News ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ସାଲୁଙ୍କି ନାଳ ଉପରେ କ୍ଷତିଗ୍ରସ୍ତ ପୋଲର ସ୍ଥିତି ଅନୁଧ୍ୟାନ, ଯାତାୟାତ ବନ୍ଦ ନିର୍ଦ୍ଦେଶ

Spread the love

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକରେ ସାଲୁଙ୍କି ନାଳ ଉପରେ ଥିବା କ୍ଷତିଗ୍ରସ୍ତ ପୋଲର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇ ମୁଖ୍ୟଯନ୍ତ୍ରୀ। ଫୁଲବାଣୀ ଡିଭିଜନ୍ ଅନ୍ତର୍ଗତ ଟିକାବାଲି (କେଉଟସାହି)-ଏସ୍‌କେପିଏମ୍‌ ରାସ୍ତାରେ ଥିବା ଏହି ପୋଲର ସ୍ଥିତି ଯାଞ୍ଚ କରିବା ପରେ ସୁରକ୍ଷା ଦୃଷ୍ଟିରୁ ଏହା ଉପରେ ଯାତାୟାତ ବନ୍ଦ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅନୁଧ୍ୟାନ ସମୟରେ ମୁଖ୍ୟଯନ୍ତ୍ରୀ (ସେତୁ ଓ କୋଠାବାଡ଼ି) ଏବଂ ମୁଖ୍ୟଯନ୍ତ୍ରୀ (ରାସ୍ତା)ଙ୍କ ସହ ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ଡିଭିଜନର ସମ୍ପୃକ୍ତ ଅଧୀକ୍ଷଣ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଅକ୍ଟୋବର ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ହେବା ଯୋଗୁଁ ପ୍ରାୟ ୪୦ ମିଟର ଲମ୍ବର ଏହି ପୋଲଟି ବନ୍ୟାଜଳରେ ବୁଡ଼ି ରହିଥିଲା। ଅନୁଧ୍ୟାନ ସମୟରେ ପୋଲର ଏକ ଖମ୍ବ ନିକଟରେ ପ୍ରାୟ ୨୭ ସେଣ୍ଟିମିଟର ଦବିଯାଇଥିବା ଜଣାପଡ଼ିଛି। ଏହା ଫଳରେ ପୋଲର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ପୋଲ ଉପରେ ତୁରନ୍ତ ଯାତାୟାତ ବନ୍ଦ କରିବା ସହ ଉକ୍ତ ରାସ୍ତାରେ ଚଳାଚଳ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସ୍ଥାନୀୟ ଲୋକଙ୍କ ଯାତାୟାତ ପାଇଁ ବିକଳ୍ପ ରାସ୍ତା ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି।

ଅନ୍ୟପକ୍ଷରେ, ୨୦୨୬-୨୭ ଆର୍ଥିକ ବର୍ଷରେ ଏସ୍‌ବିୱାଇ ଯୋଜନା ଅଧୀନରେ ଏଠାରେ ଏକ ନୂତନ ପୋଲ ନିର୍ମାଣ ପାଇଁ ପୂର୍ବରୁ ମଞ୍ଜୁରୀ ମିଳିସାରିଛି। ତେବେ ସାମ୍ପ୍ରତିକ ବନ୍ୟା ଯୋଗୁଁ ପୋଲରେ ହୋଇଥିବା କ୍ଷୟକ୍ଷତିକୁ ଆଧାର କରି ନୂତନ ପୋଲର ନକ୍ସାରେ ଆବଶ୍ୟକ ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *