୧୦ଟି ପ୍ରସଙ୍ଗରେ ହେବ ଆଲୋଚନା, ଆସନ୍ତା ୩ ମାସ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍
କଟକ: କଟକରେ ଆରମ୍ଭ ହୋଇଛି ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ମନମୋହନ ସାମଲଙ୍କ ଦଳୀୟ ସଭାପତି ଭାବେ ଦ୍ୱିତୀୟ ଇନିଂସ୍ ଆରମ୍ଭ ପରେ ଏହା ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ଦଳର ସାଂଗଠନିକ ସ୍ଥିତି, ସରକାରଙ୍କ ବିଭିନ୍ନ ଯୋଜନା ଓ ଆଗାମୀ ଦିନର ରାଜନୈତିକ ରଣନୀତି ସମେତ ପ୍ରାୟ ୧୦ଟି ପ୍ରସଙ୍ଗରେ ଆଲୋଚନା ହେବ।
ବୈଠକର ପ୍ରଥମ ଦିନରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ସହ ପ୍ରଥମ ପର୍ଯ୍ୟାୟର ବୈଠକ ଅନୁଷ୍ଠିତ ହୋଇଛି। ବିଜେପିର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ସୁନୀଲ ବଂଶଲ ପ୍ରଥମ ପର୍ଯ୍ୟାୟ ବୈଠକ ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ସମାପନୀ ଉତ୍ସବରେ ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାସଚିବ ବି.ଏଲ୍. ସନ୍ତୋଷ ଯୋଗଦେଇ ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଯୋଗଦେବେ।
ବୈଠକ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଦଳୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ବିଷୟକୁ ନେଇ ବିସ୍ତୃତ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷର ଶାସନକାଳରେ କେନ୍ଦ୍ର ସରକାର ହାସଲ କରିଥିବା ବିଭିନ୍ନ ସଫଳତା ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆସିଥିବା ସେ ସୂଚନା ଦେଇଛନ୍ତି।
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେତେଦୂର ସଫଳ ହୋଇଛି ଏବଂ ଆଗକୁ ଆଉ କଣ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ମାନସମନ୍ଥନ କରାଯିବ। ଏହାସହ ଆସନ୍ତା ୩ ମାସ ପାଇଁ ଦଳ ଓ ସରକାରଙ୍କ କାର୍ଯ୍ୟକ୍ରମର ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଆସନ୍ତାକାଲି ଜିଲ୍ଲା ସଭାପତି ଓ ଜିଲ୍ଲା ପଦାଧିକାରୀଙ୍କ ସହ ବୈଠକ କରାଯାଇ ବିଭିନ୍ନ ଜିଲ୍ଲାର ସାଂଗଠନିକ ରିପୋର୍ଟ ତଲବ କରାଯିବ। ତୃଣମୂଳ ସ୍ତରରେ ଦଳକୁ ଆହୁରି ମଜବୁତ କରିବା ସହ ସାଂଗଠନିକ କାର୍ଯ୍ୟକଳାପକୁ କିପରି ଅଧିକ ସକ୍ରିୟ କରାଯିବ, ସେନେଇ ମଧ୍ୟ ଆଲୋଚନା ହେବ।
ବୈଠକର ଦ୍ୱିତୀୟ ସତ୍ରରେ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ହେବ। ରାଜ୍ୟର ବର୍ତ୍ତମାନର ରାଜନୈତିକ ପରିସ୍ଥିତି, ଦଳର ଆଗାମୀ ରଣନୀତି ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ନେତା ଓ ପଦାଧିକାରୀମାନେ ମତ ରଖିବେ।
ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଆଗାମୀ ଦିନରେ ଦଳର ସାଂଗଠନିକ ଭିତ୍ତିକୁ ଆହୁରି ମଜବୁତ କରିବା ଏହି ଦୁଇଦିନିଆ ବୈଠକର ମୁଖ୍ୟ ଫୋକସ୍ ରହିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
