News କଳା ଓ ସଂସ୍କୃତି ବୈଦେଶିକ ବ୍ୟାପାର ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସାରା ରାଜ୍ୟରେ ‘କୋଟିଏ ହସ’ ଶିଶୁ ମହୋତ୍ସବ

Spread the love

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ସାମିଲ ହେଲେ ୭୦୦ ଶିଶୁ ଓ ଅଭିଭାବକ

ସୁସ୍ଥ ଓ ଆନନ୍ଦମୟ ଶୈଶବ ଗଠନରେ ପିତାମାତାଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୧୧: ଶିଶୁମାନଙ୍କ ସାମଗ୍ରିକ ବିକାଶ, ପ୍ରାରମ୍ଭିକ ଶିକ୍ଷା ଓ ଉପଯୁକ୍ତ ଯତ୍ନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସାରା ଓଡ଼ିଶାରେ ପାଳିତ ହୋଇଛି ‘କୋଟିଏ ହସ – ବାର୍ଷିକ ଶିଶୁ ମହୋତ୍ସବ ୨୦୨୬’। ଶିଶୁ ଦିବସ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସମେତ ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।

ଭୁବନେଶ୍ୱରର ହରିନଗରସ୍ଥିତ ମଇଁଷିଖାଲଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ। ଏଥିରେ ୦ରୁ ୬ ବର୍ଷ ବୟସର ପ୍ରାୟ ୭୦୦ ଶିଶୁ ସେମାନଙ୍କ ପିତାମାତା ଓ ଅଭିଭାବକଙ୍କ ସହ ସାମିଲ ହୋଇଥିଲେ।

ଉତ୍ସବରେ ଉଦ୍‌ବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଶୁମାନଙ୍କ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ମିଳୁଥିବା ସ୍ନେହ, ଯତ୍ନ, ମମତା ଓ ପାରିବାରିକ ସମ୍ପୃକ୍ତି ସେମାନଙ୍କ ଭବିଷ୍ୟତର ମୂଳଦୁଆ ଗଠନ କରେ। ଶିଶୁଙ୍କ ଲାଳନପାଳନ କେବଳ ମାଆଙ୍କ ଦାୟିତ୍ୱ ନୁହେଁ, ଏହା ଉଭୟ ପିତା ଓ ମାତାଙ୍କ ମିଳିତ ଦାୟିତ୍ୱ। ତେଣୁ ଶିଶୁ ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷାରେ ପିତାମାନେ ମଧ୍ୟ ସକ୍ରିୟ ଭାବେ ଭାଗ ନେବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହ ନାନାବାୟା ଗୀତ, ଗପ କହିବା ଓ ପରିବାର ମଧ୍ୟରେ ଆନନ୍ଦମୟ ଭାବବିନିମୟ ଭଳି ପାରମ୍ପରିକ ପ୍ରଥା ଶିଶୁଙ୍କ ଭାବପ୍ରବଣ, ସାମାଜିକ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ।

ଏହି ମହୋତ୍ସବରେ ଶିଶୁଙ୍କ ବୟସ ଅନୁଯାୟୀ ବିଭିନ୍ନ ଖେଳ ଓ ଶିକ୍ଷଣଭିତ୍ତିକ କାର୍ଯ୍ୟକଳାପର ବ୍ୟବସ୍ଥା କରାଯାଇଥିଲା। ଜନ୍ମରୁ ୩ ବର୍ଷ ଏବଂ ୩ରୁ ୬ ବର୍ଷ ବୟସର ଶିଶୁଙ୍କ ପାଇଁ ପୃଥକ କାର୍ଯ୍ୟକ୍ରମ ରହିଥିଲା। ଉପମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକଳାପ କର୍ଣ୍ଣର ବୁଲି ଦେଖିବା ସହ ଶିଶୁ, ଅଭିଭାବକ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) ସାମଗ୍ରୀ, ପ୍ରାକ୍‌-ବିଦ୍ୟାଳୟ ଶିକ୍ଷା (PSE) କିଟ୍‌, ଜେଜେବାପା ଓ ଜେଜେମାଆଙ୍କ ଦ୍ୱାରା ନାନାବାୟା ଗୀତ ଓ ଗପ କହିବା, ପିତାମାନଙ୍କ ଦ୍ୱାରା ସ୍ଥାନୀୟ ତଥା ସ୍ୱଳ୍ପ ମୂଲ୍ୟର ସାମଗ୍ରୀରେ ଖେଳଣା ତିଆରି ଆଦି ପ୍ରଦର୍ଶିତ ହୋଇଥିଲା। ଏଥିସହ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ବିକାଶ ସମ୍ପର୍କିତ ସଚେତନତାମୂଳକ ସୂଚନା ମଧ୍ୟ ଦିଆଯାଇଥିଲା।

ଶିଶୁମାନେ ଅଭିନୟ ଗୀତ, ନୃତ୍ୟ, ଗପ କହିବା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗନେଇ ନିଜ ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ନିଜ ହାତରେ ଅଭିନବ ଖେଳଣା ତିଆରି କରିଥିବା ପିତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଘରେ ଖେଳ ଓ ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷାକୁ ଆଗେଇ ନେବା ପାଇଁ ୦ରୁ ୬ ବର୍ଷ ବୟସର ଶିଶୁଙ୍କୁ ଉପହାର ବଣ୍ଟନ କରାଯାଇଥିଲା।

ରାଜ୍ୟସ୍ତରୀୟ ଉତ୍ସବ ସହ ଓଡ଼ିଶାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ‘କୋଟିଏ ହସ’ ପାଳନ କରାଯାଇଥିଲା। ଏଥିସହ ଜିଲ୍ଲା ସଦର ମହକୁମା ନିକଟସ୍ଥ ମନୋନୀତ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ପ୍ରତ୍ୟେକ ଶିଶୁଙ୍କ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ଅଭିଭାବକତ୍ୱ, ପ୍ରାରମ୍ଭିକ ପ୍ରେରଣା ଓ ସହାୟକ ପରିବେଶର ଆବଶ୍ୟକତା ସମ୍ପର୍କରେ ସଚେତନତା ବଢ଼ାଇବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ଶୈଶବକୁ ସ୍ନେହ, ସାହଚର୍ଯ୍ୟ, ସୃଜନଶୀଳତା ଓ ଆନନ୍ଦମୟ ଶିକ୍ଷାରେ ପରିପୂର୍ଣ୍ଣ କରିବା ସହ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ ମୃଣାଳିନୀ ଦର୍ସୱାଲ, ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *