Business Economy ଅର୍ଥନୀତି ଅର୍ନ୍ତଜାତୀୟ ଜାତୀୟ ରାଜନୀତି ରାଜ୍ୟ

ଏମଏମଡିଆର ସଂଶୋଧନକୁ ନେଇ ବିଜେଡିକୁ ବିଜେପିର କାଉଣ୍ଟର

Spread the love

‘ରାଜ୍ୟ କୌଣସି କ୍ଷମତା ହରାଇନି, ସର୍ତ୍ତ ସହ ଟ୍ୟାକ୍ସ ଲଗାଇପାରିବ’ — ଅମର ପଟ୍ଟନାୟକ

ଭୁବନେଶ୍ୱର: ଏମଏମଡିଆର ଆଇନରେ ସଂଶୋଧନକୁ ନେଇ ବିଜେଡିର ଅଭିଯୋଗର ଜବାବ ଦେଇଛି ବିଜେପି। ଏହି ସଂଶୋଧନ ଦ୍ୱାରା ରାଜ୍ୟର କ୍ଷମତା କମିନାହିଁ ବରଂ ସମଗ୍ର ଦେଶରେ ଖଣିଜ କ୍ଷେତ୍ର ପାଇଁ ଏକ ସମାନ ନିୟମ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଜେପି ନେତା ଅମର ପଟ୍ଟନାୟକ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅମର କହିଛନ୍ତି, ରାଜ୍ୟ ଚାହିଁଲେ ଟ୍ୟାକ୍ସ ଲଗାଇପାରିବ। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ସର୍ତ୍ତ ପାଳନ କରିବାକୁ ପଡ଼ିବ। ତେଣୁ ରାଜ୍ୟର ସମସ୍ତ କ୍ଷମତା ଛଡ଼ାଇ ନିଆଯାଇଛି ବୋଲି କହିବା ବିଭ୍ରାନ୍ତିକର ଓ ଭ୍ରମାତ୍ମକ ବୋଲି ସେ ଦାବି କରିଛନ୍ତି।

ଅମରଙ୍କ ଯୁକ୍ତି ଅନୁଯାୟୀ, ପୂର୍ବରୁ ରାଜ୍ୟଗୁଡ଼ିକ ଟ୍ୟାକ୍ସ ଲଗାଇବାରେ ସୀମାବଦ୍ଧତା ସ୍ପଷ୍ଟ ନଥିଲା। ଏବେ ସମସ୍ତ ରାଜ୍ୟରେ ଏକ ସମାନ ବ୍ୟବସ୍ଥା ଲାଗୁ କରିବା ପାଇଁ ନୂଆ ପ୍ରାବଧାନ ଅଣାଯାଇଛି। ଅଲଗା ଅଲଗା ରାଜ୍ୟରେ ଭିନ୍ନ ହାରରେ ଟ୍ୟାକ୍ସ ଲାଗିଲେ ଖଣି ଶିଳ୍ପ ଉପରେ ଅତିରିକ୍ତ ଭାର ପଡ଼ିବ ଏବଂ ଏହା ଶିଳ୍ପର ସ୍ଥାୟୀତ୍ୱକୁ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି।

‘ରାୟଲ୍ଟି ଓ DMFରେ ଓଡ଼ିଶାର କ୍ଷତି ହେବନି’

ବିଜେଡି ପକ୍ଷରୁ ଉଠାଯାଉଥିବା ରାଜସ୍ୱ କ୍ଷତି ଅଭିଯୋଗକୁ ମଧ୍ୟ ଅମର ପଟ୍ଟନାୟକ ଖଣ୍ଡନ କରିଛନ୍ତି। ଓଡ଼ିଶା ପୂର୍ବରୁ ଯେଉଁ ରାୟଲ୍ଟି ଓ DMF ଅର୍ଥ ପାଉଛି, ସେଥିରେ ଏହି ସଂଶୋଧନ ଯୋଗୁଁ ଟଙ୍କାଟିଏ ମଧ୍ୟ କମିବ ନାହିଁ ବୋଲି ସେ ଦାବି କରିଛନ୍ତି। DMFରେ ପ୍ରାୟ ୯୦ ପ୍ରତିଶତ ଅର୍ଥ ଓଡ଼ିଶାକୁ ଆସୁଥିବା ନେଇ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଏହାସହ ସଂଶୋଧନ ଫଳରେ ଖଣି କ୍ଷେତ୍ରରେ ନିବେଶ ବଢ଼ିବା ସହ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ ବୋଲି ସେ ଦାବି କରିଛନ୍ତି। ଏକ ରିସର୍ଚ୍ଚ ଅନୁଯାୟୀ ଏହା ରାଜସ୍ୱରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ଆଣିପାରେ ବୋଲି ଅମର କହିଛନ୍ତି।

DMFକୁ ନେଇ ବିଜେଡିକୁ ଘେରିଲା ବିଜେପି

DMF ପାଣ୍ଠିର ବ୍ୟବହାରକୁ ନେଇ ମଧ୍ୟ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ଅମର ପଟ୍ଟନାୟକ କହିଛନ୍ତି, CAG ରିପୋର୍ଟରେ DMF ପାଣ୍ଠିର ବ୍ୟବହାର ନେଇ ଗୁରୁତର ଅନିୟମିତତାର କଥା ଉଲ୍ଲେଖ ରହିଛି। ଯେଉଁ ଅଞ୍ଚଳ ଓ ଯେଉଁ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ ହେବା କଥା, ନିୟମ ଉଲ୍ଲଂଘନ କରି ଅନ୍ୟ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

୨୦୧୫ର ଇ-ନିଲାମ ପ୍ରସଙ୍ଗ ଉଠାଇଲେ ଅମର

ଏମଏମଡିଆର ଆଇନରେ ୨୦୧୫ର ସଂଶୋଧନକୁ ନେଇ ମଧ୍ୟ ଅମର ପଟ୍ଟନାୟକ ବିଜେଡିକୁ ପ୍ରଶ୍ନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଖଣି ବ୍ଲକ୍ ଆବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ଇ-ଆକ୍ସନ ବ୍ୟବସ୍ଥା ଅଣାଯାଇଥିଲା। ଏହା ପୂର୍ବରୁ ଖଣି ଆବଣ୍ଟନରେ ଅନିୟମିତତା ଓ କମ୍ ମୂଲ୍ୟାୟନ ନେଇ ଅଭିଯୋଗ ରହିଥିଲା ବୋଲି ସେ କହିଛନ୍ତି।

ଅମର ଦାବି କରିଛନ୍ତି, ୨୦୧୫ର ଇ-ଆକ୍ସନ ବ୍ୟବସ୍ଥା ପରେ ଓଡ଼ିଶାର ଖଣି ରାଜସ୍ୱରେ ବଡ଼ ବୃଦ୍ଧି ଘଟିଛି। ତାଙ୍କ ଅନୁସାରେ, ଖଣି ରାଜସ୍ୱ ପ୍ରାୟ ୩,୩୦୦ କୋଟି ଟଙ୍କାରୁ ବଢ଼ି ୫୩ ହଜାର କୋଟି ଟଙ୍କା ପାଖାପାଖି ପହଞ୍ଚିଥିଲା।

ଏମଏମଡିଆର ହେଉଛି କେନ୍ଦ୍ରୀୟ ଆଇନ ଏବଂ କେନ୍ଦ୍ର ସରକାର ଆଇନରେ ସଂଶୋଧନ କଲେ ଏହାର ଲାଭ ରାଜ୍ୟକୁ ମିଳିଥାଏ ବୋଲି ଅମର ପଟ୍ଟନାୟକ କହିଛନ୍ତି।

 

Leave a Reply

Your email address will not be published. Required fields are marked *