ଚାଷୀଙ୍କ ଆୟ ବଢ଼ାଇବା ସହ ଦେଶୀ ଧାନ ଓ ମାଣ୍ଡିଆକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୧୦ ସେପ୍ଟେମ୍ବର ୨୦୨୬: ଓଡ଼ିଶାର ଦେଶୀ ଧାନ, ମାଣ୍ଡିଆ ଓ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟଶସ୍ୟକୁ ଆଧୁନିକ ପ୍ରକ୍ରିୟାକରଣ ସହ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ପ୍ରସ୍ତାବିତ ଆଧୁନିକ ‘ରାଇସ୍ ଓ ମିଲେଟ୍ ପ୍ରୋସେସିଂ କାରଖାନା’ ସ୍ଥାପନ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ଉପମୁଖ୍ୟମନ୍ତ୍ରୀ, ଫିଲିପାଇନ୍ସସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (IRRI)ର ମୁଖ୍ୟ ବୈଜ୍ଞାନିକ ଡ. ନେସେ ଶ୍ରୀନିବାସୁଲୁ, କୃଷି ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ ଓ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ମାନସୀ ନିମ୍ଭାଲ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
୩,୮୪୫ ବର୍ଗମିଟର ଅଞ୍ଚଳରେ ହେବ କାରଖାନା
ପ୍ରସ୍ତାବିତ କାରଖାନାଟି ପ୍ରାୟ ୩,୮୪୫ ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯିବ। ଚାଷୀ, କୃଷକ ଉତ୍ପାଦକ ସଂଗଠନ (FPO), ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବେସରକାରୀ ସହଯୋଗୀ ଓ ସରକାରୀ ଅନୁଷ୍ଠାନର ମିଳିତ ସହଯୋଗରେ ଏହାକୁ ପରିଚାଳନା କରିବାର ଯୋଜନା ରହିଛି।
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କୁ ଉନ୍ନତ ପ୍ରଶିକ୍ଷଣ, ଉନ୍ନତମାନର ଦେଶୀ ବିହନ ଏବଂ ସିଧାସଳଖ ବଜାର ସଂଯୋଗ ଯୋଗାଇ ଆୟ ବୃଦ୍ଧି କରିବା।
୨୯ ଦେଶୀ ଧାନ କିସମ ଉପରେ ଗୁରୁତ୍ୱ
ପ୍ରକଳ୍ପ ଅଧୀନରେ ଓଡ଼ିଶାର ୨୯ଟି ସ୍ଥାନୀୟ ଦେଶୀ ଧାନ କିସମର ଗୁଣବତ୍ତା ପରୀକ୍ଷା କରାଯାଇଛି। ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (Low-GI), ଅଧିକ ପ୍ରୋଟିନ୍, ଭଲ ମିଲିଂ କ୍ଷମତା ଓ ସୁଗନ୍ଧ ଭଳି ବିଶେଷ ଗୁଣ ଥିବା ଧାନକୁ ପ୍ରାଥମିକତା ଦିଆଯାଉଛି।
ବିଶେଷ ଭାବେ କଳାଜିରା ଧାନ, Low-GI ଚାଉଳ ଓ ବ୍ଲାକ୍ ରାଇସ୍ ପ୍ରକ୍ରିୟାକରଣ ପାଇଁ ସ୍ୱତନ୍ତ୍ର ୟୁନିଟ୍ ସ୍ଥାପନର ଯୋଜନା ରହିଛି। ବ୍ଲାକ୍ ରାଇସ୍କୁ ବିଶେଷ କରି ରପ୍ତାନି ବଜାରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ରହିବ।
ଚାଉଳ ସହ ତିଆରି ହେବ ମିଲେଟ୍ ଓ ବେକେରୀ ସାମଗ୍ରୀ
କାରଖାନାରେ କେବଳ ଚାଉଳ ପ୍ରକ୍ରିୟାକରଣ ନୁହେଁ, ମଲ୍ଟି-ମିଲେଟ୍ ଫ୍ଲେକ୍ସ, ମୋଟା IRRI-୧୪୭ ଚାଉଳ ଫ୍ଲେକ୍ସ, ଜିରା କୁକିଜ୍ ସମେତ ବିଭିନ୍ନ ବେକେରୀ ସାମଗ୍ରୀ ପ୍ରସ୍ତୁତ କରାଯିବ।
ଏହି ଉତ୍ପାଦଗୁଡ଼ିକୁ ‘ସୁଭଦ୍ରା ଶକ୍ତି ବଜାର’ ମାଧ୍ୟମରେ ବିକ୍ରି କରିବା ସହ ଦେଶ ଓ ବିଦେଶର ବଜାରକୁ ପଠାଇବାର ଯୋଜନା ରହିଛି।
ଚାଷୀ ଓ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଲକ୍ଷ୍ୟ
ଆଧୁନିକ ଶିଳ୍ପ ଭିତ୍ତିଭୂମି ସହ କମ୍ୟୁନିଟି ଭାଗୀଦାରିକୁ ଯୋଡ଼ି ଓଡ଼ିଶାର କୃଷି ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ନୂଆ ପରିଚୟ ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା ଚାଷୀଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ମିଳିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମଧ୍ୟ ନୂଆ ରୋଜଗାର ଓ ଆୟର ସୁଯୋଗ ସୃଷ୍ଟି ହେବ।
