କଳା ଓ ସଂସ୍କୃତି ଧର୍ମ ରାଜନୀତି ରାଜ୍ୟ ସଂସ୍କୃତି ସାମାଜିକ

କେନ୍ଦ୍ରାଞ୍ଚଳ ରେଞ୍ଜରେ ଆଇନ-ଶୃଙ୍ଖଳା ସମୀକ୍ଷା: ପାର୍ବଣ ପୂର୍ବରୁ ସୁରକ୍ଷା ପ୍ରସ୍ତୁତିକୁ ଗୁରୁତ୍ୱ

Spread the love

କଟକ, ୮ ସେପ୍ଟେମ୍ବର ୨୦୨୬: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ରେଞ୍ଜରେ ଆଇନ-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦେଇଛନ୍ତି ଡିଜିପି ଶ୍ରୀ ବିନୟତୋଷ ମିଶ୍ର। ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ତାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା।

ବୈଠକରେ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ ଅପରାଧ ଦମନ, ‘ନିଶାମୁକ୍ତ ଓଡ଼ିଶା’ ଗଠନ, ସାଇବର ଅପରାଧ ନିୟନ୍ତ୍ରଣ ଏବଂ ମାମଲାର ତଦନ୍ତ ତ୍ୱରାନ୍ୱିତ କରି ସମୟୋଚିତ ଚାର୍ଜସିଟ୍ ଦାଖଲ ଉପରେ ଆଲୋଚନା ହୋଇଥିଲା। ଏଥିସହ ଦଣ୍ଡାଦେଶ ହାର ବୃଦ୍ଧି ପାଇଁ ମଧ୍ୟ ଡିଜିପି ଜିଲ୍ଲା ଏସ୍‌ପିମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।

ପାର୍ବଣ ପାଇଁ ଆଗୁଆ ଯୋଜନା

ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି/କାଳୀପୂଜା, ଅଁଳା ନବମୀ, ପଞ୍ଚୁକ ଓ ବାଲିଯାତ୍ରା ଭଳି ପର୍ବପର୍ବାଣୀକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ ଓ ସୁଚାରୁ ଟ୍ରାଫିକ ପରିଚାଳନାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିସହ ଶାନ୍ତି କମିଟି ବୈଠକ କରି ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ସଂଗଠନ ଓ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିଙ୍କ ସହ ନିରନ୍ତର ସମନ୍ୱୟ ରଖିବାକୁ ଏସ୍‌ପିମାନଙ୍କୁ ପରାମର୍ଶ ଦିଆଯାଇଛି।

ଗୁଜବ ଓ ସୋସିଆଲ ମିଡିଆ ଉପରେ ନଜର

ସାମ୍ପ୍ରଦାୟିକ ଭାବେ ସମ୍ବେଦନଶୀଳ ଅଞ୍ଚଳରେ ନିୟମିତ ନଜର ରଖିବା ସହ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ, ଉତ୍ତେଜନାମୂଳକ, ଆପତ୍ତିଜନକ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନିରନ୍ତର ନଜର ରଖି ଅପପ୍ରଚାରକୁ ମୁକାବିଲା କରିବା ସହ ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି।

ବେଆଇନ ଖଣିଜ ପରିବହନ ଓ ଗୋ-ଚାଲାଣ ଉପରେ କଡ଼ା ନଜର

ଅଭ୍ୟାସଗତ ଅପରାଧୀ ଓ ସଂଗଠିତ ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖି ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ଡିଜିପି କହିଥିଲେ।

ବେଆଇନ ଗୋ-ଚାଲାଣ, ଖଣିଜ ଉତ୍ତୋଳନ ଓ ପରିବହନ ରୋକିବା ପାଇଁ ନାକା ଚେକିଂ ଓ ପାଟ୍ରୋଲିଂ ବଢ଼ାଇବା, ନିୟମିତ ଚଢ଼ାଉ ଏବଂ ଯାନବାହନ ଯାଞ୍ଚ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଥାନାସ୍ତରରେ ଲୋକଙ୍କ ସହ ସମ୍ପର୍କ ବଢ଼ାଇବାକୁ ନିର୍ଦ୍ଦେଶ

ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଆଇନ-ଶୃଙ୍ଖଳା ରକ୍ଷାର ଏକ ମୁଖ୍ୟ ଦିଗ ବୋଲି ଡିଜିପି କହିଥିଲେ। ଥାନା ଅଧିକାରୀମାନେ ନିଜ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକ ଓ ଜନପ୍ରତିନିଧିଙ୍କ ସହ ଯୋଗାଯୋଗ ବଢ଼ାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଏସ୍‌ଡିପିଓମାନେ ନିୟମିତ ଭାବେ ଅଧୀନସ୍ଥ ଥାନା ପରିଦର୍ଶନ କରି ଥାନାର କାର୍ଯ୍ୟପ୍ରଣାଳୀ, ଅପରାଧ ତଦନ୍ତ, ମାମଲାର ଅଗ୍ରଗତି ଓ ପୋଲିସ ସେବା ପ୍ରଦାନ ବ୍ୟବସ୍ଥାର ତଦାରଖ କରିବାକୁ କୁହାଯାଇଛି।

ବୈଠକରେ ଏଡିଜିପି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଏଡିଜିପି (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଏଡିଜିପି (ଏଚ୍‌ଆର୍‌ପିସି) ୟତୀନ୍ଦ୍ର କୋଏଲ, ଆଇଜିପି (ପର୍ସୋନେଲ) ଏସ୍. ପ୍ରବୀଣ କୁମାର, ଆଇଜିପି (ଏସଟିଏଫ) ହିମାଂଶୁ ଲାଲ, ନିର୍ଦ୍ଦେଶକ (ଏସସିଆରବି) ଅବିନାଶ କୁମାର, ଡିଆଇଜିପି (ଏଚଆରପିସି) ରାଜେଶ ପଣ୍ଡିତ, ଆଇଜିପି (କ୍ରାଇମବ୍ରାଞ୍ଚ) ଡ. ସାର୍ଥକ ଷଡଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ନୀତି ଶେଖର, ଆଇଜିପି (କେନ୍ଦ୍ରାଞ୍ଚଳ) ଡ. ସତ୍ୟଜିତ ନାଏକ, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଏସ୍‌ପିମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *