ଡ୍ୟୁଟିରେ ଅବହେଳା ଅଭିଯୋଗ, ରୋଗୀ ହେଉଛନ୍ତି ହନ୍ତସନ୍ତ — ସରକାରୀ ସେବା ନମିଳିବାରୁ ଘରୋଇ କ୍ଲିନିକ୍ର ଦ୍ୱାରସ୍ଥ ରୋଗୀ!
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି OPDକୁ ନେଇ ସାମ୍ନାକୁ ଆସିଛି ସଙ୍ଗୀନ ଅଭିଯୋଗ। ବିଭାଗରେ ନିୟୋଜିତ ଦୁଇ ଜଣ ଫିଜିଓଥେରାପିଷ୍ଟଙ୍କ ମଧ୍ୟରୁ ଜଣେ ନିୟମିତ ଭାବେ ଡ୍ୟୁଟି କରୁଥିବା ବେଳେ ଅନ୍ୟଜଣଙ୍କ ଉପସ୍ଥିତି ଓ ଡ୍ୟୁଟିକୁ ନେଇ ରୋଗୀମାନେ ପ୍ରଶ୍ନ ଉଠାଇଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ପୁରୁଷ ଫିଜିଓଥେରାପିଷ୍ଟ ନିର୍ଦ୍ଧାରିତ ସମୟରେ OPDରେ ଉପସ୍ଥିତ ନରହିବା ନେଇ ଅଭିଯୋଗ ରହିଛି। ଏପରିକି ସେ ଖୋର୍ଦ୍ଧା ବିଧାୟକଙ୍କ ସହ ବିଭିନ୍ନ ସମୟରେ ରହି ସେବା ଯୋଗାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ସବୁଠାରୁ ଗୁରୁତର ଅଭିଯୋଗ ହେଉଛି, ହସ୍ପିଟାଲର ଫିଜିଓଥେରାପି ଉପକରଣ ଅନୁମତି ବିନା ବାହାରକୁ ନେଇଯାଇଥିବା ଏବଂ ସେଗୁଡ଼ିକୁ ବ୍ୟକ୍ତିଗତ ସ୍ଥାନରେ ବ୍ୟବହାର କରାଯାଉଥିବା ନେଇ କିଛି ରୋଗୀ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ଯାଞ୍ଚ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆବଶ୍ୟକ।
ଅନ୍ୟପଟେ, ଫିଜିଓଥେରାପି ସେବା ପାଇଁ ହସ୍ପିଟାଲକୁ ଆସୁଥିବା କିଛି ରୋଗୀ ଚିକିତ୍ସା ନପାଇ ଫେରୁଥିବା ଅଭିଯୋଗ ମଧ୍ୟ ରହିଛି। ଫଳରେ ବାଧ୍ୟ ହୋଇ ଘରୋଇ ଫିଜିଓଥେରାପି କ୍ଲିନିକ୍ରେ ପ୍ରତିଦିନ ପ୍ରାୟ ୩୦୦ ଟଙ୍କା ଖର୍ଚ୍ଚ କରି ଚିକିତ୍ସା ନେବାକୁ ପଡ଼ୁଥିବା କିଛି ରୋଗୀ କହିଛନ୍ତି।
ଏହି ସମସ୍ତ ଅଭିଯୋଗର ସତ୍ୟତା ଜାଣିବା ପାଇଁ ଫିଜିଓଥେରାପି OPDର ବାସ୍ତବ ସ୍ଥିତି, କର୍ମଚାରୀଙ୍କ ଉପସ୍ଥାନ, ଉପକରଣର ରେକର୍ଡ ଓ ରୋଗୀଙ୍କ ଅଭିଯୋଗ ଯାଞ୍ଚ କରିବା ଜରୁରୀ। ଏଥିସହ ହସ୍ପିଟାଲ ମ୍ୟାନେଜର, DMO ଓ CDMOଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟ ପ୍ରତିକ୍ରିୟା ଆସିବା ଆବଶ୍ୟକ।
ସରକାରୀ ହସ୍ପିଟାଲର ସେବା ସାଧାରଣ ଲୋକଙ୍କ ଅଧିକାର। ତେଣୁ ଅଭିଯୋଗ ସତ୍ୟ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସହ ରୋଗୀଙ୍କୁ ନିୟମିତ ଫିଜିଓଥେରାପି ସେବା ଯୋଗାଇବା ଦାବି ଜୋର ଧରିଛି।
