Economy ଅର୍ଥନୀତି କଳା ଓ ସଂସ୍କୃତି ଧର୍ମ ରାଜନୀତି ରାଜ୍ୟ ସଂସ୍କୃତି

ମହାପ୍ରଭୁଙ୍କ ଜମିରେ ଦଖଲକାରୀଙ୍କୁ ସେଟଲମେଣ୍ଟର ସୁଯୋଗ

Spread the love

୨୦୦୭ ପୂର୍ବରୁ ଭୋଗଦଖଲରେ ଥିଲେ ହୋଇପାରିବ ସେଟଲମେଣ୍ଟ, ମାସେ ଭିତରେ ଆସିବ ପୋର୍ଟାଲ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ଦୀର୍ଘଦିନ ଧରି ଭୋଗଦଖଲରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ୨୦୦୭ ମସିହା ପୂର୍ବରୁ ଘରବାଡ଼ି ଜମି ଦଖଲରେ ଥିଲେ ନିର୍ଦ୍ଧାରିତ ନିୟମ ଓ ହାରରେ ଜମି ସେଟଲମେଣ୍ଟ କରାଯାଇପାରିବ। ଏଥିପାଇଁ ଖୁବଶୀଘ୍ର ଅନଲାଇନ୍ ପୋର୍ଟାଲ ଆରମ୍ଭ କରିବେ ରାଜ୍ୟ ସରକାର।

ଏହି ପ୍ରକ୍ରିୟାକୁ ଅନଲାଇନ୍ ଓ ପାରଦର୍ଶୀ କରାଯିବ। ଆବେଦନଠାରୁ ଆରମ୍ଭ କରି ଜମି ଯାଞ୍ଚ, NOC, ଅନୁମୋଦନ, ଅର୍ଥ ଜମା, ରେଜିଷ୍ଟ୍ରେସନ୍ ଓ ରେକର୍ଡ ସଂଶୋଧନ—ସମସ୍ତ ପର୍ଯ୍ୟାୟ ଏହି ପୋର୍ଟାଲ ମାଧ୍ୟମରେ କରାଯିବ।

କେମିତି କରିବେ ଆବେଦନ?

ଶ୍ରୀଜଗନ୍ନାଥ ମନ୍ଦିର ଭୂମି ସଂଚାଳନ କମିଟି ଜିଲ୍ଲାପାଳଙ୍କ ଦ୍ୱାରା ଗଠନ କରାଯିବ। ଏଥିରେ ଆଡମିନିଷ୍ଟ୍ରେଟର ନୋଡାଲ ଅଫିସର ଭାବେ ଦାୟିତ୍ୱ ନେବେ।

ଆବେଦନକାରୀଙ୍କୁ ରେକର୍ଡ, ରେଜିଷ୍ଟର୍ଡ ଡିଡ୍, ଭଡ଼ା ରସିଦ, ଆବଶ୍ୟକ ହେଲେ ଲିଗାଲ୍ ହେୟାର୍ ସାର୍ଟିଫିକେଟ୍ ଏବଂ ଭୋଗଦଖଲ ସମ୍ପର୍କିତ ଦଲିଲ ଦାଖଲ କରିବାକୁ ହେବ। ଆବେଦନ ସମୟରେ ୧,୦୦୦ ଟଙ୍କା ନନ୍-ରିଫଣ୍ଡେବଲ୍ ଫି ଦେବାକୁ ପଡ଼ିବ।

ଆବେଦନ ପରେ ମାମଲା ସମ୍ପୃକ୍ତ ଜିଲ୍ଲା କଲେକ୍ଟରେଟ୍‌କୁ ଯିବ। ୭ ଦିନ ମଧ୍ୟରେ ନୋଡାଲ ଅଫିସର ପ୍ରାଥମିକ ଯାଞ୍ଚ କରିବେ। ଏହାପରେ ତହସିଲଦାରଙ୍କ ଦ୍ୱାରା ଫିଲ୍ଡ ଇନକ୍ୱାରି କରାଯିବ।

ଫିଲ୍ଡ ଇନକ୍ୱାରିରେ ସାଇଟ୍ ଭିଜିଟ୍, ଜମିର ସ୍କେଡ୍ୟୁଲ୍ ଓ ଟ୍ରେସ୍ ମ୍ୟାପ୍, ସାବିକ-ହାଲ୍ ତୁଳନା, ଭୋଗଦଖଲ, ଟାଇଟଲ୍ ସହ ଅନ୍ୟାନ୍ୟ ଦଲିଲ ଯାଞ୍ଚ ହେବ।

୩୦ ଦିନରେ ତହସିଲଦାରଙ୍କ ରିପୋର୍ଟ

ତହସିଲଦାରଙ୍କୁ ୩୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ହେବ। ଏହାପରେ ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା ଜିଲ୍ଲାସ୍ତରୀୟ କମିଟି ରିପୋର୍ଟ ଯାଞ୍ଚ କରିବ।

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ଟେମ୍ପଲ୍ ମ୍ୟାନେଜିଂ କମିଟିର NOC ଆବଶ୍ୟକ ହେବ। NOC ମିଳିବା ପରେ ଜିଲ୍ଲାସ୍ତରୀୟ କମିଟି ସେଟଲମେଣ୍ଟ, ପ୍ରତ୍ୟାଖ୍ୟାନ କିମ୍ବା ଅଧିକ ତଦନ୍ତ ପାଇଁ ସୁପାରିସ୍ କରିପାରିବ।

ଜମିର ପରିମାଣ ଅନୁସାରେ ୩ ସ୍ତରରେ ନିଷ୍ପତ୍ତି

  • କଲେକ୍ଟର: ୫୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧ ଏକର ପର୍ଯ୍ୟନ୍ତ କୃଷି ଜମି।
  • RDC: ୫୦ରୁ ୧୦୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧ରୁ ୨ ଏକର ପର୍ଯ୍ୟନ୍ତ କୃଷି ଜମି।
  • ଆଇନ ବିଭାଗ ସଚିବ: ୧୦୦ରୁ ୧୫୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧୫୦ ଡେସିମିଲ୍ ପର୍ଯ୍ୟନ୍ତ କମର୍ସିଆଲ୍ ଜମି।

DLSCର ସୁପାରିସ୍ ପରେ Competent Authority ଏକ ମାସ ମଧ୍ୟରେ ନିଷ୍ପତ୍ତି ନେବେ।

ଦଖଲ ଅବଧି ଅନୁସାରେ ସେଟଲମେଣ୍ଟ ଦର

ଘରବାଡ଼ି ଜମି ପାଇଁ ୨୦୦୭ ପୂର୍ବରୁ ଦଖଲରେ ଥିବା ଆବଶ୍ୟକ। ଦଖଲ ସମୟ ଅନୁସାରେ ହାର ମଧ୍ୟ ଧାର୍ଯ୍ୟ କରାଯାଇଛି।

୩୦ ବର୍ଷରୁ ଅଧିକ ଦଖଲ:
ସାଧାରଣ ଲୋକ – ୧୦%
ସେବକ – ୫%
ନିଯୋଗ ସେବକ – ୭.୫%

୨୦ରୁ ୩୦ ବର୍ଷ ଦଖଲ:
ସାଧାରଣ ଲୋକ – ୧୫%
ସେବକ – ୭.୫%
ନିଯୋଗ ସେବକ – ୧୦%

୧୨ରୁ ୨୦ ବର୍ଷ ଦଖଲ:
ସାଧାରଣ ଲୋକ – ୨୫%
ସେବକ – ୧୨.୫%
ନିଯୋଗ ସେବକ – ୧୫%

ତେବେ ୧୦୦ ଡେସିମିଲ୍‌ରୁ ଅଧିକ ଏବଂ ୨୫୦ ଡେସିମିଲ୍ ପର୍ଯ୍ୟନ୍ତ ଜମି ହେଲେ ପୂରା BMV (Bench Mark Value) ଦେବାକୁ ପଡ଼ିବ।

କୃଷି ଜମି ପାଇଁ ମଧ୍ୟ ସ୍ଲାବ୍

କୃଷି ଜମି କ୍ଷେତ୍ରରେ ମଧ୍ୟ ଭିନ୍ନ ନିୟମ ରହିଛି। ସେବକମାନେ ୧ ଏକର ପର୍ଯ୍ୟନ୍ତ ଜମି ପାଇଁ BMVର ୫୦% ଦେବେ। ୧ରୁ ୨ ଏକର ପର୍ଯ୍ୟନ୍ତ ଜମି ପାଇଁ ପୂରା BMV ଦେବାକୁ ପଡ଼ିବ।

ମଠ ପାଇଁ ବଡ଼ ସୁବିଧା

ମଠଗୁଡ଼ିକ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ରହିଛି। ପ୍ରଥମ ୧୦୦ ଡେସିମିଲ୍ ଜମି ମାଗଣା ଦିଆଯିବ। ଏହାପରେ ୨୫୦ ଡେସିମିଲ୍ ପର୍ଯ୍ୟନ୍ତ ଜମି ପାଇଁ BMV ଦେବାକୁ ପଡ଼ିବ।

ଅନୁମୋଦନ ପରେ କ’ଣ ହେବ?

ସେଟଲମେଣ୍ଟ ଅନୁମୋଦନ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଡିମାଣ୍ଡ ନୋଟିସ୍ ଜାରି ହେବ। ଆବେଦନକାରୀଙ୍କୁ ଧାର୍ଯ୍ୟ ରାଶି ୩ ମାସ ମଧ୍ୟରେ ଜମା କରିବାକୁ ହେବ। ଅନଲାଇନ୍ ପେମେଣ୍ଟ, ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ବ୍ୟାଙ୍କର୍ସ ଚେକ୍ ମାଧ୍ୟମରେ ଅର୍ଥ ପ୍ରଦାନ କରିହେବ।

ଅର୍ଥ ଜମା ପରେ ଡିଡ୍ ଏକ୍ଜିକ୍ୟୁସନ୍ ଓ ରେଜିଷ୍ଟ୍ରେସନ୍ କରାଯିବ। ପରେ ତହସିଲଦାରଙ୍କ ଦ୍ୱାରା ଜମିର ରେକର୍ଡ ଓ ମ୍ୟାପ୍‌ରେ ଆବଶ୍ୟକ ସଂଶୋଧନ କରାଯାଇ ପ୍ରକ୍ରିୟା ଶେଷ କରାଯିବ।

ସମଗ୍ର ସେଟଲମେଣ୍ଟ ପ୍ରକ୍ରିୟାକୁ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ଯୋଗ୍ୟ ଦୀର୍ଘକାଳୀନ ଭୋଗଦଖଲକାରୀଙ୍କୁ କନ୍ସେସନାଲ୍ ରେଟ୍‌ରେ ସେଟଲମେଣ୍ଟ ସୁଯୋଗ ଦେବାର ବ୍ୟବସ୍ଥା ରହିଛି।

୩୬ ହଜାର ଏକର ରେକର୍ଡ, ମୋଟ ଜମି ୫୮ ହଜାର ଏକର

ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ, ମହାପ୍ରଭୁଙ୍କ ନାମରେ ପ୍ରାୟ ୩୬ ହଜାର ଏକର ଜମିର ରେକର୍ଡ ରହିଛି। ତେବେ ରାଜ୍ୟ, ରାଜ୍ୟ ବାହାରେ ଏବଂ ଦେଶ ବାହାରେ ମିଶାଇ ମୋଟ ପ୍ରାୟ ୫୮ ହଜାର ଏକର ଜମି ରହିଥିବା ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *