ଗଞ୍ଜାମରେ ବିଦ୍ୟୁତ୍ ଓ ଜଳ ଯୋଗାଣ ବ୍ୟବସ୍ଥାର ମରାମତିରେ ଲାଗିଛନ୍ତି ୫ଟି ସରକାରୀ ଆଇଟିଆଇର ଛାତ୍ର
ଭୁବନେଶ୍ୱର, ୩ ନଭେମ୍ବର: ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମ ଜିଲ୍ଲାରେ ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବା ପାଇଁ ଆଗେଇ ଆସିଛନ୍ତି ସରକାରୀ ଆଇଟିଆଇ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ। ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଉପକରଣ, ପାଣି ପମ୍ପ ଓ ଜଳ ଯୋଗାଣ ବ୍ୟବସ୍ଥାର ମରାମତି କାର୍ଯ୍ୟରେ ସେମାନେ ସକ୍ରିୟ ଭାବେ ନିୟୋଜିତ ହୋଇଛନ୍ତି।
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାତ୍ୟା ପ୍ରଭାବରେ ବିଦ୍ୟୁତ୍ ସେବା ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ପାଣି ଉଠା ପମ୍ପ ଓ ବୈଦ୍ୟୁତିକ ଉପକରଣ ଅଚଳ ହୋଇପଡ଼ିଛି। ଏଭଳି ସ୍ଥିତିରେ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ ଛାତ୍ରମାନେ ନିଜର ବୈଷୟିକ ଜ୍ଞାନ ଓ ଦକ୍ଷତାକୁ କାର୍ଯ୍ୟରେ ଲଗାଉଛନ୍ତି।
ଏହି କାର୍ଯ୍ୟରେ ବ୍ରହ୍ମପୁର, ଶେରଗଡ଼, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ ଓ ଛତ୍ରପୁରର ୫ଟି ସରକାରୀ ଆଇଟିଆଇ ସହିତ ବ୍ରହ୍ମପୁରର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲର ଛାତ୍ରମାନେ ସାମିଲ ହୋଇଛନ୍ତି। ଏପରିକି ଆସିକା ଉପଖଣ୍ଡ ଚିକିତ୍ସାଳୟରେ କ୍ଷତିଗ୍ରସ୍ତ ବୈଦ୍ୟୁତିକ ଉପକରଣଗୁଡ଼ିକର ମରାମତି ମଧ୍ୟ ସେମାନେ ସଫଳତାର ସହ ସମ୍ପନ୍ନ କରିଛନ୍ତି।
ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଛାତ୍ର ଦଳଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ସୁପରଭାଇଜର ନିୟୋଜିତ ହୋଇଛନ୍ତି।
ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଛାତ୍ରମାନଙ୍କ ଏହି ଉଦ୍ୟମ ବେଶ୍ ପ୍ରଶଂସନୀୟ। ବୈଷୟିକ ଶିକ୍ଷାକୁ ସାମାଜିକ ଦାୟିତ୍ୱ ସହ ଯୋଡ଼ି ସେମାନେ କେବଳ ନିଜର ଦକ୍ଷତାର ପରିଚୟ ଦେଇନାହାନ୍ତି, ବରଂ ବିପର୍ଯ୍ୟୟ ସମୟରେ ସମାଜ ପାଇଁ ଯୁବପିଢ଼ି କିପରି ସହାୟକ ହୋଇପାରନ୍ତି, ତାହାର ଉଦାହରଣ ସୃଷ୍ଟି କରିଛନ୍ତି।
