ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ଶିକ୍ଷା ସାମାଜିକ ସ୍ୱତନ୍ତ୍ର

ରେଭେନ୍ସା ଛାତ୍ର ସଂସଦ ନିର୍ବାଚନକୁ ନେଇ ବିସିଜେଡିର ରଣହୁଙ୍କାର, ୫ ଦଫା ଦାବି ପୂରଣ ନହେଲେ ମୁଖ୍ୟ ଶାସନ ସଚିବଙ୍କ ବାସଭବନ ଘେରାଓ ଚେତାବନୀ

Spread the love

କ୍ୟାମ୍ପସରେ ଏବିଭିପି ନେତାଙ୍କ ପ୍ରେସମିଟ୍‌କୁ ନେଇ ପ୍ରଶ୍ନ ଉଠାଇଲା ବିଜୁ ଛାତ୍ର ଜନତା ଦଳ, ନିରପେକ୍ଷ ନିର୍ବାଚନ ପାଇଁ ସିସିଟିଭି ବ୍ୟବସ୍ଥା ଦାବି

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିବାରେ ଲାଗିଛି ଛାତ୍ର ରାଜନୀତି। ଆସନ୍ତା ୧୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଛାତ୍ର ଜନତା ଦଳ (BCJD)। ଏହି ପ୍ରସଙ୍ଗରେ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଏକ ବଡ଼ ସାମ୍ବାଦିକ ସମ୍ମିଳନୀ କରି ୫ ଦଫା ଦାବି ଉପସ୍ଥାପନ କରିଛି ଦଳ।

ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରେଭେନ୍ସା ନିର୍ବାଚନ ପରିଚାଳନାକୁ ନେଇ ରାଜ୍ୟ ପ୍ରଶାସନ ଉପରେ ବର୍ଷିଛନ୍ତି। ଏପରିକି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ ସେମାନଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ତୁଳନା କରିଛନ୍ତି।

ନିରପେକ୍ଷ ନିର୍ବାଚନ ପାଇଁ ସିସିଟିଭି ବ୍ୟବସ୍ଥା ଦାବି

ରେଭେନ୍ସାରେ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ମତଦାନ ସୁନିଶ୍ଚିତ କରିବାକୁ ବିସିଜେଡି ଦାବି କରିଛି। ମତଦାନ କକ୍ଷରେ କ୍ୟାମେରା ବ୍ୟବସ୍ଥା, ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଭୋଟ ବାକ୍ସ ସ୍ଥାନାନ୍ତର ଏବଂ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରବେଶ ଦ୍ୱାରରେ ବାଧ୍ୟତାମୂଳକ ସିସିଟିଭି ଲଗାଇବାକୁ ଦଳ ଦାବି ଉଠାଇଛି।

ମତଦାନ ଓ ଭୋଟ ବାକ୍ସ ପରିଚାଳନାରେ ସ୍ୱଚ୍ଛତା ବଜାୟ ରଖିବା ଆବଶ୍ୟକ ବୋଲି ଦଳ କହିଛି। ତେବେ ମତଦାନର ଗୋପନୀୟତା ବଜାୟ ରଖି କ୍ୟାମେରା ବ୍ୟବସ୍ଥା କରାଯିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ।

ରେଭେନ୍ସା କ୍ୟାମ୍ପସରେ ଏବିଭିପି ନେତାଙ୍କ ପ୍ରେସମିଟ୍‌କୁ ନେଇ ପ୍ରଶ୍ନ

ସାମ୍ବାଦିକ ସମ୍ମିଳନୀରେ ବିସିଜେଡି ସବୁଠାରୁ ବଡ଼ ପ୍ରଶ୍ନ ଉଠାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ରାଜ୍ୟସ୍ତରୀୟ ନେତାଙ୍କ କ୍ୟାମ୍ପସ ପ୍ରବେଶ ଓ କାର୍ଯ୍ୟକ୍ରମକୁ ନେଇ।

ନିର୍ବାଚନ ସମୟରେ ରେଭେନ୍ସା କ୍ୟାମ୍ପସ ଭିତରେ ଏବିଭିପିର ରାଜ୍ୟ ନେତା କିପରି ସାମ୍ବାଦିକ ସମ୍ମିଳନୀ କଲେ ଏବଂ କ୍ୟାମ୍ପସରେ ନିର୍ବାଚନୀ ଇସ୍ତାହାର ବଣ୍ଟନ ପାଇଁ କିଏ ଅନୁମତି ଦେଲା ବୋଲି ଇପ୍ସିତା ସାହୁ ପ୍ରଶ୍ନ କରିଛନ୍ତି।

ଏଭଳି କାର୍ଯ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଅନୁମତି ଦେଇଥିଲା କି ନାହିଁ ଏବଂ ନିର୍ବାଚନୀ ନିୟମ ସମସ୍ତ ଛାତ୍ର ସଂଗଠନ ପାଇଁ ସମାନ ଭାବେ ଲାଗୁ ହେଉଛି କି ନାହିଁ, ସେନେଇ ଦଳ ସ୍ପଷ୍ଟୀକରଣ ଦାବି କରିଛି।

ଦାବି ପୂରଣ ନହେଲେ ମୁଖ୍ୟ ଶାସନ ସଚିବଙ୍କ ବାସଭବନ ଘେରାଓ

ବିସିଜେଡି ଚେତାବନୀ ଦେଇଛି ଯେ, ନିର୍ବାଚନ ପୂର୍ବରୁ ଉଠାଯାଇଥିବା ଦାବିଗୁଡ଼ିକ ପୂରଣ କରାନଗଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ। ଏପରିକି ନିର୍ବାଚନ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବଙ୍କ ବାସଭବନ ଘେରାଓ କରାଯିବ ବୋଲି ଇପ୍ସିତା ସାହୁ ଚେତାବନୀ ଦେଇଛନ୍ତି।

ରେଭେନ୍ସା ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ରାଜନୈତିକ ଉଷ୍ମତା ବଢ଼ୁଥିବା ବେଳେ ବିସିଜେଡିର ଏହି ଅଭିଯୋଗ ନୂଆ ବିତର୍କ ସୃଷ୍ଟି କରିଛି। ଏବେ ଦଳର ଦାବି ଉପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।

 ଇପ୍ସିତା ସାହୁ, ସଭାନେତ୍ରୀ, ବିଜୁ ଛାତ୍ର ଜନତା ଦଳ।

Leave a Reply

Your email address will not be published. Required fields are marked *