ଭୁବନେଶ୍ୱର: ଦଳୀୟ ହ୍ୱିପ୍ ବିରୋଧରେ ଭୋଟ ଦେବା ପ୍ରସଙ୍ଗରେ ବିଜେଡି ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ସ୍ୱାଗତ କରିଛନ୍ତି। ଏଥିସହ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗରେ ହାଇକୋର୍ଟ ଯିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।
ସୁରେଶ ରାଉତରାୟ କହିଛନ୍ତି, ଯେଉଁ ଦଳର ଚିହ୍ନରେ ନିର୍ବାଚନ ଜିତି ବିଧାୟକ ହେଉଛନ୍ତି, ପରବର୍ତ୍ତୀ ସମୟରେ ସେହି ଦଳର ନିଷ୍ପତ୍ତି କିମ୍ବା ହ୍ୱିପ୍ ବିରୋଧରେ ଯିବା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଉଚିତ ନୁହେଁ। ଏଭଳି ଘଟଣାରେ ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ ମତ ଦେଇଛନ୍ତି।
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏନେଇ ହାଇକୋର୍ଟ ଯିବାର ନିଷ୍ପତ୍ତି ନେଇଥିବାରୁ ଏହା ଉଚିତ ପଦକ୍ଷେପ ବୋଲି ସୁରେଶ କହିଛନ୍ତି। ଦଳ ବିରୋଧରେ ଯାଇଥିବା ବିଧାୟକମାନଙ୍କ ବିରୋଧରେ ଦଣ୍ଡବିଧାନ ହେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।
ଅନ୍ୟପଟେ, କଂଗ୍ରେସର କିଛି ବିଧାୟକଙ୍କ କ୍ରସ୍ ଭୋଟିଂ ପ୍ରସଙ୍ଗରେ ସୁରେଶ ରାଉତରାୟ କହିଛନ୍ତି ଯେ, ଏନେଇ ଦଳୀୟ ସ୍ତରରେ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଉଚିତ ନିଷ୍ପତ୍ତି ନେବେ। ତେବେ ନିଜ ପକ୍ଷରୁ ସେ ପିସିସି ସଭାପତିଙ୍କୁ କଂଗ୍ରେସ ମଧ୍ୟ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି, ଦଳୀୟ ଟିକେଟରେ ନିର୍ବାଚନ ଜିତିବା ପରେ ଯଦି କୌଣସି ବିଧାୟକ ଦଳ ବିରୋଧରେ ଯାଆନ୍ତି, ତେବେ ଏହା ଦଳ ପ୍ରତି ବିଶ୍ୱାସଘାତ ସଦୃଶ। ବିଧାୟକମାନେ ଗଣତନ୍ତ୍ରକୁ ଖେଳନା ଭାବେ ନେବା ଉଚିତ ନୁହେଁ। ଏଭଳି ଘଟଣାରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସେ କହିଛନ୍ତି।
