Business Economy Farming ଅର୍ଥନୀତି ଜାତୀୟ ବାଣିଜ୍ୟ ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ବିଶ୍ୱ ଖାଦ୍ୟ ଦିବସରେ ମୋଦୀଙ୍କ ବାଣିଜ୍ୟ କୂଟନୀତିକୁ ପ୍ରଶଂସା କଲା ଓଡ଼ିଶା ବିଜେପି

Spread the love

କୃଷକଙ୍କ ଫସଲ ଓ ଗରିବଙ୍କ ଥାଳିକୁ WTO ନିୟମରୁ ସୁରକ୍ଷା ଦେଇଥିଲେ ମୋଦୀ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, ୧୬/୧୦: ବିଶ୍ୱ ଖାଦ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୪ ମସିହାର ବାଣିଜ୍ୟ କୂଟନୀତିକୁ ମନେ ପକାଇଛି ଓଡ଼ିଶା ବିଜେପି। କୃଷକଙ୍କ ଉତ୍ପାଦନର ଉଚିତ ମୂଲ୍ୟ ଓ ଗରିବଙ୍କ ଖାଦ୍ୟ ସୁରକ୍ଷା ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ସମ୍ମୁଖରେ ଭାରତର ଦୃଢ଼ ଆଭିମୁଖ୍ୟ ଏକ ଐତିହାସିକ ପଦକ୍ଷେପ ବୋଲି ଦଳର ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।

ଏକ ପ୍ରେସ୍ ବିବୃତିରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୨୦୧୪ରେ କ୍ଷମତାକୁ ଆସିବାର ମାତ୍ର ଦୁଇ ମାସ ପରେ ମୋଦୀ ସରକାର ସ୍ପଷ୍ଟ କରିଥିଲେ ଯେ, ବିଶ୍ୱ ବାଣିଜ୍ୟକୁ ଆଗକୁ ନେବା ସହ ଭାରତର କୃଷକ ଓ ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯିବ। ଏହି ନୀତି ଯୋଗୁଁ ଦେଶର କୃଷକଙ୍କ ହିତ ଓ ଗରିବଙ୍କ ଖାଦ୍ୟ ଅଧିକାର ସୁରକ୍ଷିତ ହୋଇପାରିଛି ବୋଲି ସେ ଦାବି କରିଛନ୍ତି।

୮୦ କୋଟିରୁ ଅଧିକ ଲୋକଙ୍କୁ ମିଳୁଛି ଖାଦ୍ୟଶସ୍ୟ

ଶ୍ରୀ ପଣ୍ଡାଙ୍କ କହିବା ଅନୁଯାୟୀ, ୨୦୨୪-୨୫ ମସିହାରେ ଭାରତ ସରକାର ସର୍ବନିମ୍ନ ସହାୟତା ମୂଲ୍ୟ (MSP)ରେ ୧,୧୭୫ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ କ୍ରୟ କରି ୧.୮୪ କୋଟି କୃଷକଙ୍କୁ ୩.୩୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ, ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି।

କୃଷକଙ୍କ ଉତ୍ପାଦନକୁ ଉଚିତ ମୂଲ୍ୟ ଦେବା ସହ ଗରିବଙ୍କ ଥାଳିରେ ଖାଦ୍ୟ ପହଞ୍ଚାଇବା ପାଇଁ ସରକାର ଏକ ବ୍ୟାପକ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଗଢ଼ିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

WTO ଚୁକ୍ତିକୁ ନେଇ ଭାରତର ଦୃଢ଼ ଆଭିମୁଖ୍ୟ

ବିଶ୍ୱ ବାଣିଜ୍ୟ ସଂଗଠନର ନିୟମ ଭାରତର କୃଷକଙ୍କ ସ୍ୱାର୍ଥ ଓ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଇପାରିଥାନ୍ତା ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତାଙ୍କ ମତରେ, WTOର କୃଷି ଚୁକ୍ତି ସମ୍ପର୍କିତ ବ୍ୟବସ୍ଥାକୁ ନେଇ ଭାରତ ଆପତ୍ତି ଉଠାଇ ନଥିଲେ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କିଲୋ ପିଛା ପ୍ରାୟ ୩.୫୦ ଟଙ୍କାରେ ସୀମିତ ରହିଥାନ୍ତା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ବୋନସକୁ ବାଦ୍ ଦେଲେ ଏହି ମୂଲ୍ୟ ୨୪.୪୧ ଟଙ୍କା ରହିଛି ବୋଲି ସେ ଦାବି କରିଛନ୍ତି।

୨୦୧୩ରେ ଇଣ୍ଡୋନେସିଆର ବାଲିଠାରେ ହୋଇଥିବା ନିଷ୍ପତ୍ତି ପରେ ମଧ୍ୟ ଖାଦ୍ୟ ସୁରକ୍ଷା ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିଲା। ତେଣୁ ଜୁଲାଇ ୨୦୧୪ରେ ଭାରତ WTOର କୃଷି ଚୁକ୍ତିକୁ ଆଗକୁ ନେବା ନେଇ ସହମତି ପ୍ରକାଶ କରିବାକୁ ମନା କରିଥିଲା। ଏହା ପରେ ନଭେମ୍ବର ୨୦୧୪ରେ WTO ପକ୍ଷରୁ ଏକ ଅନ୍ତରୀଣ ବ୍ୟବସ୍ଥା ସ୍ପଷ୍ଟ କରାଯାଇଥିଲା, ଯାହା ଅନୁଯାୟୀ ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ବିକାଶଶୀଳ ଦେଶଗୁଡ଼ିକ ନିଜ ଖାଦ୍ୟ ସୁରକ୍ଷା ଆବଶ୍ୟକତା ପାଇଁ ଖାଦ୍ୟଶସ୍ୟ କ୍ରୟ ଓ ସଂରକ୍ଷଣ କରିପାରିବେ ବୋଲି ସେ କହିଛନ୍ତି।

ଭାରତର ପ୍ରସ୍ତାବକୁ ୭୫ରୁ ଅଧିକ ଦେଶର ସମର୍ଥନ ଦାବି

ଖାଦ୍ୟ ସୁରକ୍ଷା ସମ୍ପର୍କିତ ସ୍ଥାୟୀ ସମାଧାନ ପାଇଁ ଭାରତର ଦାବିକୁ ୭୫ରୁ ଅଧିକ ବିକାଶଶୀଳ WTO ସଦସ୍ୟ ଦେଶ ସମର୍ଥନ କରୁଛନ୍ତି ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି। ତାଙ୍କ ମତରେ, ଭାରତର ଏହି ଆଭିମୁଖ୍ୟ କେବଳ ଦେଶର କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇନାହିଁ, ବରଂ ବିକାଶଶୀଳ ଦେଶଗୁଡ଼ିକର ଖାଦ୍ୟ ସୁରକ୍ଷା ପ୍ରସଙ୍ଗକୁ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଗୁରୁତ୍ୱ ଦେଇଛି।

କୃଷକଙ୍କ ସ୍ୱାର୍ଥ ପାଇଁ ପ୍ରାଚୀର ହୋଇ ଠିଆ ହେବି: ମୋଦୀ

୨୦୨୫ ମସିହା ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକଙ୍କ କ୍ଷତି କରୁଥିବା କୌଣସି ନୀତି ସମ୍ମୁଖରେ ପ୍ରାଚୀର ଭଳି ଠିଆ ହେବେ ବୋଲି କହିଥିବା କଥାକୁ ମଧ୍ୟ ଶ୍ରୀ ପଣ୍ଡା ମନେ ପକାଇଛନ୍ତି।

ବିଶ୍ୱ ଖାଦ୍ୟ ଦିବସ ଅବସରରେ ଓଡ଼ିଶା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ସେ କହିଛନ୍ତି ଯେ, ୨୦୧୪ରେ ନିଆଯାଇଥିବା ଦୃଢ଼ ବାଣିଜ୍ୟ କୂଟନୀତିକ ପଦକ୍ଷେପ ଆଜି କୃଷକଙ୍କ କ୍ଷେତ ଓ ଗରିବଙ୍କ ଥାଳି ମଧ୍ୟରେ ଏକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *