୨ ବର୍ଷରେ ₹୫୪,୦୦୦ କୋଟିର ଜଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର, ୩.୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨ ସେପ୍ଟେମ୍ବର ୨୦୨୬:
କୃଷିପ୍ରଧାନ ଓଡ଼ିଶାରେ ଜଳ ସୁରକ୍ଷା ଓ ଜଳସେଚନର ବିକାଶକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଗତ ଦୁଇ ବର୍ଷରେ ରାଜ୍ୟରେ ପ୍ରାୟ ₹୫୪,୦୦୦ କୋଟିର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଥିବା ବେଳେ ୩.୨ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ନୂଆଦିଲ୍ଲୀରେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବିଭାଗୀୟ ସମିଟ୍ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜଳ ସଂରକ୍ଷଣ, ଭୂ-ଜଳ ପରିଚାଳନା ଓ ଜଳ ଭିତ୍ତିଭୂମି ବିକାଶର ସଫଳତା ବିଷୟରେ ଉପସ୍ଥାପନ କରିଥିଲେ।
ରାଜ୍ୟରେ ୭୭୦ଟି ନୂଆ ଚେକ୍ ଡ୍ୟାମ୍ ଓ ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର (ISS) ସମ୍ପୂର୍ଣ୍ଣ ହୋଇଛି। ଏହାସହ ୧,୩୧୨ଟି ପୁରୁଣା ଚେକ୍ ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି। ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ୍, ୨ଟି ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କ, ୬ଟି ମେଗା ଲିଫ୍ଟ ଓ ୩୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି।
ଆଗାମୀ ବର୍ଷରେ ଆଉ ୧୪ଟି ISS ଓ ୬ଟି ମିଡିଅମ୍ ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯିବ। ବର୍ତ୍ତମାନ ୫ଟି ନୂଆ ମେଜର ଓ ମିଡିଅମ୍ ପ୍ରକଳ୍ପ, ୫୮ଟି ମେଗା ଲିଫ୍ଟ ଏବଂ ୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଚାଲିଛି।
କୃଷକଙ୍କ ପାଇଁ ସୋଲାର ଓ ଡିପ୍ ବୋରୱେଲ୍
ଗ୍ରାମାଞ୍ଚଳ ଓ କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଦେବା ପାଇଁ ୩,୨୨୪ଟି କମ୍ୟୁନିଟି ଲିଫ୍ଟ ଇରିଗେସନ୍, ୨୦,୨୨୮ଟି ଡିପ୍ ବୋରୱେଲ୍ ଓ ୮,୯୧୭ଟି ସୋଲାର ଡିପ୍ ବୋରୱେଲ୍ ନିର୍ମାଣ କରାଯାଇଛି।
ଭୂ-ଜଳ ସ୍ଥିରତା ପାଇଁ ‘ଛାତ’ ଯୋଜନାରେ ୨୦,୦୦୦ ରୁଫ୍ଟପ୍ ରେନ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକଚର ଏବଂ ‘ଅରୁଆ’ ଯୋଜନାରେ ୧,୨୦୦ଟି ରିଚାର୍ଜ ସାଫ୍ଟ ସମ୍ପୂର୍ଣ୍ଣ ହୋଇଛି।
ଜଳସେଚନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ପାରଦର୍ଶିତା ବଢ଼ାଇବା ପାଇଁ ୪୦,୦୦୦ରୁ ଅଧିକ ‘ପାଣି ପଞ୍ଚାୟତ’କୁ ସଶକ୍ତ କରାଯାଉଛି। ଏହି ପଦକ୍ଷେପଗୁଡ଼ିକ ପାଇଁ ଓଡ଼ିଶା ପୂର୍ବରୁ ପଞ୍ଚମ ରାଷ୍ଟ୍ରୀୟ ଜଳ ପୁରସ୍କାରରେ ‘ସର୍ବଶ୍ରେଷ୍ଠ ରାଜ୍ୟ’ ଭାବେ ଘୋଷିତ ହୋଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।
କାନୁପୁର ପ୍ରକଳ୍ପର ସମାପ୍ତି
ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ କାନୁପୁର ପ୍ରକଳ୍ପର ସଫଳ ସମାପ୍ତିକୁ ମଧ୍ୟ ବିଶେଷ ଭାବେ ଉଲ୍ଲେଖ କରିଥିଲେ। ୨୦୦୩-୦୪ରୁ ଅଟକି ରହିଥିବା ଏହି ପ୍ରକଳ୍ପରେ ସ୍ଥାନୀୟ ମା’ ଶାଳବଣୀ ଈଷ୍ଟଦେବୀଙ୍କ ପୀଠର ସମ୍ମାନଜନକ ସ୍ଥାନାନ୍ତର, NHAI ସହ ସମନ୍ୱୟ ଏବଂ CWC ଓ IIT ରୁର୍କୀର ବୈଷୟିକ ସହାୟତାରେ ପ୍ଲାଷ୍ଟିକ୍ କଟ୍-ଅଫ୍ ୱାଲ୍ ନିର୍ମାଣ କରି ସମସ୍ୟାର ସମାଧାନ କରାଯାଇଛି।
ଅଗଷ୍ଟ ୩୧ ସୁଦ୍ଧା ଡ୍ୟାମ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆସନ୍ତା ବର୍ଷ ମଧ୍ୟରେ କେନାଲ ନେଟୱାର୍କ ଶେଷ କରାଯାଇ ୨୫,୦୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବାର ଲକ୍ଷ୍ୟ ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡବଲ୍ ଇଞ୍ଜିନ୍ ସରକାରଙ୍କ ମାର୍ଗଦର୍ଶନରେ ଓଡ଼ିଶା ଜଳ ସମ୍ପଦର ଉତ୍କୃଷ୍ଟ ପ୍ରବନ୍ଧନ କରିବା ସହ ରାଜ୍ୟବାସୀ ଓ କୃଷକଙ୍କ କଲ୍ୟାଣ ପାଇଁ ନିରନ୍ତର ପ୍ରତିବଦ୍ଧ ରହିଛି।
