ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଶିକ୍ଷକ ସଂଘର ଦୀର୍ଘଦିନର ସମସ୍ୟା ଓ ଦାବିର ସମାଧାନ ନେଇ ବାହାରିବ କି ବାଟ? ଏହାକୁ ନେଇ ଲୋକସେବା ଭବନରେ ବସିଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି।
ବିଭିନ୍ନ ଶିକ୍ଷକ ସଂଘର ସମସ୍ୟା ଓ ଦାବିଗୁଡ଼ିକର ସମାଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ରିପୋର୍ଟକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହେଉଛି।
ଅବସରପ୍ରାପ୍ତ IAS ଅଧିକାରୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ୫ ଜଣିଆ କମିଟି ଗଠନ କରାଯାଇଥିଲା। ଶିକ୍ଷକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟାକୁ କମିଟି ବିଚାର କରିଥିବା ବେଳେ ଏବେ ଏହାର ରିପୋର୍ଟକୁ ନେଇ ସରକାରୀ ସ୍ତରରେ ଆଲୋଚନା ଆଗକୁ ବଢ଼ିଛି।
ବୈଠକରେ କମିଟିର ସୁପାରିସଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି। ଶିକ୍ଷକଙ୍କ କେଉଁ କେଉଁ ଦାବି ଉପରେ ସରକାର ସକାରାତ୍ମକ ନିଷ୍ପତ୍ତି ନେବେ ଏବଂ କମିଟିର କେଉଁ ସୁପାରିସକୁ ଗ୍ରହଣ କରାଯିବ, ତାହା ଉପରେ ଶିକ୍ଷକ ମହଲର ନଜର ରହିଛି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବଙ୍କ ସମେତ ଉଚ୍ଚସ୍ତରୀୟ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି।
