ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ବୈଠକ, ସଂଗଠନ ସୁଦୃଢ଼ କରିବାକୁ ସୌଦାନ ସିଂଙ୍କ ଗୁରୁମନ୍ତ୍ର

Spread the love

ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ସାଙ୍ଗଠନିକ କସରତ, ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା

ଭୁବନେଶ୍ୱର: ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପିରେ ଆରମ୍ଭ ହୋଇଛି ସାଙ୍ଗଠନିକ କସରତ। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଯୋଗଦେଇ ଦଳୀୟ ନେତାମାନଙ୍କୁ ସାଙ୍ଗଠନିକ ମାର୍ଗଦର୍ଶନ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ଦଳର ସାଙ୍ଗଠନିକ ସ୍ଥିତି, ତୃଣମୂଳ ସ୍ତରରେ ସଂଗଠନର ବିସ୍ତାର ଏବଂ ସରକାରୀ ଯୋଜନାଗୁଡ଼ିକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ଗୁରୁତ୍ୱ

ସୌଦାନ ସିଂଙ୍କ ଓଡ଼ିଶା ଗସ୍ତକୁ ରାଜ୍ୟ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବିଶେଷକରି ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ଦଳୀୟ ସଂଗଠନକୁ ଗାଁଠାରୁ ସହର ପର୍ଯ୍ୟନ୍ତ ଅଧିକ ସକ୍ରିୟ କରିବା ଉପରେ ଜୋର୍ ଦିଆଯାଇଛି।

ଦଳୀୟ ନେତା ଓ କର୍ମୀମାନେ କେବଳ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସୀମିତ ନରହି ସାଧାରଣ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

ସୌଦାନ ସିଂଙ୍କ ସହ ଆଲୋଚନା ପରେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ସୌଦାନ ସିଂଙ୍କ ସହ ସାକ୍ଷାତ ଓ ଆଲୋଚନା ପରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ରାଜ୍ୟରେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା, ଲୋକାଭିମୁଖୀ ଯୋଜନାଗୁଡ଼ିକୁ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ରାଜ୍ୟର ସାମଗ୍ରିକ ବିକାଶ ସମ୍ପର୍କରେ ଫଳପ୍ରଦ ବିଚାରବିମର୍ଶ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।

ଏଥିସହ ସୌଦାନ ସିଂଙ୍କ ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ପ୍ରତି ଗାଁକୁ ଯାଅ, ଲୋକଙ୍କ ସୁଖଦୁଃଖରେ ସାମିଲ ହୁଅ: ସୌଦାନ ସିଂଙ୍କ ପରାମର୍ଶ

ବୈଠକ ପରେ ବିଜେପି ବିଧାୟକ ଫକୀର ମୋହନ ନାୟକ କହିଛନ୍ତି ଯେ, ସୌଦାନ ସିଂଙ୍କ ସହ ସଂଗଠନକୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ଦଳର ସମସ୍ତ ନେତା ଓ କର୍ମୀ ସଂଗଠନ ସହ ଯୋଡ଼ିହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଦଳର ଅସ୍ତିତ୍ୱ ଓ ଶକ୍ତି ସଂଗଠନ ଉପରେ ନିର୍ଭର କରେ। ତେଣୁ ସଂଗଠନକୁ ସର୍ବାଧିକ ପ୍ରାଧାନ୍ୟ ଦେବାକୁ ସୌଦାନ ସିଂ ନିର୍ଦ୍ଦେଶ ଦେଇଥିବା ବିଧାୟକ କହିଛନ୍ତି।

ପ୍ରତ୍ୟେକ ଗାଁକୁ ଯାଇ ଲୋକଙ୍କ ସହ ମିଶିବା, ସେମାନଙ୍କ ସୁଖଦୁଃଖରେ ସାମିଲ ହେବା ଏବଂ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିବା ଫକୀର ମୋହନ ନାୟକ ସୂଚନା ଦେଇଛନ୍ତି।

ସୌଦାନ ସିଂଙ୍କୁ ଭେଟିଲେ ଦୁଇ ଉପମୁଖ୍ୟମନ୍ତ୍ରୀ

ଏହି ଅବସରରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୌଦାନ ସିଂଙ୍କୁ ସାକ୍ଷାତ କରିଛନ୍ତି।

ସୂଚନା ଅନୁଯାୟୀ, ଆସନ୍ତାକାଲି ମଧ୍ୟ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ରାଜ୍ୟର ବିଧାୟକ, ମନ୍ତ୍ରୀ ଓ ସାଂସଦମାନଙ୍କ ସହ ଆଲୋଚନା କରିବେ।

ଆଗାମୀ ନିର୍ବାଚନ ପୂର୍ବରୁ ଦଳର ସାଙ୍ଗଠନିକ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ବୈଠକ ଗୁରୁତ୍ୱ ବହନ କରୁଛି। ତେବେ ସୌଦାନ ସିଂଙ୍କ ମାର୍ଗଦର୍ଶନ ପରେ ରାଜ୍ୟ ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମରେ କି ପରିବର୍ତ୍ତନ ଆସୁଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

Leave a Reply

Your email address will not be published. Required fields are marked *