Business Economy News ଅର୍ଥନୀତି ବାଣିଜ୍ୟ ରାଜ୍ୟ ଲାଇଫ ଷ୍ଟାଇଲ ସଂସ୍କୃତି ସାମାଜିକ ସ୍ୱତନ୍ତ୍ର

୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଉଦ୍‌ଘାଟିତ ହେଲା ଓଡ଼ିଶା ପାଭିଲିୟନ୍

Spread the love

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କଲେ ଉଦ୍‌ଘାଟନ

ପ୍ରଦର୍ଶିତ ହେଉଛି ଓଡ଼ିଶାର ସମୃଦ୍ଧ ଐତିହ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ ଓ ଅର୍ଥନୈତିକ ସମ୍ଭାବନା

ନୂଆଦିଲ୍ଲୀ, ୧୪ ନଭେମ୍ବର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆରମ୍ଭ ହୋଇଥିବା ୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)-୨୦୨୬ରେ ଉଦ୍‌ଘାଟିତ ହୋଇଛି ଓଡ଼ିଶା ପାଭିଲିୟନ୍। ଶନିବାର ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ହଲ୍‌-୩ରେ ଏହି ପାଭିଲିୟନ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି। ଚଳିତ ବର୍ଷର ମେଳାର ମୁଖ୍ୟ ବିଷୟବସ୍ତୁ ‘ବିକାଶ ଓ ବିରାସତ’କୁ ଆଧାର କରି ଓଡ଼ିଶା ପାଭିଲିୟନ୍‌ର ଥିମ୍ ରଖାଯାଇଛି ‘ଯେଉଁଠାରେ ବିରାସତ ବିକାଶକୁ ଅନୁପ୍ରାଣିତ କରେ’ (Where Virasat Inspires Vikas)।

ଏହି ପାଭିଲିୟନ୍‌ରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ କାରିଗରୀ, ହସ୍ତତନ୍ତ, ହସ୍ତଶିଳ୍ପ, ଜନଜାତି କଳା, କୃଷିଜାତ ଦ୍ରବ୍ୟ, ଗ୍ରାମୀଣ ଉଦ୍ୟୋଗ ଏବଂ ପର୍ଯ୍ୟଟନ କ୍ଷେତ୍ରର ବିଭିନ୍ନ ଆକର୍ଷଣକୁ ପ୍ରଦର୍ଶିତ କରାଯାଇଛି। ଏଥିସହ ରାଜ୍ୟର ଉଦୀୟମାନ ଅର୍ଥନୈତିକ ସମ୍ଭାବନା ଓ ନିବେଶ ସୁଯୋଗକୁ ମଧ୍ୟ ଉପସ୍ଥାପନ କରାଯାଉଛି।

ଉଦ୍‌ଘାଟନୀ ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ସହ ରାଜ୍ୟର ବର୍ତ୍ତମାନର ବିକାଶ ଯାତ୍ରାକୁ ଉପସ୍ଥାପନ କରିବା ଏହି ପାଭିଲିୟନ୍‌ର ମୁଖ୍ୟ ଉଦ୍ଦେଶ୍ୟ। ସମ୍ବଲପୁରୀ ବସ୍ତ୍ର, ସୂତା, ଟସର ଓ ରେଶମ ସାମଗ୍ରୀ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ରୂପା ତାରକସି, ଢୋକ୍ରା ଶିଳ୍ପ, ପଥର ଓ କାଠ ଖୋଦେଇ ଏବଂ ଚାନ୍ଦୁଆ କାମ ଓଡ଼ିଶାର କାରିଗରମାନଙ୍କ ଅସାଧାରଣ କଳାକୌଶଳର ପରିଚୟ ବହନ କରୁଛି।

ପାଭିଲିୟନ୍‌ରେ ରୂପା ତାରକସି, ଢୋକ୍ରା ଶିଳ୍ପ, ପଥର ଖୋଦେଇ ଓ ପାରମ୍ପରିକ ବୁଣାକାର୍ଯ୍ୟର ପ୍ରତ୍ୟକ୍ଷ ପ୍ରଦର୍ଶନ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି। ଏଥିସହ ବ୍ଲକଚେନ୍ ଜ୍ଞାନକୌଶଳ ଆଧାରିତ ହସ୍ତତନ୍ତ ବୁଣାକାର୍ଯ୍ୟ ମାଧ୍ୟମରେ ପାରମ୍ପରିକ କଳା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟକୁ ଦର୍ଶାଯାଇଛି।

ମହିଳା ଏସ୍‌ଏଚ୍‌ଜି ଓ ଗ୍ରାମୀଣ ଉଦ୍ୟୋଗକୁ ଗୁରୁତ୍ୱ

ଏହି ମେଳାରେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଦ୍ୱାରା ପ୍ରସ୍ତୁତ ସବାଇ ଘାସ ସାମଗ୍ରୀ, ଆଦିବାସୀ ଅଳଙ୍କାର, ପେପର ମାଚେ କଳାକୃତି, ମାଣ୍ଡିଆ ଜାତୀୟ ଉତ୍ପାଦ, ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶିତ ହେଉଛି।

ସେହିପରି ଓରମାସ୍ (ORMAS) ପକ୍ଷରୁ ଗ୍ରାମୀଣ ଉଦ୍ୟୋଗୀତାର ପରିଚୟ ବହନ କରୁଥିବା ଗୋଲଡେନ୍ ଗ୍ରାସ୍ ସାମଗ୍ରୀ, ବିଭିନ୍ନ ପ୍ରକାର ମସଲା, ମାଣ୍ଡିଆ ଉତ୍ପାଦ, ଆଚାର, ମହୁଲ ଜାତୀୟ ସାମଗ୍ରୀ ଓ ନଡ଼ିଆ କତାରୁ ପ୍ରସ୍ତୁତ ଉତ୍ପାଦ ପ୍ରଦର୍ଶନ କରାଯାଉଛି। ଏହି ପ୍ରଦର୍ଶନୀ ମାଧ୍ୟମରେ ମହିଳା ଓ ଗ୍ରାମୀଣ ସମ୍ପ୍ରଦାୟର ଆର୍ଥିକ ସଶକ୍ତୀକରଣ ସହ ସ୍ଥାୟୀ ଜୀବିକା ସୃଷ୍ଟିର ପ୍ରୟାସକୁ ଗୁରୁତ୍ୱ ଦିଆଯାଇଛି।

ଜନଜାତି କଳାଠାରୁ କୋରାପୁଟ କଫି ପର୍ଯ୍ୟନ୍ତ

ଓଡ଼ିଶାର ଜନଜାତି ଐତିହ୍ୟ ମଧ୍ୟ ଏହି ପାଭିଲିୟନ୍‌ର ଅନ୍ୟତମ ମୁଖ୍ୟ ଆକର୍ଷଣ। ଗୋଣ୍ଡ ଓ ଲାଞ୍ଜିଆ ସୌରା ଚିତ୍ରକଳା, ଡଙ୍ଗରିଆ କନ୍ଧଙ୍କ ସ୍ୱତନ୍ତ୍ର ଶାଲ୍, କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ, ଜନଜାତି ସମ୍ପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ମୂଲ୍ୟଯୁକ୍ତ ସାମଗ୍ରୀ ଏବଂ କୋରାପୁଟ କଫି ଦର୍ଶକଙ୍କୁ ଆକୃଷ୍ଟ କରୁଛି।

ଏଥିସହ ମାଣ୍ଡିଆ, କଳା ଚାଉଳ, ପାରମ୍ପରିକ ଧାନ, କାଜୁ, ମହୁ, ମସଲା ଏବଂ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ମୂଲ୍ୟଯୁକ୍ତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେଉଛି। ଏହା ଓଡ଼ିଶାର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା ସମ୍ଭାବନାକୁ ପ୍ରତିଫଳିତ କରୁଛି। ଓମଫେଡ୍ ପକ୍ଷରୁ ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀ ସହ କନ୍ଧମାଳର ଜୈବିକ ହଳଦୀ ପ୍ରଦର୍ଶିତ ହେଉଥିବା ବେଳେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ସୂର୍ଯ୍ୟମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ଧାମ ଓ ଚିଲିକା ହ୍ରଦ ସମେତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଉପସ୍ଥାପନ କରାଯାଉଛି।

ଓଡ଼ିଶା ଉତ୍ପାଦ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସୁଯୋଗ

କେବଳ ସାଂସ୍କୃତିକ ଓ ପାରମ୍ପରିକ ସାମଗ୍ରୀର ପ୍ରଦର୍ଶନ ନୁହେଁ, ଓଡ଼ିଶାର ଉତ୍ପାଦକ, ଉଦ୍ୟୋଗୀ, କ୍ରେତା, ରପ୍ତାନିକାରୀ, ନିବେଶକ ଓ ଶିଳ୍ପ ଅଂଶୀଦାରଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ସ୍ଥାପନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିପାଇଁ ରପ୍ତାନି ଓ ବ୍ୟବସାୟ-ରୁ-ବ୍ୟବସାୟ (B2B) ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ଓଡ଼ିଶାର ଉତ୍ପାଦ ପାଇଁ ନୂତନ ବଜାର ସୁଯୋଗ ସୃଷ୍ଟି, ବ୍ୟବସାୟିକ ସହଭାଗିତା ବୃଦ୍ଧି ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହ ସଂଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି।

୨୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ

୨୦୨୬ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ର ହଲ୍‌-୩ରେ ଓଡ଼ିଶା ପାଭିଲିୟନ୍ ଦର୍ଶକଙ୍କ ପାଇଁ ଖୋଲା ରହିବ। ଏଠାରେ ଓଡ଼ିଶାର ଗୌରବମୟ ଐତିହ୍ୟ, ପାରମ୍ପରିକ କଳାକୌଶଳ, ଉତ୍ପାଦନ କ୍ଷମତା ଓ ବିକାଶର ନୂତନ ସମ୍ଭାବନାକୁ ଜାଣିବାର ସୁଯୋଗ ମିଳିବ।

ଉଦ୍‌ଘାଟନୀ ଅବସରରେ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଆରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ, ଅତିରିକ୍ତ ଆବାସିକ ଆୟୁକ୍ତ ସୁଚରିତା ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପାଭିଲିୟନ୍‌ର ନୋଡାଲ୍ ଅଧିକାରୀମାନେ ଉପସ୍ଥିତ ଥିଲେ।

୪୫ତମ IITFରେ ଓଡ଼ିଶାର ଏହି ଅଂଶଗ୍ରହଣ ରାଜ୍ୟର ଐତିହ୍ୟ ଓ ପାରମ୍ପରିକ ସମ୍ପଦକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ନିବେଶ, ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବାର ଏକ ପ୍ରୟାସ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *