ଯାଜପୁର/ବଡ଼ଚଣା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ଼ଚଣା ବିଜେପିରେ ଗୋଷ୍ଠୀ କନ୍ଦଳ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସରକାର କ୍ଷମତାରେ ଥିବାରୁ ଅସନ୍ତୋଷର କଥା ସାମ୍ନାକୁ ଆସୁନଥିବା ଚର୍ଚ୍ଚା ମଧ୍ୟରେ ଏକ ସରକାରୀ ପ୍ରକଳ୍ପର ଉଦ୍ଘାଟନକୁ ନେଇ ବିବାଦ ଏହି ଅନ୍ତଃକନ୍ଦଳକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ବଡ଼ଚଣା ନିର୍ବାଚନମଣ୍ଡଳୀର ଦର୍ପଣ ପଞ୍ଚାୟତ ଅନ୍ତର୍ଗତ ଦର୍ପଣଗଡ଼ରେ ଏକ କମ୍ୟୁନିଟି ସେଣ୍ଟର ‘ଆମ୍ବେଦକର କୁଟୀର’ର ଉଦ୍ଘାଟନ ପାଇଁ ୧୨ ସେପ୍ଟେମ୍ବର ୨୦୨୬ ତାରିଖ ଧାର୍ଯ୍ୟ ହୋଇଥିଲା। ଉଦ୍ଘାଟକ ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେବାକୁ ସମ୍ମତି ଦେଇଥିବା ଏବଂ ଏଥିପାଇଁ ଫଳକ ମଧ୍ୟ ନିର୍ମାଣ ହୋଇ ଲାଗି ସାରିଥିବା ଦାବି କରାଯାଉଛି।
ତେବେ ଶେଷ ମୁହୂର୍ତ୍ତରେ ଉଦ୍ଘାଟନ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସୂଚନା ମିଳିଛି। ଦୁଇଟି ଗୋଷ୍ଠୀ ପକ୍ଷରୁ ଦୁଇଟି ଅଲଗା ଫଳକ ତିଆରି ହୋଇଥିବା ବିଧାୟକ ଜାଣିବା ପରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି।
‘କେତେଦିନ ବିଜେଡି କ୍ୟାଡରଙ୍କୁ ଧରି ରାଜନୀତି କରିବେ?’
ଘଟଣାକୁ ନେଇ ଏକ ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଥିବା ଦାବି କରାଯାଉଛି। ସମ୍ପୃକ୍ତ ଗୋଷ୍ଠୀ ପକ୍ଷରୁ, “କେତେଦିନ ବିଜୁ ଜନତା ଦଳର କ୍ୟାଡରଙ୍କୁ ଧରି ବିଧାୟକ ସଙ୍ଗଠନ କରିବେ ଓ ରାଜନୀତି କରିବେ, ଆମେ ବି ଦେଖିବୁ” ବୋଲି କୁହାଯାଇଥିବା ସୂଚନା ମିଳିଛି।
ଏହି ଘଟଣା ପରେ ବଡ଼ଚଣା ବିଜେପିର ସାଙ୍ଗଠନିକ ସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଘଟଣା ସମ୍ପର୍କରେ ବିଧାୟକ ଅମର କୁମାର ନାୟକ କିମ୍ବା ତାଙ୍କ ଶିବିର ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଦଳ ଦଳ ପାଇଁ ଚ୍ୟାଲେଞ୍ଜ?
ସାଧାରଣ ନିର୍ବାଚନକୁ ପ୍ରାୟ ଅଢ଼େଇ ବର୍ଷ ବିତିଥିବା ବେଳେ ଦଳ ଭିତରେ ଅସନ୍ତୋଷ କୁହୁଳୁଥିବା ନେଇ ଚର୍ଚ୍ଚା ହେଉଛି। ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଅନ୍ତଃକନ୍ଦଳ ସାମ୍ନାକୁ ଆସିବା ବଡ଼ଚଣା ବିଜେପି ପାଇଁ ଚ୍ୟାଲେଞ୍ଜ ହୋଇପାରେ।
ଏବେ ପ୍ରଶ୍ନ ଉଠୁଛି—ବଡ଼ଚଣା ବିଜେପିରେ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ମତଭେଦକୁ ଦଳୀୟ ନେତୃତ୍ୱ କିପରି ମ୍ୟାନେଜ କରିବ? ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି କନ୍ଦଳର ସମାଧାନ ହେବ ନା ଆଗକୁ ଆହୁରି ତୀବ୍ର ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।
