ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ତାତି ବଢ଼ିବାରେ ଲାଗିଛି। ବିଜେପି କାର୍ଯ୍ୟକାରିଣୀ ବୈଠକରେ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ଚେକ୍ ଦେବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି।
ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେପି ତା’ର ରଣନୀତି ପ୍ରସ୍ତୁତ କରିବ, ହେଲେ ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି। ସରକାର ବିରୋଧରେ ଜନ ଅସନ୍ତୋଷ ବଢ଼ୁଥିବା ସେ ଦାବି କରିଛନ୍ତି।
ଚାଷୀମାନେ ନିଜର ପଞ୍ଜୀକରଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଏହାର ଜବାବ ପଞ୍ଚାୟତ ନିର୍ବାଚନରେ ଲୋକେ ଦେବେ।
ବିଜେଡି କେବଳ ନିର୍ବାଚନ ଆସିଲେ ପ୍ରସ୍ତୁତ ହୁଏନାହିଁ, ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହେବ। ପ୍ରତିବର୍ଷ ଭଳି ଆସନ୍ତା ଅକ୍ଟୋବର ୨ ତାରିଖରୁ ବିଜେଡି ପଦଯାତ୍ରା କରି ଲୋକଙ୍କ ନିକଟକୁ ଯିବ ବୋଲି ସେ କହିଛନ୍ତି। (ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ବିଧାୟକ)
କଂଗ୍ରେସର ଟାର୍ଗେଟରେ ସରକାର
ଅନ୍ୟପଟେ, କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମଧ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ବିଜେପି କାର୍ଯ୍ୟକାରିଣୀ ଚାଲିଛି ଏବଂ ଦଳ ନିଜ କାମ କରିବ ବୋଲି କହିବା ସହ ବିଜେପିର କୌଣସି ଯୋଜନା କାମ ଦେବ ନାହିଁ ବୋଲି ସେ ଦାବି କରିଛନ୍ତି।
ଚାଷୀ, ବୟସ୍କ ଓ ମହିଳା ସମସ୍ତେ ସରକାରଙ୍କ ଉପରେ ନିରାଶ ଥିବା ଅଭିଯୋଗ କରି ସାଲୁଜା କହିଛନ୍ତି ଯେ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। ଏହି ପ୍ରସଙ୍ଗଗୁଡ଼ିକୁ ନେଇ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।
ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦାବି କରି ସେ କହିଛନ୍ତି ଯେ, ସବୁ ବର୍ଗକୁ ନେଇ ଏକ ବଡ଼ କମିଟି ଗଠନ କରାଯାଇଛି। ଏହାର ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସେହିପରି ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ଠିକ୍ ସମୟରେ କରିବାକୁ ସରକାର ଚାହୁଁନଥିବା ଅଭିଯୋଗ କରିଛନ୍ତି ସାଲୁଜା। ଜନଗଣନା ନାଁରେ ସରକାର ନିର୍ବାଚନ ବିଳମ୍ବ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି। (ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ନେତା )
ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଉଭୟ ବିଜେଡି ଓ କଂଗ୍ରେସ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିଜେପିର ରଣନୀତିକୁ ବିରୋଧୀ ଦଳଗୁଡ଼ିକ କିପରି ମୁକାବିଲା କରିବେ, ତା’ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।
