News ପାଣିପାଗ ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଭୂସ୍ଖଳନ ଅଞ୍ଚଳରେ ନିଖୋଜଙ୍କୁ ଖୋଜିବାକୁ ଆସିବ ଅତ୍ୟାଧୁନିକ ଉପକରଣ, ଆସନ୍ତାକାଲିଠାରୁ ଆରମ୍ଭ ହେବ ସନ୍ଧାନ

Spread the love

ହେଲିକପ୍ଟରରେ ଆସିପାରିଲାନି ଉଦ୍ଧାର ସାମଗ୍ରୀ, ସଡ଼କ ପଥରେ ପଠାଯାଉଛି ୩ଟି ଅତ୍ୟାଧୁନିକ ଯନ୍ତ୍ର

ଭୁବନେଶ୍ୱର/ଗଞ୍ଜାମ, ଅକ୍ଟୋବର ୩୧: ଗଞ୍ଜାମ ଜିଲ୍ଲାର କନ୍ଧମାଳ ସୀମାନ୍ତବର୍ତ୍ତୀ ବାଇବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଡ଼ମା ରାଜସ୍ୱ ଗ୍ରାମର ଗିଡ଼ିପାବଲିଠାରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅତ୍ୟାଧୁନିକ ଉପକରଣ ନିୟୋଜିତ କରାଯିବ। ଏଥିପାଇଁ ଭାରତୀୟ ନୌସେନା ପକ୍ଷରୁ ତିନୋଟି ଅତ୍ୟାଧୁନିକ ସନ୍ଧାନ ଉପକରଣ ଯୋଗାଇ ଦିଆଯାଇଛି।

ଏହି ଉପକରଣଗୁଡ଼ିକୁ ନୌସେନାର ହେଲିକପ୍ଟର ଯୋଗେ ଘୁ. ଉଦୟଗିରିକୁ ନିଆଯିବାର ବ୍ୟବସ୍ଥା ହୋଇଥିଲା। ମାତ୍ର ପ୍ରତିକୂଳ ପାଣିପାଗ ଯୋଗୁଁ ହେଲିକପ୍ଟରଟି ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିପାରିନଥିଲା। ଫଳରେ ଏବେ ଉକ୍ତ ଉପକରଣଗୁଡ଼ିକୁ ସଡ଼କ ପଥରେ ପଠାଯାଉଛି। ଆସନ୍ତାକାଲି ସକାଳର ପ୍ରଥମ ପର୍ଯ୍ୟାୟରୁ ଏହାକୁ ଉଦ୍ଧାର ଅଭିଯାନରେ ବ୍ୟବହାର କରାଯିବ।

ଉଦ୍ଧାର କାର୍ଯ୍ୟ ପାଇଁ ଅଣାଯାଉଥିବା ତିନୋଟି ଉପକରଣ ମଧ୍ୟରେ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ (ସିସ୍ମିକ୍), ଭାଇବ୍ରେସନ୍ ଡିଟେକ୍ସନ୍ ୟୁନିଟ୍ ଏବଂ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ରହିଛି। ଏହି ଅତ୍ୟାଧୁନିକ ଯନ୍ତ୍ରଗୁଡ଼ିକ ଭୂସ୍ଖଳନ ଯୋଗୁଁ ମାଟି ଓ ଭଗ୍ନାବଶେଷ ତଳେ ଫସି ରହିଥିବା ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାରେ ସହାୟକ ହେବ।

ଅନ୍ୟପଟେ ପ୍ରଭାବିତ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ଚାଲିଛି। ଏଥିରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଓଡ଼ିଶା ଅଗ୍ନିଶମ ସେବା ବିଭାଗ ସହ ଭାରତୀୟ ରେଳବାଇର ଉଦ୍ଧାରକାରୀ ଦଳ ମଧ୍ୟ ସାମିଲ ହୋଇଛନ୍ତି।

ପ୍ରଭାବିତ ଅଞ୍ଚଳକୁ ପହଞ୍ଚିବାରେ ଅସୁବିଧା ଓ ଖରାପ ପାଣିପାଗ ସତ୍ତ୍ୱେ ବିଭିନ୍ନ ଉଦ୍ଧାରକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ରଖାଯାଇ କାର୍ଯ୍ୟ ଜାରି ରହିଛି। ବିଶେଷଜ୍ଞଙ୍କ ପରାମର୍ଶ ନେଇ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ସହ ଉଦ୍ଧାର ଅଭିଯାନକୁ ଯଥାଶୀଘ୍ର ସଫଳ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି।

Leave a Reply

Your email address will not be published. Required fields are marked *