ରାଜନୈତିକ ଆକ୍ଷେପ ନୁହେଁ, ଯୁକ୍ତି ଓ ତଥ୍ୟ ଆଧାରରେ ଆଲୋଚନା କରୁ ବିଜେପି: ବିଜେଡି ଉପସଭାପତି
ଭୁବନେଶ୍ୱର: ସିଜେପି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ଦୁର୍ଭାଗ୍ୟଜନକ। ରାଜନୈତିକ ମତଭେଦ ଥିଲେ ମଧ୍ୟ ବ୍ୟକ୍ତିଗତ ଆକ୍ଷେପ ପରିବର୍ତ୍ତେ ଯୁକ୍ତି ଓ ତଥ୍ୟ ଆଧାରରେ ଆଲୋଚନା କରିବା ଉଚିତ। ଏଭଳି ମତ ପ୍ରକାଶ କରି ବିଜେପି ରାଜ୍ୟ ନେତୃତ୍ୱକୁ ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା।
ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ ରଖାଯିବା ଘଟଣା ଗଣତାନ୍ତ୍ରିକ ଅଧିକାର ଏବଂ ମତପ୍ରକାଶର ସ୍ୱାଧୀନତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ବୋଲି ସେ କହିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟ ସାମ୍ନାକୁ ଆସିବା ଆବଶ୍ୟକ। ଗଣତନ୍ତ୍ରରେ ଆଇନର ଶାସନ ଓ ନାଗରିକଙ୍କ ଅଧିକାରର ସୁରକ୍ଷା ସର୍ବୋପରି ବୋଲି ସେ ମତ ଦେଇଛନ୍ତି।
ସିଜେପି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମାଲୋଚନାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସଞ୍ଜୟ ଦାସବର୍ମା। ଜଣେ ବିରୋଧୀ ଦଳ ନେତାଙ୍କ ମତ ସହ ଅସହମତ ହେବା ସରକାରୀ ଦଳର ଅଧିକାର। କିନ୍ତୁ ଏହାର ଜବାବ ଯୁକ୍ତି ଓ ତଥ୍ୟ ମାଧ୍ୟମରେ ଦେବା ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ଷେପ କରିବା ଗଣତାନ୍ତ୍ରିକ ଶିଷ୍ଟାଚାର ସହ ସମଞ୍ଜସ ନୁହେଁ ବୋଲି ସେ କହିଛନ୍ତି।
ନବୀନ ପଟ୍ଟନାୟକଙ୍କୁ ଦିଗହରା କହିବା ପୂର୍ବରୁ ରାଜ୍ୟ ସରକାର ନିଜର ନୀତି ଓ ଆଭିମୁଖ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟ ଉତ୍ତର ଦେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଛନ୍ତି। ଗଣତନ୍ତ୍ରରେ ବିରୋଧୀ ଦଳର ଦାୟିତ୍ୱ ହେଉଛି ସରକାରଙ୍କୁ ପ୍ରଶ୍ନ କରିବା, ନୀତିର ସମୀକ୍ଷା କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା କରିବା। ଏହାକୁ ଦେଶବିରୋଧୀ ମାନସିକତା ସହ ଯୋଡ଼ିବା ଗଣତାନ୍ତ୍ରିକ ମତଭେଦ ପ୍ରତି ଅସହିଷ୍ଣୁତାକୁ ଦର୍ଶାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ଦେଶପ୍ରେମର ପ୍ରମାଣପତ୍ର ବାଣ୍ଟିବା କୌଣସି ରାଜନୈତିକ ଦଳର ଏକଚାଟିଆ ଅଧିକାର ନୁହେଁ ବୋଲି ଉଲ୍ଲେଖ କରି ସଞ୍ଜୟ ଦାସବର୍ମା କହିଛନ୍ତି ଯେ, କୌଣସି ନେତାଙ୍କ ମତ ସହ ଅସହମତି ଥିଲେ ତାହାର ଜବାବ ତଥ୍ୟ ଓ ଯୁକ୍ତିରେ ଦିଆଯିବା ଉଚିତ। ରାଜନୈତିକ ଫାଇଦା ପାଇଁ ଜାତୀୟତାବାଦକୁ ଆଧାର କରି ବିରୋଧୀଙ୍କୁ ଟାର୍ଗେଟ୍ କରିବା ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି।
ଏହା ସହ ଭୋଟର ତାଲିକା ଓ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ୧୩ କୋଟି ଭାରତୀୟ ଏବଂ ୨୭ ଲକ୍ଷ ଓଡ଼ିଆ ଭୋଟ ଦେବାରୁ ବଞ୍ଚିତ ହୋଇଥିବା ଦାବିକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାର ସୁରକ୍ଷିତ ରହିବା ଆବଶ୍ୟକ। ଭୋଟର ତାଲିକାର ସଠିକତା ଓ ସ୍ୱଚ୍ଛତା ନିଶ୍ଚିତ କରିବା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଛନ୍ତି।
ରାଜ୍ୟର ମୂଳ ସମସ୍ୟା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, ଓଡ଼ିଶାବାସୀ ରାଜନୈତିକ ବୟାନବାଜି ପରିବର୍ତ୍ତେ ରୋଜଗାର, ଚାଷୀଙ୍କ ସମସ୍ୟା, ମହିଳାଙ୍କ ସୁରକ୍ଷା, ଯୁବପିଢ଼ିଙ୍କ ଭବିଷ୍ୟତ ଓ ରାଜ୍ୟର ବିକାଶ ଭଳି ପ୍ରସଙ୍ଗରେ ଉତ୍ତର ଆଶା କରୁଛନ୍ତି। ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପରିବର୍ତ୍ତେ ସରକାର ନିଜର କାର୍ଯ୍ୟ ଓ ନୀତିର ହିସାବ ଦେବା ଉଚିତ ବୋଲି ସେ କହିଛନ୍ତି।
ଶେଷରେ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଗଣତନ୍ତ୍ରରେ ସରକାର ଓ ବିରୋଧୀ ପରସ୍ପରର ଶତ୍ରୁ ନୁହନ୍ତି; ଉଭୟେ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ। ତେଣୁ ବ୍ୟକ୍ତିଗତ ଆକ୍ଷେପ ଓ ରାଜନୈତିକ ବୟାନବାଜି ବଦଳରେ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଖୋଲା ଓ ତଥ୍ୟଭିତ୍ତିକ ଆଲୋଚନା ହେବା ଆବଶ୍ୟକ। ନେତାଙ୍କ ବୟାନ ନୁହେଁ, ବରଂ ସେମାନଙ୍କ କାର୍ଯ୍ୟ ଓ ନୀତି ହିଁ ଜନସାଧାରଣଙ୍କ ବିଶ୍ୱାସର ପ୍ରକୃତ ମାପକାଠି ବୋଲି ସେ ମତ ପ୍ରକାଶ କରିଛନ୍ତି।
