Business Economy ଅର୍ଥନୀତି ବାଣିଜ୍ୟ ରାଜ୍ୟ ସ୍ୱାସ୍ଥ୍ୟ

ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗର ବ୍ୟାପକ ଯାଞ୍ଚ I

Spread the love

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ଅଭିଯାନ ଜାରି ରହିଛି। ଖାଦ୍ୟ ସୁରକ୍ଷା କମିଶନର ଡ. ପୋମା ଟୁଡୁଙ୍କ ତତ୍ତ୍ୱାବଧାନରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ପୌରାଞ୍ଚଳରେ ଥିବା ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରାଯାଉଛି।

ଯାଞ୍ଚ ସମୟରେ ଅପମିଶ୍ରିତ ଓ ଖରାପ ଖାଦ୍ୟ ସାମଗ୍ରୀ ଚିହ୍ନଟ ହେଲେ ସେଗୁଡ଼ିକୁ ନଷ୍ଟ କରାଯିବା ସହ ସମ୍ପୃକ୍ତ ପ୍ରତିଷ୍ଠାନ ବିରୋଧରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଜି ସୁଦ୍ଧା ଏହି ଅଭିଯାନରେ ମୋଟ ୩,୬୦୫ କିଲୋଗ୍ରାମ ଖରାପ ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ୪୭୫ଟି ଖାଦ୍ୟ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ଏଥିସହ ମୋଟ ୨ ଲକ୍ଷ ୮୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ଭୁବନେଶ୍ୱର ବିଏମ୍‌ସି ଅଞ୍ଚଳରେ ସର୍ବାଧିକ ୭୮୭ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ୬୧ଟି ନମୁନା ସଂଗ୍ରହ କରାଯାଇଛି ଏବଂ ୬୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି କଟକ କେଏମ୍‌ସି ଅଞ୍ଚଳରେ ୫୭୦ କିଲୋଗ୍ରାମ ଏବଂ ରାଉରକେଲା ଆର୍‌ଏମ୍‌ସି ଅଞ୍ଚଳରେ ୧୨୩ କିଲୋଗ୍ରାମ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଛି।

ଜିଲ୍ଲାସ୍ତରରେ ମଧ୍ୟ ଜୋରଦାର ଯାଞ୍ଚ ଅଭିଯାନ ଚାଲିଛି। ପୁରୀରେ ୧୨୦ କିଲୋଗ୍ରାମ, ବାଲେଶ୍ୱରରେ ୯୮ କିଲୋଗ୍ରାମ, ଢେଙ୍କାନାଳରେ ୯୫ କିଲୋଗ୍ରାମ, କେନ୍ଦ୍ରାପଡ଼ାରେ ୯୫ କିଲୋଗ୍ରାମ ଏବଂ ସୁନ୍ଦରଗଡ଼ରେ ୭୦ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଛି। ଏଥିସହ କେନ୍ଦ୍ରାପଡ଼ାରେ ୪୪ ହଜାର ଟଙ୍କା, ଢେଙ୍କାନାଳରେ ୨୮ ହଜାର ଟଙ୍କା ଏବଂ ଭଦ୍ରକରେ ୩୧ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ଏହି ଅଭିଯାନ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ସହ ଖାଦ୍ୟ ବ୍ୟବସାୟୀମାନଙ୍କ ମଧ୍ୟରେ ଖାଦ୍ୟ ସୁରକ୍ଷା ମାନଦଣ୍ଡ ପ୍ରତି ସଚେତନତା ବୃଦ୍ଧି ଉପରେ ବିଭାଗ ଗୁରୁତ୍ୱ ଦେଉଛି।

ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଓ ନିରୀକ୍ଷଣ ଅଭିଯାନ ଜାରି ରହିବ। ଖାଦ୍ୟ କିଣିବା ସମୟରେ ଏହାର ଗୁଣବତ୍ତା, ପରିଷ୍କାର-ପରିଚ୍ଛନ୍ନତା ଏବଂ ଲେବେଲିଂ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ଉପଭୋକ୍ତାମାନଙ୍କୁ ସଚେତନ କରାଯାଇଛି।

Leave a Reply

Your email address will not be published. Required fields are marked *