ଅଧିକ ଜାତୀୟ ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Spread the love

ଭୁବନେଶ୍ୱର ୭ମ OSAP ବାଟାଲିୟନ ପଡ଼ିଆରେ ପାଳିତ ହେଲା ୬୭ତମ ପୋଲିସ ସହିଦ ଦିବସ

ଭୁବନେଶ୍ୱର: ଦେଶର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଯାଇ ନିଜର ଅମୂଲ୍ୟ ଜୀବନକୁ ବଳିଦାନ ଦେଇଥିବା ବୀର ପୋଲିସ କର୍ମଚାରୀଙ୍କ ସ୍ମୃତିରେ ଭୁବନେଶ୍ୱରରେ ୬୭ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି। ସ୍ଥାନୀୟ ୭ମ OSAP ବାଟାଲିୟନ ପଡ଼ିଆରେ ଆୟୋଜିତ ଏହି ସ୍ମୃତିସଭାରେ ସହିଦ ପୋଲିସ କର୍ମଚାରୀଙ୍କ ଅମର ବଳିଦାନକୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ପୋଲିସ କମିସନର ଏସ୍. ଦେବଦତ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ପୋଲିସ କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରାଯାଇଥିଲା। ଦେଶର ବିଭିନ୍ନ ସ୍ଥାନରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ପ୍ରାଣବଳି ଦେଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାମ ପଠନ କରାଯାଇ ସେମାନଙ୍କ ସାହସ, କର୍ତ୍ତବ୍ୟନିଷ୍ଠା ଓ ଦେଶପ୍ରେମକୁ ସ୍ମରଣ କରାଯାଇଥିଲା।

ପରେ ପ୍ୟାରେଡ୍ ଗ୍ରାଉଣ୍ଡସ୍ଥିତ ସହିଦ ସ୍ମୃତିସ୍ତମ୍ଭ ନିକଟରେ ବରିଷ୍ଠ ପୋଲିସ ଅଧିକାରୀମାନେ ପୁଷ୍ପ ଅର୍ପଣ କରି ଅମର ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ, ସଞ୍ଜୀବ ମାରିକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ମଜବୁତ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସହ ଆଇନଶୃଙ୍ଖଳା ବଜାୟ ରଖିବାରେ ପୋଲିସ ବାହିନୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କର୍ତ୍ତବ୍ୟ ପାଳନ କରିବାକୁ ଯାଇ ଜୀବନ ହାରାଇଥିବା ସହିଦ ପୋଲିସ କର୍ମଚାରୀଙ୍କ ତ୍ୟାଗ ଓ ବଳିଦାନ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଏହି ଦିବସ ସେମାନଙ୍କ ଅମର ସ୍ମୃତିକୁ ପୁନର୍ଜୀବିତ କରିବା ସହ ଦେଶ ପ୍ରତି ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବାର ଏକ ଅବସର ପାଲଟିଛି।

Leave a Reply

Your email address will not be published. Required fields are marked *