୧୭ ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ନାମରେ ୩୧,୯୦୬.୫୨ ଏକର ଜମି ରେକର୍ଡ; ଦୁଇ ବର୍ଷରେ ୩୪,୨୫୧ ଭୂମିହୀନ ପରିବାରଙ୍କୁ ଘରଡ଼ିହ
ଭୁବନେଶ୍ୱର, ସେପ୍ଟେମ୍ବର ୭: ରାଜସ୍ୱ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ଓ ନାଗରିକ କୈନ୍ଦ୍ରିକ ସେବାର କାର୍ଯ୍ୟକାରିତା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜମିଜମା ସମ୍ପର୍କିତ ସଂସ୍କାର, ଭୂଦାନ ଜମିର ସୁରକ୍ଷା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ପୁନରୁଦ୍ଧାର ଓ ବସୁନ୍ଧରା ଯୋଜନାର ଅଗ୍ରଗତି ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

ଭୂଦାନ ଜମିର ହେବ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ୍
ରାଜ୍ୟରେ ଥିବା ପ୍ରାୟ ସମସ୍ତ ଭୂଦାନ ଜମିର ପୁରାତନ ରେକର୍ଡ ସ୍କାନିଂ ଓ ଡିଜିଟାଲାଇଜେସନ୍ କରାଯିବ। ଏହାକୁ ‘Bhoodan-LRMS Portal’ ମାଧ୍ୟମରେ ଭୁଲେଖ ସହ ଯୋଡ଼ାଯିବ। ଡିଜିଟାଲ ରେକର୍ଡ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଭୂଦାନ ଜମିର ଅବୈଧ ହସ୍ତାନ୍ତର ଓ ମ୍ୟୁଟେସନ୍ ଉପରେ କଟକଣା ଲଗାଯିବ।
ଭୂଦାନ ଜମି ସମ୍ପର୍କିତ ଜାଲିଆତିର ଦୃଢ଼ ତଦନ୍ତ କରାଯିବା ସହ ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟକୁ ପ୍ରାଥମିକତା ଦେଇ କେବଳ ପ୍ରକୃତ ବାସହୀନ ବ୍ୟକ୍ତିଙ୍କ ସପକ୍ଷରେ ଭୂଦାନ ଜମିର ମ୍ୟୁଟେସନ୍ କିମ୍ବା ରେକର୍ଡ କରାଯିବ ବୋଲି ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ପ୍ରାଥମିକତା
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଓ ପୁନରୁଦ୍ଧାର ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୧୭ଟି ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ ୩୧,୯୦୬.୫୨ ଏକର ଜମିର ହାଲ୍ ରେକର୍ଡ କରାଯାଇଛି। ଏଥିରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୦,୫୦୭.୩୬ ଏକର ଜମି ରେକର୍ଡ ହୋଇଛି।
ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀଜଗନ୍ନାଥ ଟେମ୍ପଲ୍ ଆଡମିନିଷ୍ଟ୍ରେସନ୍ (SJTA) ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ, ବିଶେଷକରି ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଜମି ମୁକ୍ତ କରିବା ସହ ରାଜସ୍ୱ ମାମଲାର ଦ୍ରୁତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।
ଏହାସହ ଓଡ଼ିଶା ବାହାରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତିର ତଥ୍ୟ ସଂଗ୍ରହ ଓ ପୁନରୁଦ୍ଧାର ପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ପର୍ଯ୍ୟାୟକ୍ରମେ ଚିଠି ଲେଖାଯିବ। ଏହି ସମସ୍ତ ଜମିକୁ ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ’ଙ୍କ ସପକ୍ଷରେ ସମ୍ପୂର୍ଣ୍ଣ ପଞ୍ଜୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।
ବସୁନ୍ଧରା ଯୋଜନାରେ ୩୪,୨୫୧ ପରିବାରଙ୍କୁ ଘରଡ଼ିହ
ବସୁନ୍ଧରା ଯୋଜନାରେ ଗତ ଦୁଇ ବର୍ଷ ମଧ୍ୟରେ ସର୍ଭେ କରାଯାଇ ୩୪,୨୫୧ ଜଣ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘରଡ଼ିହ ଆବଣ୍ଟନ କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ପ୍ରାଥମିକତା ଦେଇ ଯୋଜନାର ସଫଳ ରୂପାୟନ ଏବଂ ହିତାଧିକାରୀଙ୍କ ସମସ୍ୟାର ସୁବ୍ୟବସ୍ଥିତ ସମାଧାନ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଶିକ୍ଷାନୁଷ୍ଠାନର ଜମି ରେକର୍ଡକୁ ଗୁରୁତ୍ୱ
ରାଜ୍ୟର ମୋଟ ୫୨,୦୫୬ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ୨୭,୫୫୬ଟି ଅନୁଷ୍ଠାନ ସପକ୍ଷରେ ଜମିପଟ୍ଟା ବା RoR ସଂଶୋଧନ କାର୍ଯ୍ୟ ସରିଛି। ଲିଜ୍ ଯୋଗ୍ୟ ଜମିରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ୩୧ ଡିସେମ୍ବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ RoR ପ୍ରଦାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ରାଜସ୍ୱ ପର୍ଷଦର ସଚିବଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
