ବଡ଼ଚଣା: ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, କର୍ମତତ୍ପରତା ଏବଂ ଜନସାଧାରଣଙ୍କ ସୁଖଦୁଃଖରେ ସହଭାଗୀ ହେବାର ନିଷ୍ଠା ପାଇଁ ଯୁବ ସମାଜସେବୀ ମହେଶ୍ୱର ପରିଡ଼ାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ Iconic Human Rights and Educational Organisation ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
‘ବସୁଧୈବ କୁଟୁମ୍ବକମ୍’ ଭାବଧାରାକୁ ଆଧାର କରି ସମାଜସେବାକୁ ନିଜର କର୍ତ୍ତବ୍ୟ ଭାବେ ଗ୍ରହଣ କରିଥିବା ମହେଶ୍ୱର ପରିଡ଼ା ବଡ଼ଚଣା ଅଞ୍ଚଳରେ ନିଜର ସେବାମୂଳକ କାର୍ଯ୍ୟ ଓ ଜନସାଧାରଣଙ୍କ ସହ ନିବିଡ଼ ସମ୍ପର୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଲୋକଙ୍କ ବିଭିନ୍ନ ସମସ୍ୟା ସମୟରେ ସେମାନଙ୍କ ପାଖରେ ଛିଡ଼ା ହେବା ସହ ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି।
ଅନୁଷ୍ଠାନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହାର ନିର୍ଦ୍ଦେଶକ ଓ ଅଧ୍ୟକ୍ଷଙ୍କୁ ପ୍ରଦତ୍ତ କ୍ଷମତା ଏବଂ ମୂଲ୍ୟାୟନ ବୋର୍ଡର ମୂଲ୍ୟାୟନ ଓ ସୁପାରିଶ ଆଧାରରେ ମହେଶ୍ୱର ପରିଡ଼ାଙ୍କୁ ଏହି ସମ୍ମାନର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ସମ୍ମାନ ପ୍ରଦାନ କରିଥିବା ଅନୁଷ୍ଠାନ ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ବୋଲି ଅନୁଷ୍ଠାନ ପକ୍ଷରୁ ଉଲ୍ଲେଖ କରାଯାଇଛି।
ଏହି ସମ୍ମାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଡକ୍ଟର ମହେଶ୍ୱର ପରିଡ଼ା ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏଥିସହ ଏହି ସଫଳତାର ସମସ୍ତ ଶ୍ରେୟ ବଡ଼ଚଣାର ଜନସାଧାରଣଙ୍କୁ ଦେଇଛନ୍ତି।
ସମାଜସେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ରାଜନୀତିରେ ନିଜର ନିଷ୍ଠା ଓ ସକ୍ରିୟତା ପାଇଁ ମଧ୍ୟ ମହେଶ୍ୱର ପରିଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ ପରିଚିତ। ତାଙ୍କର ଏହି ସମ୍ମାନଜନକ ସଫଳତା ପରେ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି
