ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

SIRକୁ ବିରୋଧ ନୁହେଁ, ଯୋଗ୍ୟ ଭୋଟରଙ୍କ ନାଁ କାଟିବାକୁ ବିରୋଧ: ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ପରେ ବିଜେଡିର କଡ଼ା ଜବାବ

Spread the love

ଓଡ଼ିଶାରେ ୨୭ ଲକ୍ଷ ୫୦ ହଜାର ଭୋଟରଙ୍କ ନାଁ ବାଦ୍ ପଡ଼ିଥିବା ଅଭିଯୋଗ, ଧାମନଗରରୁ ମାହାଙ୍ଗା ପର୍ଯ୍ୟନ୍ତ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR)କୁ ନେଇ ରାଜ୍ୟ ରାଜନୀତିରେ ତେଜିବାରେ ଲାଗିଛି ବାକ୍‌ଯୁଦ୍ଧ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ Xରେ କରିଥିବା ପୋଷ୍ଟ ପରେ ଏହାର କଡ଼ା ଜବାବ ଦେଇଛି ବିରୋଧୀ ବିଜୁ ଜନତା ଦଳ। SIR ପ୍ରକ୍ରିୟାକୁ ଦଳ ବିରୋଧ କରୁନାହିଁ, ବରଂ ଏହା ଆଳରେ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଉଥିବା ନେଇ ଆପତ୍ତି ରହିଛି ବୋଲି ବିଜେଡି ସ୍ପଷ୍ଟ କରିଛି।

ବିଜେଡି ଅଭିଯୋଗ କରିଛି ଯେ, ଭୋଟର ତାଲିକା ସଂଶୋଧନ ନାଁରେ ଅନେକ ଯୋଗ୍ୟ ମତଦାତାଙ୍କ ନାମକୁ ବାଦ୍ ଦିଆଯାଇଛି। ବିଶେଷକରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭୋଟରଙ୍କୁ ଜାଣିଶୁଣି ତାଲିକାରୁ ବାଦ୍ ଦିଆଯାଇଥିବା ଦଳ ଅଭିଯୋଗ ଆଣିଛି। ଏହା କେବଳ ଭୋଟର ତାଲିକା ସଂଶୋଧନର ପ୍ରସଙ୍ଗ ନୁହେଁ, ବରଂ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାର ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଦଳ ମତ ରଖିଛି।

ଧାମନଗରରୁ ମାହାଙ୍ଗା, ବିଭିନ୍ନ ସ୍ଥାନରେ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ଅଭିଯୋଗ

ବିଜେଡିର କହିବା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଧାମନଗରରେ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଇଥିବାର ତଥ୍ୟ ଓ ପ୍ରମାଣ ସାମ୍ନାକୁ ଆସିଛି। କେବଳ ଧାମନଗର ନୁହେଁ, ମାହାଙ୍ଗା, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଥିବା ଦଳ ଦାବି କରିଛି।

ଯେଉଁମାନେ ନିୟମ ଅନୁଯାୟୀ ମତଦାନ କରିବାକୁ ଯୋଗ୍ୟ, ସେମାନଙ୍କ ନାମ କେଉଁ ଆଧାରରେ ତାଲିକାରୁ ବାଦ୍ ଦିଆଗଲା, ସେନେଇ ବିଜେଡି ପ୍ରଶ୍ନ ଉଠାଇଛି।

୨୭ ଲକ୍ଷ ୫୦ ହଜାର ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ଦାବି

ଓଡ଼ିଶାରେ ପ୍ରାୟ ୨୭ ଲକ୍ଷ ୫୦ ହଜାର ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଥିବା ବିଜେଡି ଦାବି କରିଛି। ଏତେ ସଂଖ୍ୟକ ଭୋଟରଙ୍କ ନାମ ବାଦ୍ ପଡ଼ିବା ପଛରେ କ’ଣ କାରଣ ରହିଛି ଏବଂ ସେମାନଙ୍କ ମଧ୍ୟରେ କେତେଜଣ ପ୍ରକୃତ ଯୋଗ୍ୟ ଭୋଟର ରହିଛନ୍ତି, ତାହାର ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ଦଳ କହିଛି।

ପୂର୍ବରୁ ମଧ୍ୟ ଦେଶରେ SIR ପ୍ରକ୍ରିୟା ହେଉଥିଲା। କିନ୍ତୁ ସେତେବେଳେ ଏଭଳି ଭାବେ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଉ ନଥିଲା ବୋଲି ବିଜେଡି ଯୁକ୍ତି ବାଢ଼ିଛି।

ଅନ୍ୟପଟେ SIRକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ପରେ ବିଜେଡିର ଏହି ପ୍ରତିକ୍ରିୟା ରାଜ୍ୟ ରାଜନୀତିକୁ ପୁଣି ସରଗରମ କରିଛି। ଭୋଟର ତାଲିକାରୁ ଅଯୋଗ୍ୟ ଓ ମୃତ ଭୋଟରଙ୍କ ନାମ ବାଦ୍ ଦେବାକୁ ନେଇ ଆପତ୍ତି ନଥିବା ବେଳେ ଜଣେ ହେଲେ ବି ଯୋଗ୍ୟ ଭୋଟର ମତଦାନ ଅଧିକାରରୁ ବଞ୍ଚିତ ନହେବା ଉଚିତ ବୋଲି ବିଜେଡି ନିଜ ଆଭିମୁଖ୍ୟ ରଖିଛି।

ତେବେ ବିଜେଡିର ଏହି ଅଭିଯୋଗ ଉପରେ ରାଜ୍ୟ ସରକାର ଓ ନିର୍ବାଚନ କମିଶନ କି ସ୍ପଷ୍ଟୀକରଣ ରଖୁଛନ୍ତି, ତାହା ଉପରେ ଏବେ ନଜର ରହିଛି।

Leave a Reply

Your email address will not be published. Required fields are marked *