ଅର୍ଥନୀତି ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣର ଶୁଭାରମ୍ଭ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଜ୍ୟପାଳ

Spread the love

ଭୁବନେଶ୍ୱର, ଅକ୍ଟୋବର ୧୫: ଲୋକଭବନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ଆବାସିକ ସୁବିଧା ବୃଦ୍ଧି ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ୧୪୪ଟି ନୂତନ ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ପ୍ରକଳ୍ପରେ ମୋଟ ୬ଟି ବ୍ଲକ୍‌ ନିର୍ମାଣ କରାଯିବ। ସେଥିମଧ୍ୟରୁ ୪ଟି ବ୍ଲକ୍‌ରେ ୯୬ଟି ଇ-ଟାଇପ୍‌ ଏବଂ ଅନ୍ୟ ୨ଟି ବ୍ଲକ୍‌ରେ ୪୮ଟି ଏଫ୍-ଟାଇପ୍‌ ଆବାସିକ କ୍ୱାର୍ଟର୍ସ ରହିବ। ଷ୍ଟିଲ୍ଟ୍‌ ସମେତ ଛଅ ମହଲା ବିଶିଷ୍ଟ ଏହି କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ଟର୍ଣ୍ଣକି ଭିତ୍ତିରେ କରାଯିବ। ମେ ୨୦୨୮ ସୁଦ୍ଧା ପ୍ରକଳ୍ପଟି ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଲୋକଭବନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ଆବାସିକ ସୁବିଧା ଯୋଗାଇଦେବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ନୂତନ କ୍ୱାର୍ଟର୍ସ ନିର୍ମାଣ ଦ୍ୱାରା ଦୀର୍ଘଦିନର ଆବାସିକ ସମସ୍ୟାର ସମାଧାନ ହେବା ସହ କର୍ମଚାରୀଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ଏଥିସହ ଏକ ଉନ୍ନତ ଓ ଅନୁକୂଳ କାର୍ଯ୍ୟପରିବେଶ ସୃଷ୍ଟି ହେବା ଦ୍ୱାରା ପ୍ରଶାସନିକ କାର୍ଯ୍ୟର ଦକ୍ଷତା ବୃଦ୍ଧିରେ ମଧ୍ୟ ଏହା ସହାୟକ ହେବ।

ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁ, ଇଞ୍ଜିନିୟର-ଇନ୍-ଚିଫ୍‌ (ସିଭିଲ୍‌) ପ୍ରିୟବ୍ରତ ସାମନ୍ତରା, ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍‌ (ଆର୍‌ ଆଣ୍ଡ ବି) ସର୍କଲ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ଅମିତାଭ ପ୍ରଧାନଙ୍କ ସମେତ ଲୋକଭବନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଐଶ୍ୱର୍ଯ୍ୟା ସାମନ୍ତ
ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *