ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅଧୀକ୍ଷଣ ଯନ୍ତ୍ରୀଙ୍କୁ ହଟାଇ ନୂଆ ନିଯୁକ୍ତି
ଭୁବନେଶ୍ୱର, ୧୧/୯/୨୦୨୬: ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ଆର୍ଥିକ ଅନିୟମିତତା ଏବଂ ସରକାରୀ ଅର୍ଥର ଅପବ୍ୟବହାର ନେଇ ଆସିଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସବୁ ଦିଗକୁ ନେଇ ତଦନ୍ତ କରାଯିବ। ତଦନ୍ତ ରିପୋର୍ଟରେ ଅଭିଯୋଗର ସବିଶେଷ ତଥ୍ୟ ସହ ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ ଦାୟୀ ଥାଆନ୍ତି, ତେବେ ସେମାନଙ୍କ ଦାୟିତ୍ୱ ନିର୍ଦ୍ଧାରଣ ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ସୁପାରିଶ ଦେବାକୁ କୁହାଯାଇଛି।
ସବୁ ଡିଭିଜନ୍ର ହିସାବ ଯାଞ୍ଚ
କେବଳ ଭୁବନେଶ୍ୱର ଡିଭିଜନ୍-୧ ନୁହେଁ, ନିର୍ମାଣ ବିଭାଗର ସମସ୍ତ ଡିଭିଜନ୍ର ଅଡିଟ୍ ହୋଇନଥିବା ହିସାବ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ CCEଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ରିପୋର୍ଟ ଦାଖଲ କରିବାକୁ ସମସ୍ତ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୁହାଯାଇଛି।
ମାମଲାକୁ ଅତ୍ୟନ୍ତ ଜରୁରୀ ଭାବେ ନେଇ ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ କରିବାକୁ ବିଭାଗକୁ ନିର୍ଦ୍ଦେଶ ରହିଛି।
ଅଧୀକ୍ଷଣ ଯନ୍ତ୍ରୀଙ୍କୁ ହଟାଇ ନୂଆ ନିଯୁକ୍ତି
ଅଭିଯୋଗ ଆସିବା ପରେ ନିର୍ମାଣ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ଆଜି ଅପରାହ୍ନରେ ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ କାର୍ଯ୍ୟରତ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସେଠାରୁ ଅପସାରଣ କରିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଛି।
ଦୁର୍ନୀତି ବିରୋଧରେ ‘ଜିରୋ ଟଲରେନ୍ସ’
ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ‘ଶୂନ୍ୟ ସହନଶୀଳତା’ ନୀତିକୁ ପ୍ରାଥମିକତା ଦେଇଆସୁଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ମନ୍ତ୍ରୀଙ୍କ ତତ୍କାଳ ତଦନ୍ତ ନିର୍ଦ୍ଦେଶ ଏବଂ ବିଭାଗ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କ ବଦଳି ପଦକ୍ଷେପକୁ ଏହି ନୀତିର ଅଂଶ ଭାବେ ଦେଖାଯାଉଛି।
ତେବେ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଆର୍ଥିକ ଅନିୟମିତତା ଅଭିଯୋଗର ପ୍ରକୃତ ଚିତ୍ର ଏବଂ କାହାର ଦାୟିତ୍ୱ ରହିଛି, ତାହା ସ୍ପଷ୍ଟ ହେବ।
