ରାଜନୀତି ରାଜ୍ୟ

ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-କଂଗ୍ରେସର ପ୍ରତିକ୍ରିୟା: ‘ନିର୍ବାଚନ ପାଇଁ ପ୍ରସ୍ତୁତ’, ତାରିଖ ଘୁଞ୍ଚାଇବାକୁ ନେଇ ପ୍ରଶ୍ନ

Spread the love

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ଠିକ୍ ସମୟରେ କରିବାକୁ ବିଜେଡି ଦାବି କରିଥିବାବେଳେ, କଂଗ୍ରେସ ମଧ୍ୟ ନିର୍ବାଚନକୁ ସ୍ୱାଗତ କରିବା ସହ ତାରିଖ ଘୁଞ୍ଚାଇବାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି।

ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଦଳ ପଞ୍ଚାୟତ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ରହିଛି। ସରକାର ଠିକ୍ ସମୟରେ ନିର୍ବାଚନ କରନ୍ତୁ ବୋଲି ସେ କହିଛନ୍ତି। ଗାଁ ଗଣ୍ଡାର ସମସ୍ୟାକୁ ନେଇ ବିଜେଡି ନିର୍ବାଚନ ଲଢ଼ିବ ବୋଲି ମଧ୍ୟ ସେ ଦାବି କରିଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଯୋଗ ଅନୁସାରେ, ଗାଁରେ ବିଭିନ୍ନ ସ୍ତରରେ ସରକାର ବିଫଳ ହୋଇଛନ୍ତି। ଲୋକେ ହଇରାଣ ହେଉଥିବା ସହ ସରକାରୀ କର୍ମଚାରୀମାନେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି। ଭତ୍ତା ପ୍ରଦାନରେ ମଧ୍ୟ ସରକାର ବିଫଳ ହେଉଥିବା ଅଭିଯୋଗ କରି ସେ କହିଛନ୍ତି ଯେ, ସରକାର କେବଳ ଘୋଷଣା କରୁଛନ୍ତି। ଲୋକଙ୍କ ସହ ବିଜେଡି ଥିଲା, ଅଛି ଓ ଆଗକୁ ମଧ୍ୟ ରହିବ ବୋଲି ସେ କହିଛନ୍ତି। ( ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ବିଧାୟକ)

ଅନ୍ୟପଟେ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ପଞ୍ଚାୟତ ନିର୍ବାଚନକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଯଦି ପଞ୍ଚାୟତ ନିର୍ବାଚନ ହୁଏ ତେବେ କଂଗ୍ରେସ ଏହାକୁ ସ୍ୱାଗତ କରିବ। ତିନି ତିନି ଥର ନିର୍ବାଚନ ତାରିଖ ଘୁଞ୍ଚାଯାଇଥିବା ଅଭିଯୋଗ କରି ଶୀଘ୍ର ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି।

ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିର୍ବାଚିତ ହେବାର ସୁଯୋଗ ଦେବା ସହ ସେମାନଙ୍କ ସ୍ୱାଧୀନତା ଫେରାଇବାକୁ ସୁରେଶ ରାଉତରାୟ କହିଛନ୍ତି। ମାର୍ଚ୍ଚରେ ପଞ୍ଚାୟତ ଓ ଏପ୍ରିଲରେ ପୌର ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି।

କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଦାବି କରି ସେ କହିଛନ୍ତି ଯେ, ପ୍ରତି ଗାଁ ଓ ପୌରାଞ୍ଚଳରୁ କର୍ମୀମାନେ ଦଳ ସହ ଯୋଡ଼ି ହେଉଛନ୍ତି। ସରକାରଙ୍କୁ ଟାର୍ଗେଟ କରି ଦୁଇ ବର୍ଷ ମଧ୍ୟରେ ସରକାର କିଛି କରିନାହାନ୍ତି ଏବଂ ଏହି କାରଣରୁ ବାରମ୍ବାର ନିର୍ବାଚନ ତାରିଖ ଘୁଞ୍ଚାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।( ସୁରେଶ ରାଉତରାୟ, ବରିଷ୍ଠ କଂଗ୍ରେସ ନେତା )

ପଞ୍ଚାୟତ ନିର୍ବାଚନକୁ ନେଇ ଉଭୟ ଦଳର ଏହି ପ୍ରତିକ୍ରିୟା ପରେ ରାଜ୍ୟ ରାଜନୀତିରେ ନିର୍ବାଚନୀ ତାତି ବଢ଼ିବାର ସଙ୍କେତ ମିଳିଛି। ଏବେ ନିର୍ବାଚନ କେବେ ହେବ ଏବଂ ଏନେଇ ସରକାରଙ୍କ ପକ୍ଷରୁ କି ନିଷ୍ପତ୍ତି ନିଆଯିବ, ତା’ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *