ଜାନୁଆରୀ ୧ରେ ଚିଠା ଭୋଟର ତାଲିକା, ଫେବୃଆରୀ ୧୦ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା
ଭୁବନେଶ୍ୱର, ଅକ୍ଟୋବର ୧୫: ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଅକ୍ଟୋବର ୨୬ ତାରିଖରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ ଆରମ୍ଭ ହୋଇ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୧, ୨୦୨୭ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଫେବୃଆରୀ ୧୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ।
ବୁଧବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଏହି ସୂଚନା ଦେଇଛନ୍ତି।
ପରିବାରର ସମସ୍ତ ଭୋଟରଙ୍କ ନାମ ଗୋଟିଏ ବୁଥ୍ରେ ରହିବା ଉପରେ ଗୁରୁତ୍ୱ
ଭୋଟର ତାଲିକାକୁ ସ୍ୱଚ୍ଛ, ନିର୍ଭୁଲ ଓ ସୁସଂଗଠିତ କରିବା ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ। ଗୋଟିଏ ପରିବାରର ସମସ୍ତ ଭୋଟର ଯେପରି ଗୋଟିଏ ଭୋଟଦାନ କେନ୍ଦ୍ରରେ ଭୋଟ ଦେଇପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏଥିସହ ଗୋଟିଏ ଅଞ୍ଚଳର ଭୋଟରଙ୍କୁ ସମ୍ଭବ ମାତ୍ର ଗୋଟିଏ ବୁଥ୍ରେ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ସର୍ଭେ ସମୟରେ ପ୍ରତ୍ୟେକ ପରିବାରକୁ ଏକ ସ୍ୱତନ୍ତ୍ର ଘର ନମ୍ବର ଦିଆଯିବ। ପରିବାରର ସମସ୍ତ ଭୋଟରଙ୍କ ନାମକୁ ସେହି ନମ୍ବର ସହ ଯୋଡ଼ାଯିବା ସହ ଗୋଟିଏ ୱାର୍ଡ ଓ ବୁଥ୍ର ଭୋଟର ତାଲିକାରେ କ୍ରମାନୁସାରେ ସ୍ଥାନ ଦେବାକୁ ଉଦ୍ୟମ କରାଯିବ। ଏହି ସର୍ଭେକୁ ଅଧିକ ଲୋକାଭିମୁଖୀ ଓ ସ୍ୱଚ୍ଛ କରିବା ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି।
ଦାବି ଓ ଆପତ୍ତି ପାଇଁ ମିଳିବ ୨୦ ଦିନ
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୭ ଜାନୁଆରୀ ୧ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ପରେ ଭୋଟରମାନେ ନିଜ ନାମ ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିପାରିବେ। ତାଲିକାରେ ତ୍ରୁଟି ଥିଲେ, ନାମ ଯୋଡ଼ିବାକୁ ଥିଲେ କିମ୍ବା ଅଯୋଗ୍ୟ ନାମ ବାଦ୍ ଦେବାକୁ ଥିଲେ, ନିର୍ଦ୍ଧାରିତ ଫର୍ମରେ ଦାବି ଓ ଆପତ୍ତି ଦାଖଲ କରିବାକୁ ୨୦ ଦିନ ସମୟ ମିଳିବ।
ଏଥିପାଇଁ ଗ୍ରାମାଞ୍ଚଳରେ ନାମ ଯୋଡ଼ିବା କିମ୍ବା ସଂଶୋଧନ ପାଇଁ ଫର୍ମ-୧୬, ସହରାଞ୍ଚଳରେ ଫର୍ମ-III ଏବଂ ମହାନଗର ନିଗମ ଅଞ୍ଚଳରେ ଫର୍ମ-VII ବ୍ୟବହାର କରାଯିବ। ସେହିପରି, ନାମ ବାଦ୍ ଦେବା ପାଇଁ ଗ୍ରାମାଞ୍ଚଳରେ ଫର୍ମ-୧୭, ସହରାଞ୍ଚଳରେ ଫର୍ମ-IV ଏବଂ ମହାନଗର ନିଗମ ଅଞ୍ଚଳରେ ଫର୍ମ-VIII ମାଧ୍ୟମରେ ଆବେଦନ କରାଯାଇପାରିବ।
ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକୁ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AERO) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ERO) ଯାଞ୍ଚ କରିବେ। ଯାଞ୍ଚ ଓ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ଫେବୃଆରୀ ୧୦, ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ସର୍ଭେରେ ନିୟୋଜିତ ହେବେ କ୍ଷେତ୍ରସ୍ତରୀୟ କର୍ମଚାରୀ

ଅକ୍ଟୋବର ୨୬ରୁ ଆରମ୍ଭ ହେବାକୁ ଥିବା ସର୍ଭେ ପାଇଁ ବିଭିନ୍ନ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନୱାଡ଼ି କର୍ମୀ, ଜଳସାଥୀ, ସ୍ୱଚ୍ଛସାଥୀ ଓ ଆଶାକର୍ମୀମାନେ ଘରକୁ ଘର ଯାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ।
ସର୍ଭେର ସଠିକ୍ କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO), ବୁଥ୍ ସ୍ତରୀୟ ଅଧିକାରୀଙ୍କ ସୁପରଭାଇଜର, AERO ଏବଂ ERO ଦାୟିତ୍ୱ ନିର୍ବାହ କରିବେ।
ଏହି ପଦକ୍ଷେପ ଦ୍ୱାରା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ତ୍ରୁଟି ଦୂର କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ସଠିକ୍ ଭାବେ ସ୍ଥାନ ପାଇବା ସୁନିଶ୍ଚିତ କରାଯାଇପାରିବ ବୋଲି ଆଶା କରାଯାଉଛି।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାଶ ଓ ଉପସଚିବ ଦୁର୍ଗା ଚରଣ ମୁର୍ମୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
