରିଛି। ଓଡ଼ିଶା ହକି ଆସୋସିଏସନର ସ୍ଥାୟୀ ସଦସ୍ୟ ମାନ୍ୟତା ବଜାୟ ରଖିବା ସହ ରାଜ୍ୟର ହକି ପରମ୍ପରା ଓ ସମ୍ମାନକୁ ସୁରକ୍ଷିତ କରିବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଦାବି କରିଛି।

ତେବେ ହକି ଇଣ୍ଡିଆର ନୋଟିସ୍‌ ପଛରେ ପ୍ରକୃତ କାରଣ କ’ଣ ଏବଂ ଏହାକୁ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *