Uncategorized

ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଦେବେ ଓଡ଼ିଶା ସରକାର

Spread the love

ଭୁବନେଶ୍ୱର, ୨୯ ଅଗଷ୍ଟ ୨୦୨୬: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସରକାରୀ ସେବାରେ କାର୍ଯ୍ୟରତ ପୋଷ୍ଟ-ଗ୍ରାଜୁଏଟ୍ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ପ୍ରୋତ୍ସାହନ ଘୋଷଣା କରାଯାଇଛି। ଏଣିକି ଯୋଗ୍ୟ ଦନ୍ତ ଚିକିତ୍ସକମାନଙ୍କୁ ପ୍ରତିମାସ ୨୦,୦୦୦ ଟଙ୍କା ପ୍ରୋତ୍ସାହନ ମିଳିବ।

ଓଡ଼ିଶା ମେଡିକାଲ ସର୍ଭିସେସ୍ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଏବଂ ଏନ୍‌ଏମ୍‌ସି ସ୍ୱୀକୃତ ମେଡିକାଲ କଲେଜରୁ ପୋଷ୍ଟ-ଗ୍ରାଜୁଏସନ୍ ଯୋଗ୍ୟତା ହାସଲ କରିଥିବା ଦନ୍ତ ଚିକିତ୍ସକମାନେ ଏହି ପ୍ରୋତ୍ସାହନ ପାଇବେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁସାରେ, ୨୯ ଅଗଷ୍ଟ ୨୦୨୬ ଠାରୁ ଏହି ପ୍ରୋତ୍ସାହନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପୋଷ୍ଟ-ଗ୍ରାଜୁଏଟ୍ ଦନ୍ତ ଚିକିତ୍ସକମାନଙ୍କୁ ସରକାରୀ ସେବା ପ୍ରତି ଅଧିକ ଉତ୍ସାହିତ କରିବା ସହ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିଶେଷଜ୍ଞ ଦନ୍ତ ଚିକିତ୍ସା ସେବାକୁ ମଜବୁତ କରିବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପ ନେଇଥିବା ମନ୍ତ୍ରୀ କହିଛନ୍ତି।

ଅର୍ଥ ବିଭାଗର ସମ୍ମତି ମିଳିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ନୋଟିଫିକେସନ୍ ଜାରି କରାଯାଇଛି। ଏହି ନିଷ୍ପତ୍ତି ଫଳରେ ସରକାରୀ ସ୍ୱାସ୍ଥ୍ୟସେବାରେ ବିଶେଷଜ୍ଞ ଦନ୍ତ ଚିକିତ୍ସକଙ୍କ ଉପଲବ୍ଧତା ବଢ଼ିବା ସହ ରୋଗୀଙ୍କୁ ଉନ୍ନତ ଦନ୍ତ ଚିକିତ୍ସା ସେବା ମିଳିବାର ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *