ଜାତୀୟ ସଂସ୍କୃତି

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ CEO!

Spread the love

ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ପରିଚାଳନାକୁ ଅଧିକ ବୃତ୍ତିଗତ ଏବଂ ସ୍ୱଚ୍ଛ କରିବା ଦିଗରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏକ ବଡ଼ ପଦକ୍ଷେପ ନେଇଛି । ମନ୍ଦିର ପ୍ରଶାସନ ପାଇଁ ପ୍ରଥମ ଥର ପାଇଁ ସୃଷ୍ଟି କରାଯାଇଥିବା ମୁଖ୍ୟ ନିର୍ବାହୀ ଅଧିକାରୀ ପଦବୀ ପାଇଁ ଯୋଗ୍ୟତା ମାପଦଣ୍ଡ ଚୂଡ଼ାନ୍ତ ହୋଇଛି । ଏଥିପାଇଁ ଆସନ୍ତା ଜୁଲାଇ ୧୮ ତାରିଖ ସୁଦ୍ଧା ଆବେଦନ ପତ୍ର ଆହ୍ୱାନ କରାଯାଇଛି ।

ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ଚ୍ଚ କମିଟି ବୈଠକରେ ଏହି ପଦବୀ ପାଇଁ ଆବଶ୍ୟକ କଡ଼ା ନିୟମ ଓ ଯୋଗ୍ୟତା ସ୍ଥିର କରାଯାଇଛି। ଆବେଦନକାରୀ ଯେକୌଣସି ବିଷୟରେ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ ଏବଂ ପ୍ରଶାସନ କିମ୍ବା ଆର୍ଥିକ ପରିଚାଳନା କ୍ଷେତ୍ରରେ ଅତିକମରେ ୨୦ ବର୍ଷର କାର୍ଯ୍ୟାନୁଭବ ଥିବା ଦରକାର । ପୂର୍ବରୁ କୌଣସି ବଡ଼ ମନ୍ଦିର କିମ୍ବା ଧାର୍ମିକ ଅନୁଷ୍ଠାନର ପରିଚାଳନା ଭାର ସମ୍ଭାଳିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରାର୍ଥୀ ଜଣକ ସନାତନ ହିନ୍ଦୁ ଧର୍ମ ପ୍ରତି ଗଭୀର ବିଶ୍ୱାସ ରଖିଥିବା ସହ ପ୍ରଭୁ ଶ୍ରୀରାମଙ୍କର ଜଣେ ପରମ ଭକ୍ତ ହୋଇଥିବା ଆବଶ୍ୟକ । ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଏକ ୩ ଜଣିଆ ସର୍ଚ୍ଚ କମିଟି ଗଠନ କରାଯାଇଛି ।

ଏଥିରେ ଅବସରପ୍ରାପ୍ତ ବିଚାରପତି ପ୍ରଦୀପ କୋହଲି, ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ବିଶ୍ୱକାନ୍ତ ଚତୁର୍ବେଦୀ ଏବଂ ଶିରିଡ଼ି ସାଇ ସଂସ୍ଥାନର ପୂର୍ବତନ ସିଇଓ ସୁରେଶ ହାୱାରେ ସାମିଲ ଅଛନ୍ତି । କମିଟି ଆବେଦନଗୁଡ଼ିକୁ ଯାଞ୍ଚ କରି ଶର୍ଟଲିଷ୍ଟ ପ୍ରସ୍ତୁତ କରିବ ଏବଂ ଇଣ୍ଟରଭ୍ୟୁ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଟ୍ରଷ୍ଟକୁ ସୁପାରିଶ କରିବ । ଆବେଦନ ପାଇଁ ଏକ ସ୍ୱତନ୍ତ୍ର ଇମେଲ୍ ଆଇଡି ମଧ୍ୟ ଜାରି କରାଯାଉଛି । ନିଯୁକ୍ତ ହେବାକୁ ଥିବା ସିଇଓଙ୍କ ପ୍ରାଥମିକ କାର୍ଯ୍ୟକାଳ ୩ ବର୍ଷ ରହିବ ଏବଂ ତାଙ୍କୁ ଅଯୋଧ୍ୟାରେ ହିଁ ରହିବାକୁ ପଡ଼ିବ ।

ମନ୍ଦିରକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଆର୍ଥିକ ସ୍ୱଚ୍ଛତା, ମାନବ ସମ୍ବଳ ପରିଚାଳନା, ଦାନ ସାମଗ୍ରୀର ସଠିକ୍ ହିସାବ ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସିଇଓଙ୍କ ଉପରେ ନ୍ୟସ୍ତ ରହିବ । ନିକଟରେ ରାମ ମନ୍ଦିର ଟ୍ରଷ୍ଟରେ ଆର୍ଥିକ ଅନିୟମିତତାକୁ ନେଇ କିଛି ଅଭିଯୋଗ ଆସିବା ପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ବଜାୟ ରଖିବା ପାଇଁ ଟ୍ରଷ୍ଟ ଏହି ବଡ଼ ସଂସ୍କାର ଆଣିଛି । ଏହା ପୂର୍ବରୁ କିଛି ବରିଷ୍ଠ ପଦାଧିକାରୀଙ୍କ ଇସ୍ତଫା ଗ୍ରହଣ କରାଯାଇ ସାରିଛି ଏବଂ କାର୍ଯ୍ୟ ସୁଚାରୁରୂପେ ଚଲାଇବା ପାଇଁ ଜଣେ ଅନ୍ତରୀଣ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *