Global ରାଜନୀତି ରାଜ୍ୟ

ସର୍ବଭାରତୀୟ କାପାସିଟି ବିଲ୍‌ଡିଂ ସମ୍ମିଳନୀରେ ଓଡ଼ିଶାର ବାଚସ୍ପତି ଓ ବିଧାୟିକାମାନେ

Spread the love

ମହିଳା ସଶକ୍ତିକରଣ ଓ ‘ଜେଣ୍ଡର ରେସ୍‌ପନ୍‌ସିଭ୍‌ ଗଭର୍ଣ୍ଣାନ୍ସ’ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୭.୦୯.୨୦୨୬:
ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଦୁଇଦିନିଆ ସର୍ବଭାରତୀୟ କାପାସିଟି ବିଲ୍‌ଡିଂ ସମ୍ମିଳନୀରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସମେତ ରାଜ୍ୟର ବିଧାୟିକାମାନେ ଯୋଗଦେଇଛନ୍ତି। ଜାତୀୟ ମହିଳା କମିଶନ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ସେପ୍ଟେମ୍ବର ୭ ଓ ୮ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେଉଛି।

ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି ଯେ, ବଜେଟ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ଆଇନ ପ୍ରଣୟନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଉଛି। ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ପଞ୍ଚାୟତ ସ୍ତରରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।

ସେହିପରି ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ମହିଳା ଉପକୃତ ହୋଇଥିବା ବାଚସ୍ପତି ସୂଚନା ଦେଇଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି।

ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ସହ କିଶୋରୀମାନଙ୍କ ପୋଷଣ ସ୍ତର ବୃଦ୍ଧି ପାଇଁ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ସେ କହିଥିଲେ। ଏଥିସହ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କୌଶଳ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ୭୩୦ଟି ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ମହାବିଦ୍ୟାଳୟ ଏବଂ ୧୬ଟି ବିଶ୍ୱବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ।

ଏହି ସମ୍ମିଳନୀକୁ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଉଦ୍‌ଘାଟନ କରିଥିବାବେଳେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହାତକର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ଦେଶର ସମସ୍ତ ରାଜ୍ୟର ମହିଳା ବିଧାୟିକା ଓ ବିଧାନ ପରିଷଦ ସଦସ୍ୟାମାନଙ୍କୁ ନେଇ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଆୟୋଜିତ ହୋଇଛି। ମହିଳାମାନଙ୍କୁ ତାଲିମ ମାଧ୍ୟମରେ ନେତୃତ୍ୱ ଦକ୍ଷତା ବିକାଶ, ଲେଖନୀ ଶୈଳୀ, ଭାବଗତ ଆଦାନପ୍ରଦାନ ଓ ଚିନ୍ତନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ‘ଜେଣ୍ଡର ରେସ୍‌ପନ୍‌ସିଭ୍‌ ଗଭର୍ଣ୍ଣାନ୍ସ’ ଉପରେ ତାଲିମ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଓଡ଼ିଶାରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ସମେତ ବିଧାୟିକା ସୁବାସିନୀ ଜେନା, ସୁଜାତା ସାହୁ, ସୀମାରାଣୀ ନାୟକ, ମନୋରମା ମହାନ୍ତି, ସୋଫିଆ ଫିର୍‌ଦୋସ୍‌, ଉପାସନା ମହାପାତ୍ର ଓ ବର୍ଷା ସିଂହ ବରିହା ପ୍ରମୁଖ ଯୋଗଦେଇଛନ୍ତି।

ଏହାସହ ଓଡ଼ିଶା ବିଧାନସଭାର ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ ଓ ରଣଧିର ରାୟ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସମ୍ମିଳନୀର ଲକ୍ଷ୍ୟ ହେଉଛି ମହିଳାଙ୍କୁ ସମାଜର ମୁଖ୍ୟସ୍ରୋତରେ ଅଧିକ ସଶକ୍ତ ଭାବେ ସାମିଲ କରି ଏକ ସୁଦୃଢ଼ ଓ ସମୃଦ୍ଧ ଗଣତନ୍ତ୍ର ଗଠନରେ ସେମାନଙ୍କ ଭୂମିକାକୁ ଆହୁରି ମଜବୁତ କରିବା।

Leave a Reply

Your email address will not be published. Required fields are marked *