୫୦ ଲକ୍ଷର ଦୁର୍ଘଟଣା ବୀମା ସହ ମିଳିବ ଏୟାର୍ ଆମ୍ବୁଲାନ୍ସ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା
ଭୁବନେଶ୍ୱର: ଦୁର୍ଗମ ଓ ନକ୍ସଲ ପ୍ରବଣ ଅଞ୍ଚଳରେ କଠିନ ପରିସ୍ଥିତିରେ ଦାୟିତ୍ୱ ତୁଲାଉଥିବା ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଯବାନମାନଙ୍କୁ ଅତିରିକ୍ତ ସୁବିଧା ଓ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ପୋଲିସର ଅପରେସନ୍ସ ୱିଙ୍ଗ୍ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି।
ଭୁବନେଶ୍ୱରସ୍ଥିତ ଅପରେସନ୍ସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ନକ୍ସଲ ବିରୋଧୀ ଅଭିଯାନର ଡିଜିପି ଶ୍ରୀ ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସ୍ବିଆଇକୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏହି ସୁବିଧାଗୁଡ଼ିକ ଅତ୍ୟନ୍ତ ଉପଯୋଗୀ ହେବା ସହ ସେମାନଙ୍କ ମନୋବଳ ବଢ଼ାଇବ।
୪ ହଜାର ଯବାନ ପାଇବେ ସୁବିଧା
ବର୍ତ୍ତମାନ ରାଜ୍ୟର ୪ଟି ଓଏସ୍ଏସ୍ଏଫ୍ ବାଟାଲିୟନ୍ରେ ପ୍ରାୟ ୪,୦୦୦ ପୂର୍ବତନ ସେନା ଓ ସିଏପିଏଫ୍ ଯବାନ କାର୍ଯ୍ୟରତ ଅଛନ୍ତି। ବିଶେଷକରି ନକ୍ସଲ ବିରୋଧୀ ଅଭିଯାନ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସେମାନେ ନିୟୋଜିତ ଅଛନ୍ତି।
ଏମ୍ଓୟୁ ଅନୁଯାୟୀ, ଯବାନମାନେ ଏସ୍ବିଆଇର କର୍ପୋରେଟ୍ ସାଲାରୀ ପ୍ୟାକେଜ୍ ଅଧୀନରେ ଅନେକ ଅତିରିକ୍ତ ସୁବିଧା ପାଇବେ।

କ’ଣ ମିଳିବ ସୁବିଧା?
- ୫୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା
- ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏୟାର୍ ଆମ୍ବୁଲାନ୍ସ ଖର୍ଚ୍ଚ
- ସନ୍ତାନଙ୍କ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା
- ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା
- ପରିବାର ସଦସ୍ୟଙ୍କ ପାଇଁ ‘ରିଷ୍ଟେ ଆକାଉଣ୍ଟ’
- ବ୍ୟକ୍ତିଗତ ଋଣର ସୁବିଧା
- ବାର୍ଷିକ ୧,୯୯୯ ଟଙ୍କା ପ୍ରିମିୟମ୍ରେ ୫ ଲକ୍ଷ ଟଙ୍କାର ଇଚ୍ଛାଧୀନ ସ୍ୱାସ୍ଥ୍ୟ ବୀମା
ଦୁଇ ପକ୍ଷର ଅଧିକାରୀଙ୍କ ସ୍ୱାକ୍ଷର
ଓଡ଼ିଶା ପୋଲିସ ପକ୍ଷରୁ ଆଇଜିପି (ଅପରେସନ୍ସ) ଡ. ଦୀପକ କୁମାର ଏବଂ ଏସ୍ବିଆଇ ପକ୍ଷରୁ ଡିଜିଏମ୍ ଶ୍ରୀ ଆଶିଷ କୁମାର ମିଶ୍ର ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ।
କାର୍ଯ୍ୟକ୍ରମରେ ଏସ୍ଓଜି କମାଣ୍ଡାଣ୍ଟ ଶ୍ରୀ ଲୋଚନ ପଶାୟତ, ଓଏସ୍ଏସ୍ଏଫ୍ର ଭାରପ୍ରାପ୍ତ କମାଣ୍ଡାଣ୍ଟ ଶ୍ରୀ ରାମଚନ୍ଦ୍ର ପ୍ରଧାନଙ୍କ ସମେତ ଓଏସ୍ଏସ୍ଏଫ୍ ଓ ଏସ୍ବିଆଇର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଏମ୍ଓୟୁ ଫଳରେ ଓଏସ୍ଏସ୍ଏଫ୍ ଯବାନ ଓ ସେମାନଙ୍କ ପରିବାରକୁ ସରକାରୀ ସୁବିଧା ବ୍ୟତୀତ ଅତିରିକ୍ତ ଆର୍ଥିକ, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ମିଳିବା ସହ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଯବାନଙ୍କ ମନୋବଳ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
