ମେଡିକାଲ ଓ ଇଞ୍ଜିନିୟରିଂ ଆଡମିଶନରେ ୬ ମାସ ଫି’ ଜମା ଆବଶ୍ୟକ ନାହିଁ
ଭୁବନେଶ୍ୱର, ୩୧/୮: ରାଜ୍ୟର ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ସମୟରେ ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଉ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି। ଆଡମିଶନ ସମୟରେ ଏବଂ ଏହାର ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ଟିଉସନ ଫି’ ସମେତ ଅନ୍ୟାନ୍ୟ ଫି’ ଜମା କରିବାରୁ ସେମାନଙ୍କୁ ଛାଡ଼ ମିଳିବ।
ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ବୃତ୍ତି ବା ସ୍କଲାରସିପ୍ ଟଙ୍କା ପାଇବା ପରେ ଛାତ୍ରଛାତ୍ରୀମାନେ ଆଡମିଶନ ଓ ଟିଉସନ ଫି’ ଜମା କରିପାରିବେ।
ଏସ୍ସି ଓ ଏସ୍ଟି ବର୍ଗର ଅନେକ ମେଧାବୀ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପଢ଼ିବାର ସୁଯୋଗ ପାଉଛନ୍ତି। କିନ୍ତୁ ଆଡମିଶନ ସମୟରେ ଆବଶ୍ୟକ ଅର୍ଥ ଜମା କରିବା ସେମାନଙ୍କ ପାଇଁ ବଡ଼ ସମସ୍ୟା ହୋଇଥାଏ। ଅନ୍ୟପକ୍ଷରେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କଲାରସିପ୍ ମିଳିବା ପ୍ରକ୍ରିୟାରେ ପ୍ରାୟ ୩ରୁ ୪ ମାସ ସମୟ ଲାଗୁଥିବାରୁ ଆଡମିଶନ ସମୟରେ ଅର୍ଥାଭାବ ଦେଖାଦେଉଥିଲା।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀମାନେ ସ୍କଲାରସିପ୍ ଅର୍ଥ ପାଇବା ପର୍ଯ୍ୟନ୍ତ ବିନା ଫି’ରେ ଆଡମିଶନ ଜାରି ରଖିପାରିବେ। ସ୍କଲାରସିପ୍ ଟଙ୍କା ମିଳିବା ପରେ ଆଡମିଶନ ଓ ଟିଉସନ ଫି’ ପୈଠ କରିବାର ସୁଯୋଗ ପାଇବେ।
ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ।
