ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସ୍ୱତନ୍ତ୍ର

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ

Spread the love

ନୂତନ ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲ୍‌ର ଶୁଭାରମ୍ଭ; ୮ ମାସରେ ୧୧ ହଜାର ରାଜସ୍ୱ ମାମଲାର ଫଇସଲା

ଭୁବନେଶ୍ୱର, ସେପ୍ଟେମ୍ବର ୧୧: ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ସୁଗମ, ସୁସଂଗଠିତ ଓ ନାଗରିକମୁଖୀ କରିବା ଦିଗରେ ରାଜସ୍ୱ ପର୍ଷଦ, ଓଡ଼ିଶା ନେଇଛି ଏକ ନୂଆ ପଦକ୍ଷେପ। ଆଜି ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ ପର୍ଷଦର ନୂତନ ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲ୍‌ର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାଜସ୍ୱ ପର୍ଷଦର ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁ, ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀଙ୍କ ସମେତ ରାଜସ୍ୱ ପ୍ରଶାସନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ନୂତନ ୱେବସାଇଟ୍ ଓ ଜର୍ଣ୍ଣାଲ୍ କେବଳ ଦୁଇଟି ନୂଆ ପଦକ୍ଷେପ ନୁହେଁ, ବରଂ ରାଜସ୍ୱ ପ୍ରଶାସନରେ ପ୍ରଯୁକ୍ତି, ସୂଚନା ଓ ନ୍ୟାୟିକ ଜ୍ଞାନକୁ ଅଧିକ ବ୍ୟାପକ ଭାବେ ଉପଲବ୍ଧ କରାଇବାର ଏକ ନୂଆ ଅଧ୍ୟାୟ। ଜମି, ଭୂ-ଅଭିଲେଖ, ଅଧିକାର, ରାଜସ୍ୱ ଆଇନ ଓ ଜମିଜମା ବିବାଦର ସମାଧାନରେ ରାଜସ୍ୱ ପର୍ଷଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

୮ ମାସରେ ୧୧ ହଜାର ମାମଲାର ଫଇସଲା

ରାଜସ୍ୱ ପର୍ଷଦ ଅଧୀନରେ କାର୍ଯ୍ୟରତ ୪୧ଟି ରିଭିଜନାଲ୍ କୋର୍ଟ ଗତ ୮ ମାସ ମଧ୍ୟରେ ପ୍ରାୟ ୧୧,୦୦୦ଟି ରାଜସ୍ୱ ମାମଲାର ନିଷ୍ପତ୍ତି ନେଇଛନ୍ତି। ରାଜସ୍ୱ ମାମଲାର ଫଇସଲା ପ୍ରକ୍ରିୟାରେ ଏହି ଗତିକୁ ରାଜସ୍ୱ ମନ୍ତ୍ରୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ସେହିପରି ରାଜସ୍ୱ ପର୍ଷଦର ଭିତ୍ତିଭୂମି ସୁଦୃଢ଼ କରିବା ସହ ପର୍ଯ୍ୟାପ୍ତ ମାନବସମ୍ବଳ ଯୋଗାଇବା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଖୁବଶୀଘ୍ର ଯାଜପୁର, କେନ୍ଦ୍ରାପଡ଼ା, ବରଗଡ଼ ସମେତ ଅନ୍ୟାନ୍ୟ ଜିଲ୍ଲାରେ ନୂତନ ରାଜସ୍ୱ ରିଭିଜନାଲ୍ କୋର୍ଟ ଉଦ୍‌ଘାଟନ କରାଯିବ ବୋଲି ଜଣାପଡ଼ିଛି।

ତ୍ରୈମାସିକ ଜର୍ଣ୍ଣାଲ୍‌ ହେବ ମାର୍ଗଦର୍ଶିକା

ରାଜସ୍ୱ ପର୍ଷଦ ପକ୍ଷରୁ ପ୍ରକାଶିତ ନୂତନ ତ୍ରୈମାସିକ ଜର୍ଣ୍ଣାଲ୍‌ରେ ରାଜସ୍ୱ ଆଇନ, ଜମିଜମା ବିବାଦ, ରେକର୍ଡ ସଂଶୋଧନ, ଜମିର କିସମ, ସ୍ୱତ୍ୱ, ଦଖଲ, ମ୍ୟୁଟେସନ୍‌, ଲିଜ୍‌, ସରକାରୀ ଜମି ଓ ଅନ୍ୟାନ୍ୟ ଜଟିଳ ରାଜସ୍ୱ ପ୍ରସଙ୍ଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଓ ଦୃଷ୍ଟାନ୍ତମୂଳକ ଆଦେଶ ସ୍ଥାନ ପାଇବ।

ଏହା ତଳସ୍ତରର ରାଜସ୍ୱ ଅଦାଲତ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ପାଇଁ ଏକ ପ୍ରାମାଣିକ ସନ୍ଦର୍ଭ ଓ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ। ତହସିଲଦାର, ଅତିରିକ୍ତ ତହସିଲଦାର, ଉପଜିଲ୍ଲାପାଳ ଓ ଅନ୍ୟ ରାଜସ୍ୱ ଅଧିକାରୀମାନେ ଜଟିଳ ମାମଲାର ନିଷ୍ପତ୍ତି ସମୟରେ ରାଜସ୍ୱ ପର୍ଷଦର ପୂର୍ବ ନିଷ୍ପତ୍ତିରୁ ମାର୍ଗଦର୍ଶନ ପାଇପାରିବେ।

ୱେବସାଇଟ୍‌ରେ ଏକ ସ୍ଥାନରେ ରାଜସ୍ୱ ସୂଚନା

ନୂତନ ୱେବସାଇଟ୍‌ ମାଧ୍ୟମରେ ରାଜସ୍ୱ ପର୍ଷଦର ବିଭିନ୍ନ କାର୍ଯ୍ୟକଳାପ, ଶାଖା ଓ ବିଭାଗ ସମ୍ପର୍କିତ ସୂଚନା ଏକ ସୁସଂଗଠିତ ଡିଜିଟାଲ୍ ମଞ୍ଚରେ ଉପଲବ୍ଧ ହେବ। ଏଥିସହିତ ଭୂ-ସଂସ୍କାର ଆୟୁକ୍ତ, ଭୂ-ଅଭିଲେଖ ଓ ବନ୍ଦୋବସ୍ତ ଆୟୁକ୍ତ, ଚକବନ୍ଦୀ ଏବଂ ନିବନ୍ଧନ ମହାନିରୀକ୍ଷକଙ୍କ ଭଳି ପ୍ରମୁଖ ରାଜସ୍ୱ ସଂସ୍ଥା ସମ୍ପର୍କିତ ସୂଚନା ମଧ୍ୟ ସହଜରେ ମିଳିପାରିବ।

ପୂର୍ବରୁ ରାଜସ୍ୱ ପର୍ଷଦର ଜର୍ଣ୍ଣାଲ୍ ସାଧାରଣତଃ ବାର୍ଷିକ ଭିତ୍ତିରେ ପ୍ରକାଶ ପାଉଥିଲା। କିନ୍ତୁ ଗତ ୮ ମାସରେ ପ୍ରାୟ ୧୧ ହଜାର ମାମଲାର ଫଇସଲା ହେବା ପରେ ଗୁରୁତ୍ୱପୂର୍ଣ୍ଣ ଆଦେଶଗୁଡ଼ିକୁ ଅଧିକ ନିୟମିତ ଭାବେ ଉପଲବ୍ଧ କରାଇବା ପାଇଁ ଏବେ ତ୍ରୈମାସିକ ଜର୍ଣ୍ଣାଲ୍ ପ୍ରକାଶନର ବ୍ୟବସ୍ଥା କରାଯାଇଛି।

ରାଜସ୍ୱ ମନ୍ତ୍ରୀ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଜମିଜମା ସମ୍ବନ୍ଧୀୟ ମାମଲାର ତ୍ୱରିତ ସମାଧାନ, ନ୍ୟାୟିକ ପ୍ରକ୍ରିୟାରେ ସାମଞ୍ଜସ୍ୟ ଓ ସ୍ୱଚ୍ଛତା ବୃଦ୍ଧିରେ ଏହା ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

ଏଥିସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଓ ପୁନରୁଦ୍ଧାର ଦିଗରେ ରାଜସ୍ୱ ପର୍ଷଦର ତ୍ୱରିତ, ନିରପେକ୍ଷ ଓ ସକାରାତ୍ମକ ନିଷ୍ପତ୍ତି ପାଇଁ ମନ୍ତ୍ରୀ ପର୍ଷଦକୁ ସାଧୁବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *