ଅପରାଧ ରାଜନୀତି ରାଜ୍ୟ ସାମାଜିକ

ପୁଣି ଚର୍ଚ୍ଚାରେ ପାନପୋଷ ସର୍କିଟ ହାଉସର ରୁମ୍ ନମ୍ବର ୧୧୧!

Spread the love

ପର୍ଣ୍ଣ ଅଭିନେତ୍ରୀଙ୍କ ରହଣିକୁ ନେଇ ତଦନ୍ତ, ଆଶିଷଙ୍କ ସମେତ ୫ ଜଣଙ୍କୁ ପଚରାଉଚରା

ରାଉରକେଲା: ପୁଣି ଚର୍ଚ୍ଚାକୁ ଆସିଛି ରାଉରକେଲା ପାନପୋଷ ସର୍କିଟ ହାଉସର ରୁମ୍ ନମ୍ବର ୧୧୧। କିଛି ଦିନ ତଳେ ଏହି ରୁମ୍‌ରେ ପ୍ରକାଶ ପାସୱାନ ଦୀର୍ଘ ସମୟ ରହିଥିବା ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ନିକଟସ୍ଥ ରୁମ୍ ନମ୍ବର ୧୦୭ରୁ ପିଷ୍ଟଲ ଓ ଗୁଳି ସହ ଜଣେ ବ୍ୟକ୍ତି ଧରାପଡ଼ିବା ପରେ ମାମଲାଟି ଚର୍ଚ୍ଚାରେ ରହିଥିଲା। ପରେ ରାଉରକେଲା ପୋଲିସ ପ୍ରକାଶ ପାସୱାନଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ଏହି ଘଟଣା ମଧ୍ୟରେ ଏବେ ସେହି ସର୍କିଟ ହାଉସରେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତଥ୍ୟ ଅନୁସାରେ, ୨୦୨୫ ଡିସେମ୍ବର ୧ ତାରିଖରେ ରୁମ୍ ନମ୍ବର ୧୧୧ ଜଣେ ବଙ୍ଗୀୟ ପର୍ଣ୍ଣ ଅଭିନେତ୍ରୀଙ୍କ ନାମରେ ବୁକ୍ ହୋଇଥିଲା। ତାଙ୍କ ପାଇଁ ଆଶିଷ ମହାନ୍ତି ରୁମ୍ ବୁକ୍ କରିଥିବା କୁହାଯାଉଛି। ଆଶିଷ ଜଣେ ପୂର୍ବତନ ଭିଜିଲାନ୍ସ ଏସପିଙ୍କ ପୁଅ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଉକ୍ତ ଅଭିନେତ୍ରୀ ଦୁଇ ଦିନ ଧରି ସର୍କିଟ ହାଉସରେ ରହିଥିଲେ। ଫଟୋସୁଟ୍ ଓ ପ୍ରମୋଶନ ଉଦ୍ଦେଶ୍ୟରେ ତାଙ୍କୁ ଗେହନା ଗୋଲ୍ଡ ଟ୍ରେଡ୍ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ଆଡଦ୍ଭେନ୍ ମାର୍ଟିନ ନାୟାର ଡାକିଥିବା ଦାବି କରାଯାଇଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିବା ବେଳେ, ଆଶିଷ ମହାନ୍ତି ମଧ୍ୟ ସୋସିଆଲ ମିଡିଆରେ ଏ ସମ୍ପର୍କରେ ପୋଷ୍ଟ କରିଥିବା କୁହାଯାଉଛି।

ଘଟଣାର ପ୍ରାୟ ଆଠ ମାସ ପରେ ଏହି ତଥ୍ୟ ସାମ୍ନାକୁ ଆସିବା ଏବଂ ସମ୍ପୃକ୍ତ ଅଭିନେତ୍ରୀ ଓ ତାଙ୍କ ପାଇଁ ରୁମ୍ ବୁକ୍ କରିଥିବା ବ୍ୟକ୍ତି ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିବା ଘଟଣାକୁ ଅଧିକ ରୋଚକ କରିଛି।

୫ ଜଣଙ୍କୁ ପଚରାଉଚରା, ରେକର୍ଡ ହେଲା ବୟାନ

ଘଟଣାକୁ ନେଇ ରାଉରକେଲା ପୋଲିସ ତଦନ୍ତ ଆରମ୍ଭ କରିଛି। ଆଶିଷ ମହାନ୍ତିଙ୍କ ସମେତ ସର୍କିଟ ହାଉସର କେୟାରଟେକର ଅଭିଷେକ ଦାସ, ଫଟୋସୁଟ୍ ପାଇଁ ଡାକିଥିବା ଆଡଦ୍ଭେନ୍ ମାର୍ଟିନ ନାୟାର, କାର୍ ଯୋଗାଇଥିବା ଶୁଭେନ୍ଦୁ ଏବଂ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ପଚରାଉଚରା କରିଥିବା ସୂଚନା ମିଳିଛି। ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ଏହାସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ କଲ୍ ଡିଟେଲ୍ ରେକର୍ଡ (CDR), ସୋସିଆଲ ମିଡିଆ ଆକାଉଣ୍ଟ ଓ ଅନ୍ୟାନ୍ୟ ତଥ୍ୟ ପୋଲିସ ଯାଞ୍ଚ କରୁଥିବା ଜଣାପଡ଼ିଛି। ଫଟୋସୁଟ୍ ଓ ଭିଡିଓ ସୁଟିଂ ହୋଇଥିବା ଫଟୋ ଏବଂ ଭିଡିଓକୁ ମଧ୍ୟ ପୋଲିସ ଜବତ କରି ଯାଞ୍ଚ କରୁଛି।

ପୋଲିସ ନିକଟରେ ପଚରାଉଚରା ସମୟରେ ସମ୍ପୃକ୍ତ ବ୍ୟକ୍ତିମାନେ ଫଟୋସୁଟ୍ ଓ ପ୍ରମୋଶନ ପାଇଁ ଅଭିନେତ୍ରୀ ରାଉରକେଲା ଆସିଥିବା କହିଥିବା ସୂଚନା ମିଳିଛି। ତେବେ ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଥିବା ରାଉରକେଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିବା କୁହାଯାଇଛି।

ସର୍କିଟ ହାଉସ ବୁକିଂକୁ ନେଇ ବଡ଼ ପ୍ରଶ୍ନ

ଏହି ଘଟଣାରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ସର୍କିଟ ହାଉସରେ ରୁମ୍ ବୁକିଂ ପ୍ରକ୍ରିୟାକୁ ନେଇ। ଅଭିଯୋଗ ଅନୁସାରେ, ଜଣେ ପୂର୍ବତନ ଏସପିଙ୍କ ପୁଅଙ୍କ କହିବା ଅନୁଯାୟୀ ଉପଜିଲ୍ଲାପାଳ କିଭଳି ଜଣେ ଅତିଥିଙ୍କ ପାଇଁ ସର୍କିଟ ହାଉସରେ ରୁମ୍ ବୁକ୍ କରିଥିଲେ ଏବଂ ରହଣିର ଦୁଇ ଦିନ ପରେ ତାଙ୍କ ପରିଚୟ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଚାଲିଯିବାକୁ କୁହାଯାଇଥିଲା କି ନାହିଁ, ତାହା ମଧ୍ୟ ତଦନ୍ତର ବିଷୟ ହୋଇଛି।

ଏହାସହ ସମାନ ସର୍କିଟ ହାଉସର ରୁମ୍ ନମ୍ବର ୧୧୧ରେ ପ୍ରକାଶ ପାସୱାନ ରହିବା ଏବଂ ନିକଟସ୍ଥ ରୁମ୍ ନମ୍ବର ୧୦୭ରେ ଜଣେ ବ୍ୟକ୍ତି ପିଷ୍ଟଲ ଓ ଗୁଳି ସହ ଦୀର୍ଘ ସମୟ ରହିଥିବା ଘଟଣାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସର୍କିଟ ହାଉସରେ ଅତିଥିଙ୍କ ପରିଚୟ ଯାଞ୍ଚ, ରୁମ୍ ବୁକିଂ ଏବଂ ରହଣି ସମ୍ପର୍କରେ କେତେଦୂର ନିୟମ ପାଳନ କରାଯାଉଛି—ତାହା ଏବେ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।

ଏନେଇ ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିବା ଜଣାପଡ଼ିଛି। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ ଚିତ୍ର ଓ ରୁମ୍ ବୁକିଂ ପଛରେ ଥିବା ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *