ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗତ ଦୁଇ ବର୍ଷ ହେଲା ଭାରତରେ ରହୁଥିବାବେଳେ ଚଳିତ ବର୍ଷ ସ୍ବଦେଶ ଫେରିବେ ବୋଲି ବଡ଼ ଘୋଷଣା କରିଛନ୍ତି। ଏନ୍ଡିଟିଭିକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ହସିନା ନିଜ ଦେଶକୁ ଫେରିଯିବେ ବୋଲି ଘୋଷଣା କରିଛନ୍ତି। ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବାଂଲାଦେଶ ଗଠନ କରିବାରେ ତାଙ୍କ ବାପା ଶେଖ୍ ମୁଜିବର ରେହମାନଙ୍କର ପ୍ରମୁଖ ଭୂମିକା ରହିଥିଲା।
ହସିନା ବାଂଲାଦେଶ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ କ୍ଷମତାରୁ ବିତାଡ଼ିତ କରିବାକୁ ୨୦୨୪ରେ ଦେଶରେ ବଡ଼ଧରଣର ଆନ୍ଦୋଳନ ଓ ହିଂସା ଦେଖାଯାଇଥିଲା। ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଚାଲି ଆସିଥିଲେ। ଫଳରେ ହସିନାଙ୍କୁ ଦେଶ ଛାଡ଼ି ପଳାୟନ କରିବାକୁ ପଡ଼ିଥିଲା। ଭାରତ ସହିତ ସୁସମ୍ପର୍କ ପାଇଁ ସେ ସେବେଠାରୁ ଭାରତରେ ରହି ଆସୁଛନ୍ତି। ହସିନାଙ୍କୁ ବାଂଲାଦେଶରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ତାଙ୍କ ରାଜନୈତିକ ଦଳ ଆୱାମୀ ଲିଗ୍ ଉପରେ ମଧ୍ୟ ପ୍ରତିବନ୍ଧ ଲଗାଯାଇଛି।
କିନ୍ତୁ ଏସବୁ ଘଟଣାକୁ ନେଇ ସେ ବିଚଳିତ ନଥିବା ପରି ହସିନା କହିଛନ୍ତି, ମୁଁ ଚଳିତ ବର୍ଷ ମୋ ଘରକୁ ଫେରିବି। ନିର୍ବାସନରେ ଥିବା ଆୱାମୀ ଲିଗ୍ ନେତା ଘୋଷଣା କରି କହିଥିଲେ ଯେ, ତାଙ୍କ ଦଳ କେବଳ ଏକ ସଂଗଠନ ନୁହେଁ ବରଂ ଏକ ଶକ୍ତି। ସଂଖ୍ୟାଲଘୁଙ୍କ ଉପରେ ଯେକୌଣସି ଆକ୍ରମଣ ବାଂଲାଦେଶର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଥିଲେ।
ଦେଶବ୍ୟାପୀ ନିଷେଧକୁ ଅବମାନନା କରି ଆୱାମୀ ଲିଗ୍ ଗତ ମଙ୍ଗଳବାର (ଜୁନ୍ ୨୩) ତା’ର ୭୭ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା। କଡ଼ା ସୁରକ୍ଷା ମଧ୍ୟରେ ଏହାର ଡଜନ ଡଜନ କର୍ମୀଙ୍କୁ ଗିରଫ କରାଯାଇଥିଲା।
ସାକ୍ଷାତକାରରେ ଶେଖ୍ ହସିନା କହିଛନ୍ତି, ମୋର ଫେରିବା ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷାର ପ୍ରଶ୍ନ ନୁହେଁ। ବାଂଲାଦେଶର ଲୋକଙ୍କ ରାଜନୈତିକ ଅଧିକାର, ଗଣତନ୍ତ୍ରର ପୁନରୁଦ୍ଧାର, ଆଇନର ଶାସନ ଓ ଆମର ମୁକ୍ତି ଯୁଦ୍ଧର ଆତ୍ମା। ମୁଁ କ୍ଷମତା ପାଇଁ ରାଜନୀତି କରେ ନାହିଁ। ବାଂଲାଦେଶର ଲୋକଙ୍କ କଲ୍ୟାଣ ଓ ଜାତିର ପିତା ବଙ୍ଗବନ୍ଧ ଶେଖ ମୁଜିବୁର ରହମାନଙ୍କ ସ୍ୱପ୍ନ ପୂରଣ ପାଇଁ ରାଜନୀତି କରେ। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅବୈଧ, ଅସାମ୍ବିଧାନିକ ମଧ୍ୟବର୍ତ୍ତୀକାଳୀନ ସରକାର ଓ ବର୍ତ୍ତମାନର ବିଏନ୍ପି ସରକାରଙ୍କ ଅଧୀନରେ ଲୋକମାନେ ନିଜ ଆଖିରେ ବାସ୍ତବତା ଦେଖୁଛନ୍ତି। ବାଂଲାଦେଶରେ ବର୍ତ୍ତମାନ ଗଣତନ୍ତ୍ର ନାହିଁ। ଆଇନର ଶାସନ ନାହିଁ। କୌଣସି ସୁରକ୍ଷା ନାହିଁ। ଅର୍ଥନୀତି ଦୁର୍ବଳ ହୋଇଛି। ସଂଖ୍ୟାଲଘୁ ଆକ୍ରମଣର ଶିକାର ହେଉଛନ୍ତି। ଉଗ୍ରବାଦ ବ୍ୟାପିବାରେ ଲାଗିଛି।
ହସିନା କହିଛନ୍ତି, ତାଙ୍କ ବିରୋଧରେ ଦିଆଯାଇଥିବା ଫାଶୀଦଣ୍ଡ ରାୟ ନ୍ୟାୟ ନୁହେଁ। ଏହା ଏକ ବେଆଇନ, ଅସାମ୍ବିଧାନିକ ଓ ରାଜନୈତିକ ଭାବରେ ପ୍ରେରିତ ପ୍ରକ୍ରିୟାର ଏକ ଅଂଶ। ଆୱାମୀ ଲିଗକୁ ନେତୃତ୍ବବିହୀନ କରିବା ପାଇଁ ନ୍ୟାୟପାଳିକାକୁ ରାଜନୈତିକ ପ୍ରତିଶୋଧର ଏକ ଉପକରଣରେ ପରିଣତ କରାଯାଇଛି। ପୂର୍ବରୁ ଏପରି ପ୍ରୟାସ କରାଯାଇଛି। ସେତେବେଳେ ସେମାନେ ବିଫଳ ହୋଇଥିଲେ ଓ ପୁଣି ଥରେ ବିଫଳ ହେବେ। ମୁଁ ମୃତ୍ୟୁକୁ ଭୟ କରେ ନାହିଁ।
