ଉଦ୍ଯାପିତ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’
‘ପଢ଼ିବା ଗଢ଼ିବା, ଓଡ଼ିଶା ପୁସ୍ତକମାଳା’ ଓ ‘ଅକ୍ଷର ଓ ଅଙ୍କ’ ପତ୍ରିକା ଉନ୍ମୋଚିତ
ଭୁବନେଶ୍ୱର, ୧୪ ନଭେମ୍ବର: ରାଜ୍ୟର କୁନି କୁନି ପ୍ରତିଭାଙ୍କୁ ନେଇ ଆୟୋଜିତ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଶନିବାର ଶିଶୁ ଦିବସ ଅବସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉଦ୍ୟମ, ଶୃଙ୍ଖଳା ଓ ପରିଶ୍ରମକୁ ସଫଳତାର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ. ଏନ୍. ତିରୁମାଲା ନାଏକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଯୁଗଲେଶ୍ୱରୀ ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଏବଂ ଓସେପାର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଙ୍ଗୀତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଉଦ୍ଯାପନୀ ଉତ୍ସବରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଏକ ଜାତିର ପ୍ରକୃତ ଶକ୍ତି ହେଉଛି ତାହାର ଶିକ୍ଷିତ, ସଚେତନ ଓ ଦକ୍ଷ ଯୁବପିଢ଼ି। ପ୍ରତ୍ୟେକ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା, ସମାନ ସୁଯୋଗ ଏବଂ ସୁରକ୍ଷିତ ଶିକ୍ଷଣ ପରିବେଶ ଯୋଗାଇଦେବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଶିକ୍ଷାଦାନର ମାନ ବୃଦ୍ଧି, ଶିକ୍ଷକଙ୍କ ଦକ୍ଷତା ବିକାଶ ଏବଂ ଡିଜିଟାଲ୍ ଓ ବୈଷୟିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଉଛି।
ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା, କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଭାର ବିକାଶକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି। ଶିଶୁ ହେଉଛି ପରିବାରର ଆଶା, ସମାଜର ସମ୍ଭାବନା ଏବଂ ରାଷ୍ଟ୍ରର ଭବିଷ୍ୟତ। ତେଣୁ ସେମାନଙ୍କ ସ୍ୱପ୍ନ ସାକାର ପାଇଁ ସୁସ୍ଥ ଓ ସୁଯୋଗପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ମନ୍ତ୍ରୀ କହିଥିଲେ।
ମେୟର ସୁଲୋଚନା ଦାସ କହିଥିଲେ ଯେ, ରାଜ୍ୟର କୋଣ ଅନୁକୋଣରୁ ଛାତ୍ରଛାତ୍ରୀମାନେ ସୁରଭି ମହୋତ୍ସବକୁ ଅପେକ୍ଷା କରିଥାନ୍ତି। ଏହି ମଞ୍ଚ ସେମାନଙ୍କୁ ନିଜର ଅନ୍ତର୍ନିହିତ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଉଛି। ଏଭଳି ଏକ ବୃହତ୍ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେ ଗଣଶିକ୍ଷା ବିଭାଗର ପ୍ରୟାସକୁ ପ୍ରଶଂସା କରିଥିଲେ। ସେହିପରି ବିଭାଗୀୟ ଶାସନ ସଚିବ ଡ. ଏନ୍. ତିରୁମାଲା ନାଏକ ଛାତ୍ରଛାତ୍ରୀଙ୍କୁ ନିଜର ପ୍ରତିଭାକୁ ଆହୁରି ବିକଶିତ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ।
ଉନ୍ମୋଚିତ ହେଲା ୩୦୦ ପଠନ ସାମଗ୍ରୀ
ସୁରଭି ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ‘ପଢ଼ିବା ଗଢ଼ିବା, ଓଡ଼ିଶା ପୁସ୍ତକମାଳା’ ଏବଂ ‘ଅକ୍ଷର ଓ ଅଙ୍କ’ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ। ଶିକ୍ଷାର୍ଥୀଙ୍କ ମଧ୍ୟରେ ପଠନ ଅଭ୍ୟାସ ଓ ମୌଳିକ ସାକ୍ଷରତା ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ୩୦୦ଟି ନୂତନ ଏବଂ ବୟସ ଉପଯୋଗୀ ପଠନ ସାମଗ୍ରୀ (Readers) ପ୍ରସ୍ତୁତ କରାଯାଇଛି।
ସେହିପରି ନିପୁଣ ଓଡ଼ିଶା ମିଶନର ସଫଳତା, ଅଭିନବ ପ୍ରୟାସ ଏବଂ ଛାତ୍ରଛାତ୍ରୀଙ୍କ ସୃଜନଶୀଳ କଳାକୃତିକୁ ନେଇ ପ୍ରସ୍ତୁତ ତ୍ରୈମାସିକ ପତ୍ରିକା ‘ଅକ୍ଷର ଓ ଅଙ୍କ’ ମଧ୍ୟ ଉନ୍ମୋଚିତ ହୋଇଥିଲା।
ବିଭିନ୍ନ ପ୍ରତିଯୋଗିତାରେ ଦେଖିବାକୁ ମିଳିଲା ପ୍ରତିଭାର ଝଲକ
ଚଳିତ ବର୍ଷ ସୁରଭି ମହୋତ୍ସବରେ ଚତୁର୍ଥରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, କୁଇଜ୍, ପ୍ରବନ୍ଧ ଲିଖନ, ବକ୍ତୃତା, ସୃଜନଶୀଳ ଲିଖନ, ସଙ୍ଗୀତ, ବିତର୍କ ଓ ଓଡ଼ିଆ ହସ୍ତାକ୍ଷର ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦ୍ଯାପନୀ ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ ପ୍ରଦର୍ଶନରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ତିନୋଟି ଜିଲ୍ଲାକୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
୨୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ
ଏହି ତିନିଦିନିଆ ରାଜ୍ୟସ୍ତରୀୟ ମହୋତ୍ସବରେ ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ୧୦୦୦ରୁ ଅଧିକ ସରକାରୀ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।
ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନୀୟ ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତକାର, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ମଡେଲ୍ ୟୁନାଇଟେଡ୍ ନେସନ୍ ପାଭିଲିୟନ୍, ବିଭିନ୍ନ କର୍ମଶାଳା, ପ୍ରଦର୍ଶନୀ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
ଚଳିତ ବର୍ଷ ମୋଟ ୨୧ଟି ଷ୍ଟଲ୍ରେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର, ଅନ୍ତର୍ଭୁକ୍ତିମୂଳକ ଶିକ୍ଷା, କ୍ରୀଡ଼ା ଉତ୍କର୍ଷତା କେନ୍ଦ୍ର, ବୃତ୍ତି ଚୟନ ସଚେତନତା ଓ ମାର୍ଗଦର୍ଶନ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ଛାତ୍ରାବାସ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ବିଭିନ୍ନ ଶିକ୍ଷା ଓ ଜନକଲ୍ୟାଣମୂଳକ ଯୋଜନା ପ୍ରଦର୍ଶିତ ହୋଇଥିଲା। ଏଥିସହ କାଗଜ ଭଙ୍ଗା କଳା ଓ ସଖୀ କଣ୍ଢେଇ ନାଚ ସମ୍ପର୍କିତ ସୃଜନଶୀଳ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା।
ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଶିକ୍ଷା ସହିତ ସାଂସ୍କୃତିକ ଓ ସାମାଜିକ ଅନୁଭୂତିକୁ ସମୃଦ୍ଧ କରିବାର ବାର୍ତ୍ତା ଦେଇ ଶେଷ ହୋଇଛି ଚଳିତ ବର୍ଷର ‘ସୁରଭି-୨୦୨୬’ ମହୋତ୍ସବ।
