Uncategorized ରାଜ୍ୟ ଲାଇଫ ଷ୍ଟାଇଲ ସ୍ୱାସ୍ଥ୍ୟ

ମ୍ୟାଲେରିଆ ନେଇ ରାଜ୍ୟରେ ଚିନ୍ତା ବଢ଼ିଲା: ମାଲକାନଗିରି ଉପରେ ବିଶେଷ ନଜର, ସମସ୍ତ ବ୍ଲକରେ ହେବ ସମୀକ୍ଷା

Spread the love

ଭୁବନେଶ୍ୱର, ୨୯ ଅଗଷ୍ଟ ୨୦୨୬: ଓଡ଼ିଶାରେ ବଢ଼ୁଥିବା ମ୍ୟାଲେରିଆ ସ୍ଥିତିକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ଭେକ୍ଟରଜନିତ ରୋଗର ନିୟନ୍ତ୍ରଣ ସମ୍ପର୍କିତ ରାଜ୍ୟ ବୈଷୟିକ ଟାସ୍କଫୋର୍ସର ବୈଠକ ଆଜି ଖାରବେଳ ଭବନରେ ଅନୁଷ୍ଠିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଅଶ୍ୱତୀ ଏସ୍.ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟର ବର୍ତ୍ତମାନ ମ୍ୟାଲେରିଆ ସ୍ଥିତି ଓ ନିରାକରଣ ପଦକ୍ଷେପର ସମୀକ୍ଷା କରାଯାଇଛି।

ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ (ଭେକ୍ଟରଜନିତ ରୋଗ) ଡା. ଶୁଭାଶିଷ ମହାନ୍ତି ରାଜ୍ୟର ମ୍ୟାଲେରିଆ ସ୍ଥିତି, କାର୍ଯ୍ୟକ୍ରମର ଅଗ୍ରଗତି ଓ ରହିଥିବା ଚ୍ୟାଲେଞ୍ଜ ଉପରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ। ଜିଲ୍ଲାୱାରୀ ମ୍ୟାଲେରିଆ ମାମଲା, ଅଧିକ ପ୍ରଭାବିତ ଅଞ୍ଚଳରେ ନିରୀକ୍ଷଣ ଏବଂ ତ୍ୱରିତ ପ୍ରତିକ୍ରିୟାକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି।

ମାଲକାନଗିରି ଉପରେ ବିଶେଷ ନଜର: ମ୍ୟାଲେରିଆ ମାମଲା ସଂଖ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଅତିରିକ୍ତ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ ଟିମ୍ ମାଲକାନଗିରି ଗସ୍ତ କରି ସମସ୍ତ ବ୍ଲକରେ କ୍ଷେତ୍ରସ୍ତରୀୟ ସମୀକ୍ଷା କରିବ। ମ୍ୟାଲେରିଆ ସ୍ଥିତିର ଆକଳନ ସହ କାର୍ଯ୍ୟକ୍ରମ ରୂପାୟଣରେ ଥିବା ଅଭାବ ଚିହ୍ନଟ କରି ବ୍ଲକୱାରୀ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ।

ଏହାସହ ମ୍ୟାଲେରିଆର ପ୍ରତିରୋଧ, ନିରୀକ୍ଷଣ, ଶୀଘ୍ର ନିଦାନ, ଚିକିତ୍ସା ଓ ତ୍ୱରିତ ପ୍ରତିକ୍ରିୟାକୁ ଆହୁରି ଦୃଢ଼ କରାଯିବ। ଏହି ସମୀକ୍ଷା ପରେ ଏକ ବିସ୍ତୃତ ରିପୋର୍ଟ ସ୍ୱାସ୍ଥ୍ୟ ସଚିବଙ୍କ ନିକଟରେ ଦାଖଲ କରାଯିବ।

ମ୍ୟାଲେରିଆ କାର୍ଯ୍ୟକ୍ରମର ରୂପାୟଣ ଓ ନିରୀକ୍ଷଣରେ ସମ୍ପୃକ୍ତ ସମସ୍ତ ସହଯୋଗୀ ସଂସ୍ଥା ଓ ଏଜେନ୍ସିଙ୍କ ପାଇଁ ରାଜ୍ୟ ଅନୁମୋଦିତ ଏକୀକୃତ ମନିଟରିଂ ଫର୍ମାଟ୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।

ଜନଜାତି ଆବାସିକ ବିଦ୍ୟାଳୟରେ ମଧ୍ୟ ବିଶେଷ ପଦକ୍ଷେପ: ମ୍ୟାଲେରିଆ ପ୍ରବଣ ଓ ସୀମାନ୍ତ ଅଞ୍ଚଳରେ ଥିବା ଜନଜାତି ଆବାସିକ ବିଦ୍ୟାଳୟଗୁଡ଼ିକରେ ପ୍ରତିରୋଧମୂଳକ ବ୍ୟବସ୍ଥା ସୁଦୃଢ଼ କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମ୍ୟାଲେରିଆର ଶୀଘ୍ର ନିଦାନ ଓ ସମୟୋପଯୋଗୀ ଚିକିତ୍ସା ସୁନିଶ୍ଚିତ କରିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦେବା ଉପରେ ଆଲୋଚନା ହୋଇଛି।

ରାଜ୍ୟର ବର୍ତ୍ତମାନ ସ୍ଥିତି ଓ କାର୍ଯ୍ୟକ୍ରମ ରୂପାୟଣରେ ଥିବା ଚ୍ୟାଲେଞ୍ଜକୁ ନେଇ ଏକ ରାଜ୍ୟସ୍ତରୀୟ ବୈଷୟିକ ଦଳ ଗଠନ କରାଯିବ। ଏଥିରେ ଭୁବନେଶ୍ୱର ଆରଏମଆରସି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସିନିୟର ରିଜିଓନାଲ ଡାଇରେକ୍ଟରଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟର ବୈଷୟିକ ବିଶେଷଜ୍ଞମାନେ ସାମିଲ ହେବେ।

ଏହି ଦଳ ରାଜ୍ୟରେ ପ୍ରଚଳିତ ମ୍ୟାଲେରିଆ ନିର୍ଦ୍ଦେଶାବଳୀ ଓ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ପ୍ରମାଣଭିତ୍ତିକ ପଦକ୍ଷେପ ଓ ଅଧିକ ପ୍ରଭାବିତ ଅଞ୍ଚଳରେ ତ୍ୱରିତ ପ୍ରତିକ୍ରିୟାକୁ ଗୁରୁତ୍ୱ ଦେଇ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବ।

ମ୍ୟାଲେରିଆ ମାମଲା ଓ ମୃତ୍ୟୁ ରୋକିବା ସହ ଓଡ଼ିଶାର ମ୍ୟାଲେରିଆ ନିରାକରଣ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟ ସହଯୋଗୀ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ଆବଶ୍ୟକ ବୋଲି ଟାସ୍କଫୋର୍ସ ଗୁରୁତ୍ୱାରୋପ କରିଛି।

ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ ଡା. ବୃନ୍ଦା ଡି., ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *